୨୦୨୦ରେ ସବୁଠୁ ଅଧିକ ଅର୍ଡର ହୋଇଛି ବିରିୟାନୀ, ସର୍ବାଧିକ ୪.୬ କୋଟି ଟଙ୍କା ଟିପ୍ସ ଦେଇଛନ୍ତି ମାୟାନଗରୀ ବାସିନ୍ଦା
31/12/2020 at 4:35 PM

ନୂଆଦିଲ୍ଳୀ ୩୧/୧୨: ୨୦୨୦ରେ ବିରିୟାନୀ ରେକର୍ଡ। କରୋନା କାଳରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ସାଉଁଟିଛି ବିରିୟାନୀ। ସବୁଠୁ ଅଧିକ ଅର୍ଡର କରାଯାଇଥିବା ଖାଦ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି ବିରିୟାନୀ। ପ୍ରତି ମିନିଟ୍ରେ ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ‘ଜୋମାଟୋ’ ୨୨ ବିରିୟାନୀ ଡେଲିଭର କରିଛି। କେବଳ ଯେ ଚିକେନ୍ କିମ୍ବା ମଟନ୍ ବିରିୟାନୀ ଚାହିଦା ବଢ଼ିଛି ତାହା ନୁହେଁ ୨୦୨୦ରେ ଦେଶରେ ପାଖାପଖି ୧୯.୮ ଲକ୍ଷ ଭେଜିଟେବଲ୍ ବିରିୟାନୀ ଅର୍ଡର କରାଯାଇଥିବା ‘ଜୋମାଟୋ ’ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ପିଜାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଜୁନ୍ ୨୦୨୦ ବେଳକୁ ‘ଜୋମାଟୋ’ ୪.୫ ପିଜା ଅର୍ଡର ପାଇଥିବା ବେଳେ ନଭେମ୍ବର ବେଳେକୁ ଅର୍ଡର ସଂଖ୍ୟା ୧୭ ଲକ୍ଷରେ ପହଞ୍ଚିଥିଲା। ଏହାସହ କେବଳ ଦିଲ୍ଲୀ, ମୁମ୍ବାଇ, ପୁନେ ଓ ବେଙ୍ଗାଲୁରୁରେ ମୋମୋସ୍ ପାଇଁ ୨୫ ଲକ୍ଷ ଅର୍ଡର କେବଳ ଜୋମାଟୋକୁ ମିଳିଥିଲା।
ଜୋମାଟୋ ପକ୍ଷରୁ ମିଳିଥିବା ଡାଟା ଅନୁସାରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ୟଶ ୨୦୨୦ରେ ୧୩୮୦ ଅର୍ଡର କରିଥିଲେ। ଏହାର ଅର୍ଥ ପ୍ରତିଦିନ ୪ଟି ଅର୍ଡର କରୁଥିଲେ। ଚଳିତ ବର୍ଷ ସବୁଠୁ ବଡ ଅର୍ଡର ୧,୯୯,୯୫୦ ଟଙ୍କାର ହୋଇଥିବା ବେଳେ ସବୁଠୁ କମ୍ ଥିଲା ୧୦ ଟଙ୍କା। ଅନ୍ୟପଟେ ଦୀପାବଳି ସମୟରେ ସବୁଠୁ ଲୋକପ୍ରିୟ ଡେଜର୍ଟ ମଧ୍ୟରେ ଲୋକେ ଗୋଲାପ ଜାମୁନକୁ ପସନ୍ଦ କରିଥିଲେ। ଏହି ସମୟରେ ଏକ ଲକ୍ଷ ଗୋଲାପ ଜାମୁନ ଅର୍ଡର କେବଳ ଜୋମାଟୋକୁ ମିଳିଥିଲା। ସେହିଭଳି ଅର୍ଡର କରିବା ମାମଲାରେ ଦାର୍ଜିଲିଂ ସମସ୍ତ ମେଟ୍ରୋ ସହରକୁ ପଛରେ ପକାଇଛି। ଏହି ସମହରରେ ହୋଇଥିବା ପ୍ରତି ଅର୍ଡର ୫୦୦ ଟଙ୍କା ଉପରେ ଥିଲା।
ମୁମ୍ବାଇ ସହରର ଲୋକେ ଜୋମାଟୋ ଡେଲିଭରି ବୟଙ୍କୁ ୨୦୨୦ରେ ଅଧିକ ଟିପ୍ସ ଦେଇଛନ୍ତି। କେବଳ ମୁମ୍ବାଇ ଡେଲିଭରି ସହଯୋଗୀ ୪.୬ କୋଟି ଟିପ୍ସ ପାଇଥିବା ଜୋମାଟୋର ଅଧିକାରୀ ସୂଚନା ଦେଇଛନ୍ତି। ମୁମ୍ବାଇ ପରେ ପରେ ଗୋଆର ଲୋକେ ଟିପ୍ସ ଅଧିକ ଦେଇଛନ୍ତି।