ଆଜି ଓଡିଆ ଚଳଚ୍ଚିତ୍ର ଜଗତର ଦୁଇ ନକ୍ଷତ୍ର ଅକ୍ଷୟ ମହାନ୍ତି ଓ ହର ପଟ୍ଟନାୟକଙ୍କ ଜନ୍ମ ତିଥି : ଜାଣନ୍ତୁ ତାଙ୍କ ଜୀବନଯାତ୍ରାର ସଫଳ କାହାଣୀ

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର ୧୨|୧୦: ଚିତ୍ର ଓ ସଂଗୀତ ଦୁନିଆରେ ଜଣେ ଥିଲେ ଯାଯାବର । ସେ ଚିର ସବୁଜ ଅକ୍ଷୟ ମହାନ୍ତି ।  ଅନ୍ୟ ଜଣେ ଖଳନାୟକ ଓ ରିଂ ମାଷ୍ଟର ହର  ପଟ୍ଟନାୟକ । ୧୯୩୭ ମସିହା, ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ ।  ପିତା ବିଚିତ୍ରାନନ୍ଦ ମହାନ୍ତି ଓ ମାତା ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ  ଅକ୍ଷୟ ମହାନ୍ତିଙ୍କ କର୍ମଭୂମି ଥିଲା ଧବଳ ସହର କଟକ । ସେହି ସହରର ତୁଳସୀପୁରରେ ଜନ୍ମ ଗ୍ରହଣ କରିଥିଲେ ହର ପଟ୍ଟନାୟକ । ୧୯୫୮ ମସିହାରେ ଆଜିର ଦିନରେ । ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି  ମିଳିଲା ଆକାଶ ବାଣୀ କଟକ କେନ୍ଦ୍ରରୁ  । ୧୯୫୯ ମସିହା ପରଠୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଭିଥିଲା ତାଙ୍କ ସଂଗୀତର ଝଙ୍କାର । ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା, ‘ ମଲାଜହ୍ନ’ । ଖୋକା ଭାଇଙ୍କୁ ଏହି ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ନିତାଇ ପାଲିତ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।  ‘ କିଏ କାହାର’ ,’ ସଂସାର’, ‘ଯାଯାବର’, ‘ ସ୍ବପ୍ନ ସାଗର’ ପରି ଚଳଚ୍ଚିତ୍ରରୁ ଆରମ୍ଭ କରି ନିର୍ଦ୍ଦେଶକ ସବ୍ୟସାଚି ମହାପାତ୍ରଙ୍କ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପର୍ଯ୍ୟନ୍ତ ତାଙ୍କ ଗୀତ ଓ ସଂଗୀତ ଦର୍ଶକଙ୍କୁ କରିଥିଲା ମତୁଆଲା । ୨୦୦୨ ମସିହା, ନଭେମ୍ବର ୧୭ ତାରିଖରେ ଏ ସଂଗୀତର ସ୍ବର ଗଲା ନିରବୀ । ଚିର ସବୁଜ ଅକ୍ଷୟ ମହାନ୍ତି କରିଥିଲେ ଦେହତ୍ୟାଗ । ନବେ ଦଶକର ଓଡିଆ ସିନେମାରେ ଚର୍ଚ୍ଚିତ ଚେହେରା ଥିଲେ ହର ପଟ୍ଟନାୟକ । ଜଣେ ଅଭିନେତା, ନିର୍ଦ୍ଦେଶକ, କାହାଣୀ ଓ ଚିତ୍ରନାଟ୍ୟ ଲେଖକ ଭାବେ ତାଙ୍କର ଥିଲା ସୁଖ୍ୟାତି ।  