ବିଘ୍ନ ବିନାଶକ, ଗଣନାୟକ, ଅଗ୍ରପୂଜ୍ୟ ଭଗବାନ ଗଣେଶଙ୍କ ପୂଜା। ରାତି ପାହିଲେ ଗଣେଶଙ୍କ ଜନ୍ମ ତିଥି । ହେଲେ ଗଣେଶ କେମିତି ଜନ୍ମ ହେଲେ ତାଙ୍କୁ ନେଇ ବିଭିନ୍ନ ପୈାରାଣିକ ମତ ରହିଛି। ହାତୀର ମୁଣ୍ଡ,ମଣିଷର ଦେହ, ପୃଥୁଳକାୟ ବପୁ, ମୂଷିକ ବାହନ, ବଡ଼ ଅଦ୍ଭୁତ ରୂପ ଗଣେଶଙ୍କର।… ଗଣେଶଙ୍କ ରୂପ ଏମିତି କାହିଁକି ହେଲା ? ତାକୁ ନେଇ ମଧ୍ୟ ରହିଛି ବିଭିନ୍ନ ପୈାରାଣିକ କାହାଣୀ। ଆସନ୍ତୁ ନଜର ପକାଇବା ସେସବୁ କାହାଣୀ ଉପରେ ଏକ ନଜର।

ଶ୍ରୀଗଣେଶଙ୍କ ଜନ୍ମ ସମ୍ପର୍କରେ ସବୁଠୁ ଲୋକପ୍ରିୟ କାହାଣୀଟି ଶିବ ପୁରାଣରୁ ନିଆଯାଇଛି। ଶିବ ପୁରାଣ ଅନୁସାରେ ଦିନେ ଶିବପତ୍ନୀ ମାତା ପାର୍ବତୀ ସ୍ନାନ କରିବାକୁ ଯାଇଥିଲେ। ତେବେ ସେଦିନ କୈଳାସରେ ଶିବଦୂତ ନନ୍ଦୀ ନଥିବା ଯୋଗୁଁ କାହାକୁ ଦ୍ବାରପାଳଭାବେ ନିୟୋଜିତ କରିବେ ଚିନ୍ତାରେ ପଡ଼ିଯାଇଥିଲେ ମା ପାର୍ବତୀ। ଏମିତି ଚିନ୍ତା କରୁଥିବାବେଳେ ମାଜଣା ପାଇଁ ସେ ନେଇଥିବା ବଟା ହଳଦୀରେ ନିଜ ଅଜାଣତରେ ଏକ ପିତୁଳା ସେ ତିଆରି କରିସାରିଥିଲେ। ହଳଦୀରେ ତିଆରି ଏହି ପିତୁଳାଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ପାର୍ବତୀ ଏହି ପିତୁଳାକୁ ଜୀବନ୍ୟାସ ଦେବାପାଇଁ ଗୋଲକ ବିହାରୀ ବିଷ୍ଣୁଙ୍କୁ ସ୍ମରଣ କରି ଅନୁରୋଧ କଲେ। ପାର୍ବତୀଙ୍କ ଇଛାକୁ ପୂରଣ କରି ବିଷ୍ଣୁ ହଳଦୀ ପିତୁଳାକୁ ଜୀବନ୍ୟାସ ପ୍ରଦାନ କଲେ । ଏହି ବାଳକଙ୍କୁ ପାର୍ବତୀ ଦ୍ବାରପାଳ ଭାବେ ନିୟୋଜିତ କରିଥିଲେ । ସ୍ନାନ ନସରିବା ଯାଏଁ କାହାକୁ ନ ଛାଡ଼ିବା ପାଇଁ ମଧ୍ୟ କହିଥିଲେ ।

ବାଳକ ଗଣେଷ ଦ୍ବାରପାଳ ଦାୟିତ୍ବରେ ଥିବା ସମୟରେ ନିଜ ତପସ୍ୟା ସରିବାରୁ ମହାଦେବ ପାର୍ବତୀଙ୍କୁ ଦର୍ଶନ କରିବାପାଇଁ ସେଠାରେ ଆସି ପହଞ୍ଚିଥିଲେ । ବାଳକ ଦ୍ବାରପାଳଙ୍କୁ ନିଜ ପରିଚୟ ଦେବାସହ ଦ୍ବାର ଛାଡ଼ିବା ପାଇଁ କହିଥିଲେ । କିନ୍ତୁ ମାତାଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଶ୍ରୀଗଣେଶ, ଶିବଙ୍କୁ ମଧ୍ୟ ଦ୍ବାର ଛାଡ଼ିନଥିଲେ । ଦୁହିଁଙ୍କ ମଧ୍ୟରେ ବାକ ବିତର୍କ ହୋଇଥିଲା । ତା’ପରେ ଶିବ କ୍ଷୁବ୍ଧ ହୋଇ ତ୍ରୀଶୂଳରେ ଗଣେଶଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲେ ।

