କୁମାର ମଙ୍ଗଳମ ବିରଲାଙ୍କ ଜେଜେ ବି.କେ.ବିରଳାଙ୍କ ପରଲୋକ, ୧୫ ବର୍ଷ ବୟସରେ ଆରମ୍ଭ କରିଥିଲେ ବ୍ୟବସାୟ
3/07/2019 at 8:13 PM

ମୁମ୍ବାଇ: ଜଣାସୁଣା ଉଦ୍ୟୋଗପତି କୁମାର ମଙ୍ଗଳମ ବିରଳାଙ୍କ ଜେଜେ ବାପା ବସନ୍ତ କୁମାର ବିରଳାଙ୍କର ବୁଧବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ସେ ବିରଳା ସେଞ୍ଚୁରୀ ଟେକ୍ସଟାଇଲ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ ଥିଲେ। ସେ ୧୫ ବର୍ଷ ବୟସରୁ ବ୍ୟବସାୟରେ ପଦାର୍ପଣ କରିଥିଲେ। ସେ କେଶୋରାମ ଇଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ ଭାବେ ତାଙ୍କର ବ୍ୟବସାୟୀକ ଜୀବନ ଆରମ୍ଭ କରିଥିଲେ।
ଘନଶ୍ୟାମ ଦାସ ବିରଳାଙ୍କର କନିଷ୍ଠ ପୁତ୍ର ଥିଲେ ବସନ୍ତ। ୧୯୪୧ ମସିହାରେ ବସନ୍ତଙ୍କ ବିବାହ ଶରଳାଙ୍କ ସହ ହୋଇଥିଲା। ପ୍ରସିଦ୍ଧ ସମାଜ ସେବୀ ତଥା ଲେଖକ ବ୍ରିଜଲାଲ ବିୟାନୀଙ୍କ କନ୍ୟା ଥିଲେ ଶରଳା। ସେମାନଙ୍କର ଆଦିତ୍ୟ ବିରଳା, ଜୟଶ୍ରୀ ବିରଳା ଓ ମଞ୍ଜୁଶ୍ରୀ ବିରଳା ନାମରେ ୩ ଜଣ ସନ୍ତାନ ଥିଲେ। ଆଦିତ୍ୟ ବିରଳାଙ୍କର ୧୯୯୫ ମସିହାରେ ପରଲୋକ ହୋଇଥିବା ବେଳେ ତାଙ୍କ ପୁତ୍ର କୁମାର ମଙ୍ଗଳମ ବିରଳା ଏବେ ସମସ୍ତ କାରବାରର ମଙ୍ଗ ଧରିଛନ୍ତି।
ବି.କେ. ବିରଳା ୯୦ ବର୍ଷ ବୟସରେ କର୍ମମୟ ଜୀବନରୁ ଅବସର ନେବାକୁ ଚାହୁଁଥିଲେ ଓ ତାଙ୍କର ନାତି କୁମାର ମଙ୍ଗଳମ ବିରଳାଙ୍କୁ ସମସ୍ତ କାରବାରର ଦାୟିତ୍ୱରେ ରଖିଥିଲେ। ତେବେ କୁମାର ମଙ୍ଗଳମ ଶେଷ ପର୍ଯ୍ୟନ୍ତ ତାଙ୍କ ଜେଜେଙ୍କୁ ତମାମ କାରବାରର ମୁଖ୍ୟ କରିରଖିଥିଲେ। ଗୁରୁବାର ବିରଳାଙ୍କ ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ। ତାଙ୍କ ପାର୍ଥିବ ଶରୀରକୁ କୋଲକାତା ସ୍ଥିତ ବିରଳା ପାର୍କକୁ ନିଆଯାଇ ସେଠାରେ ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।