ଅଭିନୟ ପ୍ରତି  ପିଲା ଦିନରୁ ଥିଲା ତାଙ୍କର ଆଗ୍ରହ । ସେଇ ଆଗ୍ରହ ତାଙ୍କୁ ଟାଣି ନେଇଥିଲା  ରଂଗମଞ୍ଚର ଦୁନିଆକୁ । ଅନ୍ନପୂର୍ଣ୍ଣା ବି’ଗ୍ରୁପ ସହିତ ସଂଶ୍ଳିଷ୍ଟ ଥିବା ହର ପଟ୍ଟନାୟକ ସିନେମା ଜଗତରେ ପ୍ରବେଶ କରିଥିଲେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ଡାକରା ପାଇ । ଶିଶିର ମିଶ୍ରଙ୍କ ସହଯୋଗୀ ଭାବେ କାମ କରୁଥିଲେ ହର ପଟ୍ଟନାୟକ । ଅଭିନେତା ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ ଜୀବନ ସଂଗ୍ରାମ’ । ପିଲା ଦିନରୁ ତାଙ୍କ ଅଭିନୟ ନିଶା, ଏହାପରେ ପାଲଟି ଗଲା ତାଙ୍କ ପାଇଁ  ପେଶା । କେବଳ ନବେ ଦଶକରେ ହର ପଟ୍ଟନାୟକ ଅଭିନୟ କରିଥିଲେ ୧୧ଟି ଚଳଚ୍ଚିତ୍ରରେ । ସେଥି ମଧ୍ୟରୁ ‘ ପୁଅ ମୋର କଳା ଠାକୁର’, ମା’ , ‘ଜୋର୍ ଯାର ମୂଲକ ତାର’, ‘ଚକା ଆଖି ସବୁ ଦେଖୁଛି’ ଓ ‘ ସୁନା ପଞ୍ଜୁରୀ’ ପରି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ହର ପଟ୍ଟନାୟକଙ୍କ ଅଭିନୟର ଦମ୍ । ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଚଳଚ୍ଚିତ ‘ ଦଇବ ବଉଡି’ । ଏହାପରେ ‘କପାଳ ଲିଖନ’, ‘ ଭାଗ୍ୟ ହାତେ ଡୋରୀ’, ‘ପୁଅ ମୋର ଭୋଳା ଶଙ୍କର’, ‘ ଗଙ୍ଗା ଯମୁନା’ , ‘ ସୁନା ସଂସାର’, ‘ସୁହାଗ ସିନ୍ଦୁର’  ପରି ଅନେକ ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନା ଦକ୍ଷତାକୁ କରିଥିଲା ପ୍ରମାଣିତ । ଅନେକ ଗୁଡିଏ ବଙ୍ଗଳା ଚଳଚ୍ଚିତ୍ରରେ ସେ ଅଭିନୟ କରିବା ସହିତ ଦେଇଥିଲେ ନିର୍ଦ୍ଦେଶନା । ଓଡିଆ ସିନେମା ଜଗତରେ  ସୁପର ଷ୍ଟାର ଭାବେ ରାଜୁତି କରୁଥିବା ଅନୁଭବ ମହାନ୍ତଙ୍କୁ ହର ପଟ୍ଟନାୟକ ପ୍ରଥମେ ସୁଯୋଗ ଦେଇଥିଲେ ଚଳଚ୍ଚିତ ‘ଆଇ.ଲଭ୍.ୟୁ’ରେ । ସବ୍ୟସାଚିଙ୍କୁ ‘ ପାଗଳ ପ୍ରମୀ’ ଓ ବାବୁ ସାନଙ୍କୁ  ସୁଯୋଗ ଦେଇଥିଲେ ‘ ରୋମିଓ ଦି ଲଭର ବୟ’ରେ । ୨୦୧୫ ମସିହା ଜାନୁଆରୀ ୧୩ ତାରିଖରେ ଲିଭିଯାଇଥିଲା ହର ପଟ୍ଟନାୟକଙ୍କ ଜୀବନ ଦୀପ । ଉପସ୍ଥାପନା : ସୁବ୍ରତ ଜେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.