ପାର୍ବତୀ ଆସି ଦେଖିବା ବେଳକୁ ଗଣେଶ ମୃତ୍ୟୁ ବରଣ କରିଛନ୍ତି । ପାର୍ବତୀ ଅଧୀର ହୋଇପଡ଼ିଲେ । ପାର୍ବତୀଙ୍କ ଅବସ୍ଥା ଦେଖି ଶିବ ଚିନ୍ତିତ ହୋଇ ଉଠିଲେ । ଏବେ କ’ଣ କରାଯିବ । ଯେତେ ବୁଝାଇଲେ ବି ପାର୍ବତୀ ବୁଝିବା ଅବସ୍ଥାରେ ନଥିଲେ । ଶେଷରେ ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ଏବଂ ସମଗ୍ର ସୃଷ୍ଟିକୁ ଧ୍ବଂସ କରିଦେବାକୁ ବାହାରିଲେ । ପାର୍ବତୀ ସହସ୍ରଭୂଜା ହୋଇଗଲେ । ତାଙ୍କ ଦେହରୁ ଯୋଗିନୀମାନେ ସୃଷ୍ଟି ହେଲେ । ସମଗ୍ର ସୃଷ୍ଟିପାଇଁ ଏକ ବିପଜ୍ଜନକ ପରିସ୍ଥିତି ଆସନ୍ନ ହେଲା । ଏଭଳି ପରିସ୍ଥିତି ଦେଖି ସୃଷ୍ଟିକର୍ତ୍ତା ସ୍ବୟଂ ବ୍ରହ୍ମା ସେଠାରେ ପହଞ୍ଚି ପାର୍ବତୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଏବଂ ସୃଷ୍ଟିକୁ ଧ୍ବଂସ ନକରିବା ପାଇଁ ନିବେଦନ କଲେ । ଶାନ୍ତ ହେବାପାଇଁ ପାର୍ବତୀ, ବ୍ରହ୍ମାଙ୍କ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଲେ । ପ୍ରଥମ ସର୍ତ୍ତଟି ହେଲା ଗଣେଶଙ୍କୁ ଜୀବନ ପ୍ରଦାନ କରାଯିବ । ଏବଂ ଦ୍ବିତୀୟ ସର୍ତ୍ତଟି ହେଲା ଗଣେଷ ଅଗ୍ରପୂଜ୍ୟ ହେବେ ।

ବ୍ରହ୍ମା ଏଥିରେ ରାଜି ହେଲେ । ଶିବ ତାଙ୍କ ଦୂତମାନଙ୍କୁ ପ୍ରେରଣ କଲେ ଏବଂ ନିର୍ଦ୍ଦେଶ ଦେଲେ ଯେଉଁ ପ୍ରଥମ ପ୍ରାଣୀଙ୍କୁ ସେମାନେ ଦେଖିବେ ଯେକି ଉତ୍ତର ଦିଗକୁ ମୁଣ୍ଡ କରି ଶୟନ କରିଥିବ, ତା’ର ଶିର ଛେଦନ କରି ନେଇ ଆସିବେ ।

ଶିବଦୂତମାନେ ଖୋଜି ଖୋଜି ଶେଷରେ ଏକ ହାତୀର ମୁଣ୍ଡ ନେଇ ଫେରିଲେ । ବ୍ରହ୍ମା ମୃତ ଗଣେଶଙ୍କ ଦେହରେ ହାତୀମୁଣ୍ଡଟିକୁ ଖଞ୍ଜି ଜୀବନ୍ୟାସ ପ୍ରଦାନ କଲେ । କେବଳ ସେତିକି ନୁହେଁ ଶ୍ରୀଗଣେଶ ଅଗ୍ରପୂଜ୍ୟ ହେବେ ବୋଲି ଘୋଷଣା କଲେ ।

