Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଭାରତୀୟ ହକି ଟିମରୁ ଅବସର ଘୋଷଣା କଲେ ଓଡିଆ ପୁଅ ବିରେନ୍ଦ୍ର ଲାକ୍ରା, ଟ୍ବିଟ୍‌ କରି ହକି ଇଣ୍ଡିଆର ସୂଚନା

30/09/2021 at 3:42 PM

ନୂଆଦିଲ୍ଲୀ ୩୦/୦୯ : ହକିକୁ ଅଲବିଦା କଲେ ଭାରତୀୟ ପୁରୁଷ ହକି ଟିମର ଷ୍ଟାର ଡିପେଣ୍ଡର ତଥା ଓଡିଆ ପୁଅ ବିରେନ୍ଦ୍ର ଲାକ୍ରା । ଟ୍ବିଟ୍‌ କରି ଏ ନେଇ ସୂଚନା ଦେଇଛି ହକି ଇଣ୍ଡିଆ । ଟୋକିଓ ଅଲିମ୍ପିକ ଟିମର ସଦସ୍ୟ ତଥା ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଆଜି ବିଧିବଦ୍ଧ ଭାବେ ଭାରତୀୟ ଜାତୀୟ ହକି ଟିମରୁ ଅବସର ଘୋଷଣା କରିଛନ୍ତି ।

ଅବସର ନେବା ପରେ ବିରେନ୍ଦ୍ର ଲାକ୍ରା ସାମାଜିକ ଗଣମାଧ୍ୟମରେ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ଗତ କିଛି ସପ୍ତାହ ହେଲା ଭାରତୀୟ ହକିରେ ମୋର ଯାତ୍ରାକୁ ନେଇ ଅନୁଶୀଳନ କରୁଥିଲି । ଦେଶ ପାଇଁ ପ୍ରତିନିଧିତ୍ବ କରିବା ମୋତେ ଖୁବ ଆନନ୍ଦ ଦେଇଛି ଯାହାକି ଅନ୍ୟ କୌଣସିଟିରେ ନାହିଁ । ଭାରତୀୟ ଜର୍ସି ପିନ୍ଧିବା ପରେ ନିଜକୁ ଗର୍ବିତ ଲାଗେ । କିନ୍ତୁ ବର୍ତ୍ତମାନ ଏଥିରୁ ଅବସର ନେଇ ପରବର୍ତ୍ତୀ ପିଢି ପାଇଁ ସୁଯୋଗ ଛାଡିବାର ଅଛି । ୨୦୧ କ୍ୟାପ୍‌ ଏବଂ ୧୧ ବର୍ଷର କ୍ୟାରିୟର ପରେ ଏବେ ଭାରତୀୟ ହକି ଟିମରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଅଲିମ୍ପିକ ପାଇଁ ମୋର ଟିମମେଟ୍‌ ମାନେ ଖୁବ ପରିଶ୍ର କରି ସଫଳତା ଆଣିଦେବେ ବୋଲି ଆଶା କରୁଛି ।’

ଲାକ୍ରା କହିଛନ୍ତି, ‘ମୁଁ ଅନେକ ସଫଳତା ହାସଲ କରିଛି । ଖାସ କରି ଅଲିମ୍ପିକ ବ୍ରୋଞ୍ଜ ପଦକ ଜିତିବା ସବୁଠାରୁ ଭଲ ଅନୁଭବ ଥିଲା । କିନ୍ତୁ ବର୍ତ୍ତମାନ ଜାତୀୟ ଟିମକୁ ଅଳବିଦା କହିବାର ସମୟ ଆସିଛି ଏବଂ ନୂଆ ପିଢିଙ୍କୁ ଆଗକୁ ବଢିବାର ସମୟ ଆସିଛି । ଖେଳ ମୋତେ ବହୁତ କିଛି ଦେଇଛି ଏବଂ ମୁଁ ମଧ୍ୟ ସେହିଭଳି କ୍ରୀଡାକୁ କିଛି ନା କିଛି ସର୍ବଦା ଦେବାକୁ ଚେଷ୍ଟା କରିବି । ହକି ଇଣ୍ଡିଆ ମୋ କ୍ୟାରିୟର ଗଢିବା ପାଇଁ ଯେଉଁ ଭୂମିକା ଗ୍ରହଣ କରିଛି ତାହା ପ୍ରକୃତରେ ସ୍ମରଣୀୟ ହୋଇ ରହିବ । ସାଥୀ ଖେଳାଳି ଏବଂ ଟିମ ସଦସ୍ୟଙ୍କ ସମର୍ଥନ ଏବଂ ପ୍ରେରଣା ମୋତେ ସଫଳତା ଦେଇଛି । ଏପରିକି ଯେତେବେଳେ ଆହତ ସମସ୍ୟା ଦେଇ ଗତି କରିବା ସହ ଟିମ ସହିତ ରହିବା ନେଇ ସଂଘର୍ଷ କରୁଥିଲି ସେତେବେଳେ ମୋତେ ଖୁବ ସମର୍ଥନ ମିଳିଥିଲା । ମୁଁ ସମସ୍ତ କୋଚ୍‌ଙ୍କୁ ଧନ୍ୟବାଦ ଜଣାଉଛି । କାରଣ ସେମାନେ ସମସ୍ତେ ମୋତେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛନ୍ତି ଯାହାକି ସବୁବେଳେ ସ୍ମରଣୀୟ ହୋଇ ରହିବ ।

