ସୁନ୍ଦରଗଡ ୬।୧: ସୁନ୍ଦରଗଡ ଫେରିଲେ ବିର୍ଜୁ କୁଲୁ । ବିର୍ଜୁଙ୍କୁ ତାଳଚେରରୁ ଉଦ୍ଧାର କରାଯାଇ କୁତ୍ରା ଥାନାରେ ରଖାଯାଇଛି । ଏହାପରେ ବିର୍ଜୁଙ୍କୁ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ । ମଙ୍ଗଳବାର ଦିନ ସୁନ୍ଦରଗଡ଼ରୁ ଏକ ପୋଲିସ ଟିମ୍ ତାଳଚେର ଯାଇ ବିର୍ଜୁ କୁଲୁଙ୍କୁ ଆଣି ବୁଧବାର କୁତ୍ରାରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୨୦ ବର୍ଷ ପରେ ପାକିସ୍ତାନରୁ ଫେରିଥିବା ବିର୍ଜୁ କୁଲୁ ରବିବାର ଦିନ ପୁଣି ନିଖୋଜ ହୋଇଯାଇଥିଲେ । ରବିବାର ରାତି ୧ଟାରେ ସେ କୁଆଡ଼େ ଚାଲିଯାଇଥିବା ପରିବାର ଲୋକେ କହିଥିଲେ । ବିର୍ଜୁ କୁଲୁ ନିଖୋଜ ପରେ ତାଙ୍କ ଭଉଣୀ ଥାନାରେ ଏତଲା ଦେଇଥିଲେ ।
ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଜେଲରେ ଦିନ କାଟିଥିବା ବିର୍ଜୁ ଜନ୍ମମାଟିକୁ ଫେରିଥିଲେ। ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲରୁ ସେ ମୁକୁଳିଥିଲେ । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ନଭେମ୍ବର ୧୩ ତାରିଖରେ ବିର୍ଜୁ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧିନ ଜଙ୍ଗରପଡା ଗାଁରେ ପାଦ ଥାପିଥିଲେ । ଜନ୍ମମାଟିକୁ ଫେରିବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବିର୍ଜୁ କୁଲୁ ପୁଣି ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ନିଖୋଜର ୨ ଦିନ ପରେ ବିର୍ଜୁକୁ ଉଦ୍ଧାର କରାଯାଇଛି ।