ଅନ୍ୟ ପକ୍ଷରେ ବ୍ରହ୍ମ ବୈବର୍ତ୍ତ ପୁରାଣରେ ଶ୍ରୀଗଣେଶଙ୍କ ଜନ୍ମ ଏବଂ ସେ ଗଜାନନ ହେବା ସମ୍ପର୍କରେ ଭିନ୍ନ ଏକ ତଥ୍ୟ ପ୍ରଦାନ କରାଯାଇଛି । ଏହି ପୁରାଣ ଅନୁସାରେ ସନ୍ତାନ ଲାଭ ପାଇଁ ଉଭୟ ଶିବ ଏବଂ ପାର୍ବତୀ ପୁଣ୍ୟକ ବ୍ରତ ଅବଲମ୍ବନ କଲେ । ଏହି ବ୍ରତରେ ବିଷ୍ଣୁଙ୍କୁ ଆରାଧନା କରାଯାଇଥାଏ । ବ୍ରତ ସରିବା ପରେ ବିଷ୍ଣୁ ଆବିର୍ଭାବ ହୋଇ ନିଜେ ପାର୍ବତୀଙ୍କ ଗର୍ଭରୁ ପ୍ରତି କଳ୍ପରେ ଜନ୍ମ ହେବେ ବୋଲି ବର ପ୍ରଦାନ କଲେ । ସେହି ଅନୁସାରେ ପାର୍ବତୀଙ୍କ ଗର୍ଭରୁ ଶ୍ରୀଗଣେଶ ରୂପରେ ବିଷ୍ଣୁ ଜନ୍ମ ନେଲେ ।

ଶ୍ରୀଗଣେଶ ଅତ୍ୟନ୍ତ ଅକର୍ଷଣୀୟ ଥିଲେ । ତାଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ଶିବ ପାର୍ବତୀ ସବୁ ଦେବାଦେବୀଙ୍କୁ ଆମନ୍ତ୍ରଣ କରିଥିଲେ । ସମସ୍ତ ଦେବତା ଆସି ନବଜାତ ଗଣେଶଙ୍କୁ ଅଶୀର୍ବାଦ କଲେ । କିନ୍ତୁ ଶନିଦେବ ଅଶୀର୍ବାଦ ଦେବାକୁ ନଯାଇ ପଛରେ ରହିଲେ । ଏକଥା ଦେଖିପାରି ପାର୍ବତୀ ଶନିଦେବଙ୍କୁ ଅନୁରୋଧ କଲେ ତାଙ୍କ ସନ୍ତାନକୁ ଦେଖି ଆଶୀର୍ବାଦ କରିବାପାଇଁ । ବାଳକକୁ ଦେଖିଲେ ଅନିଷ୍ଠ ଘଟିବ ବୋଲି ଶନିଦେବ କହିବା ସତ୍ତ୍ବେ ପାର୍ବତୀ ଶୁଣି ନଥିଲେ । ଫଳରେ ନବଜାତ ଶ୍ରୀଗଣେଶଙ୍କୁ ଶନିଦେବ ଦେଖିଥିଲେ । ଶ୍ରୀଗଣେଶଙ୍କ ଉପରେ ଶନିଦେବଙ୍କ ଦୃଷ୍ଟି ପଡ଼ିବା ମାତ୍ରେ ଶ୍ରୀଗଣେଶଙ୍କ ମୁଣ୍ଡ ଉଡ଼ିଗଲା । ଏଥିରେ ସମସ୍ତେ ଅଶ୍ଚର୍ଯ୍ୟ ହେବା ସହିତ ପାର୍ବତୀ ଅଧୀର ହୋଇପଡ଼ିଲେ । ଶିବ ଓ ପାର୍ବତୀଙ୍କ ଦୁଃଖ ଦେଖି ଗୋଲକ ବିହାରୀ ବିଷ୍ଣୁ ନିଜ ବାହନ ଗରୁଡ଼ଙ୍କୁ ସ୍ମରଣ କଲେ । ଗରୁଡ଼ ପିଠିରେ ବସି ଗୋଲକ ବିହାରୀ ବୁଲିବୁଲି ଶେଷରେ ପୁଣ୍ୟତୋୟା ପୁଷ୍ପଭଦ୍ରା ନଦୀକୂଳରେ ଶୋଇଥିବା ଏକ ପିଲା ହାତୀର ମୁଣ୍ଡ ଧରି ଫେରିଲେ ଏବଂ ଗଣେଶଙ୍କ ଦେହରେ ଏହାକୁ ଖଞ୍ଜି ଜୀବନ୍ୟାସ ପ୍ରଦାନ କଲେ ।

