ବିର୍ଜୁ ମହାରାଜଙ୍କ ସରକାରୀ କ୍ୱାର୍ଟର ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ ଉପରେ କୋର୍ଟଙ୍କ ରହିତାଦେଶ

Published By : Prameya-News7 Bureau | December 31, 2020 IST

ନୂଆଦିଲ୍ଲୀ ୩୧।୧୨: ପ୍ରଖ୍ୟାତ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କ ନୂଆଦିଲ୍ଲୀସ୍ଥିତି ସରକାରୀ ଆବାସ ଖାଲି କରିବାକୁ ପ୍ରଶାସନ ନୋଟିସ ଜାରି କରିଛନ୍ତି। ଡିସେମ୍ବର ୩୧ ତାରିଖ ସୁଧା ଘର ଖାଲିକରିବାକୁ ପ୍ରଶାସନର ନିର୍ଦ୍ଦେଶ ଥିବା ବେଳେ ଏହା ବିରୋଧରେ ବିର୍ଜୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ବିଭୂ ବାଖରାଙ୍କ ଅବକାଶକାଳୀନ ପୀଠ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରଶାସନର ନୋଟିସ୍‌ ଉପରେ ରହିତାଦେଶ ଜାରି କରିଛନ୍ତି।

ଅକ୍ଟୋବର ୨୦୨୦ରେ ପ୍ରଶାସନ ବିର୍ଜୁ ମହାରାଜଙ୍କୁ ସରକାରୀ କ୍ୱାର୍ଟର ଖାଲି କରିବାକୁ ନୋଟିସ୍‌ ଜାରି କରିଥିଲେ। ଏଥିରେ ତାଙ୍କ ଆଲଟ୍‌ମେଣ୍ଟ ରଦ୍ଦ ହୋଇଥିବା ତାଙ୍କୁ ସୂଚିତ କରାଯାଇଥିଲା। ତେବେ ବିର୍ଜୁ ମହାରାଜ ପ୍ରଶାସନର ଆଲଟମେଣ୍ଟ ରଦ୍ଦ ନିଷ୍ପତ୍ତିକୁ ଚାଲେଞ୍ଜ କରିଥିବା ବେଳେ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି।

ବିର୍ଜୁ ମହାରାଜଙ୍କ ମାମଲାର ଆଗାମୀ ଶୁଣାଣି ୨୨ ଜାନୁୟାରୀ ୨୦୨୧କୁ ସ୍ଥିରିକୃତ ହୋଇଛି। ରୋଷ୍ଟର ପୀଠ ମାମଲାର ଶୁଣାଣି କରିବେ। ତେବେ ପୂର୍ବରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ମୋହିନୀ ଆଟ୍ଟମ କଳାକାର ଭାରତୀ ଶିବାଜୀଙ୍କର ସମାନ ପ୍ରକାର ମାମଲା କୋର୍ଟରେ ଲମ୍ବିତ ରହିଛି। ତାଙ୍କୁ ମଧ୍ୟ ସରକାରୀ କ୍ୱାର୍ଟର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.