ଭାବପୂର୍ଣ୍ଣ ପୋଷ୍ଟରେ ବିରେନ୍ଦ୍ର ଲାକ୍ରା ଲେଖିଛନ୍ତି, ‘ପରିବାର ଲୋକେ ଏବଂ ବନ୍ଧୁମାନେ ପ୍ରତ୍ୟେକ କଠିନ ସମୟରେ ମୋତେ ସମର୍ଥନ କରିଛନ୍ତି ଏବଂ ମୁଁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ଏବେ ଯେହେତୁ ମୁଁ ଏକ ନୂଆ ପଥ ଅନୁସରଣ କରିବାକୁ ଯାଉଥିବାରୁ, ମୋର ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ସମର୍ଥନ ଆଶା କରୁଛି । ଆଶା କରୁଛି ମୋତେ ଆପଣମାନଙ୍କ ହୃଦୟରେ ସବୁଦିନ ପାଇଁ ରଖିବେ, ମୁଁ ମଧ୍ୟ ଆପଣମାନଙ୍କୁ ମନେ ରଖିବି । ଧନ୍ୟବାଦ.. ।’

ଓଡିଶା ହକିର ପ୍ରୟୋଗଶାଳା କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲା ଲାଚ୍ଛଡା ଗାଁରେ ୧୯୯୦ ମସିହା ଫେବୃଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିରେନ୍ଦ୍ର ଲାକ୍ରା । ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବି ହକି ପ୍ରତି ପିଲାବେଳୁ ହିଁ ତାଙ୍କର ଦୁର୍ବଳତା ଥିଲା । ୨୦୧୨ ମସିହାରେ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଭାରତୀୟ ଯକି ଟିମକୁ ପ୍ରତିନିଧିତ୍ବ କରିଥିଲେ ବିରେନ୍ଦ୍ର । ଭାରତୀୟ ଟିମରୁ ସେମିଫାଇନାଲ ଯାଏଁ ନେବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଏହାପରେ ସେ ଆଉ ପଛକୁ ଫେରିନଥିଲେ । ୨୦୧୪ ଗ୍ଲାସ୍‌ଗୋ କମନଓ୍ବେଲଥ୍ ଗେମ୍‌ରେ ଭାରତୀୟ ଟିମ ସିଲଭର ମେଡାଲ ଜିତିଥିଲା ଯେଉଁଥିରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଲାକ୍ରା । ଏହାପରେ ଓ୍ବାର୍ଲ୍ଡ ଲିଗ ଟୁର୍ଣ୍ଣାମେଣ୍ଟରେ ୨୦୧୫ରେ ରାୟପୁର ଏବଂ ସେହିବର୍ଷ ଭୁବନେଶ୍ବରରେ ଭାରତୀୟ ଟିମ ଜିତିଥିଲା ବ୍ରୋଞ୍ଜ ମେଡାଲ । ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି​‌ରେ କୁଆନଟାନ୍‌ ୨୦୧୫ରେ ଭାରତୀୟ ଦଳ ଗୋଲ୍ଡ ପଦକ ଏବଂ ଦୋହା ୨୦୧୨ ସିଲଭର କପ୍‌ ଜିତିଥିଲା । ଏଥିରେ ସଦସ୍ୟ ଥିଲେ ବିରେନ୍ଦ୍ର ଲାକ୍ରା । ୨୦୧୮ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳ ସିଲଭର ମେଡାଲ ଜିତିଥିଲା । ଏହା ସହିତ ଏସିଆ କପ ୨୦୧୩ରେ ଭାରତୀୟ ସିଲଭର ମେଡାଲ ବିଜୟୀ ଟିମର ସଦସ୍ୟ, ୨୦୧୪ ଏସିଆନ ଗେମ୍ସରେ ଗୋଲ୍ଡ, ୨୦୧୮ ଜାକର୍ତାରେ ବ୍ରୋଞ୍ଜ ପଦକ ଜିତିଥିବା ଟିମ ଇଣ୍ଡିଆର ସଦସ୍ୟ ଥିଲେ ବିରେନ୍ଦ୍ର ଲାକ୍ରା । ତାଙ୍କ ଜୀବନର ସବୁଠାରୁ ବଡ ଉପଲବ୍ଧି ହେଉଛି ୨୦୨୦ ଟୋକିଓ ଅଲିମ୍ପିକ । ଏଥିରେ ସେ ଉପ-ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ଭାରତ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲା ।

   Related Posts