ଗଣେଶଙ୍କ ଜନ୍ମ ସମ୍ପର୍କରେ ପୁରାଣରେ ଆଉ ଏକ ରୋଚକ କାହାଣୀ ରହିଛି । କାହାଣୀଟି ହେଉଛି ଏହିପରି- ଏକଦା ଗଜାସୁର ନାମରେ ଏକ ଅସୁର ଥିଲା । ସେ ଭଗବାନ ଶିବଙ୍କ ବଡ଼ ଭକ୍ତ ଥିଲା । ଶିବଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ ଅଘୋର ତପସ୍ୟାରେ ନିମଗ୍ନ ହେଲା । ଶିବ ସନ୍ତୁଷ୍ଟ ହୋଇ ତାକୁ ବର ମାଗିବାକୁ କହିଲେ । ଗଜାସୁର କହିଲା ତା’ର ଏମିତି ଏକ ବର ଦରକାର ଯାହା ଫଳରେ ତା’ଦେହରୁ ଖାଲି ଅଗ୍ନି ନିର୍ଗତ ହେବ ଏବଂ କେହି ତା’ପାଖକୁ ଆସିପାରିବେ ନାହିଁ । ଗଜାସୁରକୁ ଶିବ ଏହି ବର ପ୍ରଦାନ କରି ଅନ୍ତ ର୍ଧ୍ୟାନ ହୋଇଗଲେ । କିନ୍ତୁ ଗଜାସୁର ତା’ର ତପସ୍ୟା ଭଙ୍ଗ କଲାନାହିଁ । ବରଂ ତପସ୍ୟା ଆହୁରି ଉଗ୍ର କଲା । ଶିବ ପୁଣି ଆବିର୍ଭାବ ହୋଇ ଗଜାସୁରକୁ ପଚାରିଲେ “ଏବେ ତୁମର କ’ଣ ଦରକାର ?” ଗଜାସୁର କହିଲା ମୋ ପେଟ ଭିତରେ ଆପଣ ବାସ କରନ୍ତୁ । ଶିବ ତଥାସ୍ତୁ କଲେ ଏବଂ ଗଜାସୁରର ପେଟ ଭିତରକୁ ଚାଲିଗଲେ ।

ଶିବଙ୍କୁ ନପାଇ ପାର୍ବତୀ ଅଥୟ ହୋଇପଡ଼ିଲେ । ଶିବଙ୍କୁ ଖୋଜିବା ପାଇଁ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ ଅନ୍ତର୍ଯ୍ୟାମୀ । ସେ ଜାଣିପାରିଲେ ଗଜାସୁରର ପେଟ ମଧ୍ୟରେ ଶିବ ରହିଛନ୍ତି । ଗଜାସୁର ପେଟରୁ ଶିବଙ୍କୁ ଉଦ୍ଧାର କରିବା ପାଇଁ ସେ ଏକ ନାଟକ ରଚ଼ନା କଲେ । ନାଟକ ଅନୁସାରେ ଗଜାସୁର ସମ୍ମୁଖରେ ସାଧାରଣ ନାଗରିକ ଭଳି ବଂଶୀବାଦନ କଲେ ଏବଂ ଶିବଙ୍କ ବାହନ ବୃଷଭ ନନ୍ଦୀ ନୃତ୍ୟ ପରିବେଷଣ କଲେ । ବଂଶୀବାଦନ ଏବଂ ନୃତ୍ୟରେ ଗଜାସୁର ବିଭୋର ହୋଇ ନାଗରିକ ରୂପୀ ବିଷ୍ଣୁଙ୍କୁ ବର ମାଗିବାକୁ କହିଲେ । ବିଷ୍ଣୁ କହିଲେ ପେଟ ଭିତରେ ଥିବା ଶିବଙ୍କୁ ମୁକ୍ତ କରିବାପାଇଁ । ଗଜାସୁର ବୁଝି ପାରିଲା ଏଭଳି ବର କେବଳ ବିଷ୍ଣୁ ହିଁ ମାଗି ପାରିବେ । ତେଣୁ ସେ ଶିବଙ୍କୁ ମୁକ୍ତି କଲା କିନ୍ତୁ ବିଷ୍ଣୁଙ୍କଠାରୁ ମଧ୍ୟ ଏକ ବର ନିଜପାଇଁ ମାଗିନେଲା । ତାହା ହେଉଛ ତା’ର ମୁଖମଣ୍ଡଳ ସର୍ବଦା ଜଗତରେ ରହିବ ଏବଂ ତା’ର ଚର୍ମକୁ ପୋଷାକ ଆକାରରେ ଶିବ ପରିଧାନ କରିବେ । ତାହାହିଁ ହେଲା ଗଣେଶଙ୍କ ମୁଣ୍ଡ କଟିଯିବା ପରେ ଗଜାସୁର ମୁଣ୍ଡ ତାଙ୍କଠି ଯୋଡ଼ି ଦିଆଗଲା ଏବଂ ଶିବ ସର୍ବଦା ଗଜାସୁରର ଚର୍ମକୁ ପରିଧାନ କରି ରହିଛନ୍ତି ।