Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ଫୋନି ପରେ ନନ୍ଦନକାନନରେ ଥିବା ୫୮ପ୍ରଜାତିର ପ୍ରାୟ ୧୫୦୦ରୁ ଅଧିକ ପକ୍ଷୀଙ୍କ କଷ୍ଟ ବଢିଯାଇଛି, ସୁରକ୍ଷା ପାଇଁ ଚାଲିଛି ଯୋଜନା

ବାରଙ୍ଗ ୧୬|୫ : ଅଳ୍ପ ସମୟ ଭିତରେ ବାତ୍ୟା ଫନି ସବୁ କିଛି ଖିନ୍‌ଭିନ୍‌ କରିଦେଲା । ନିମିଷକ ଭିତରେ ନଷ୍ଟ କରିଦେଲା ବର୍ଷ ବର୍ଷର ଉଦ୍ୟମକୁ । ଏବେ ନିଜର ପୂର୍ବ ସବୁଜିମାକୁ ହରାଇବସିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ କେମିତି ପକ୍ଷୀମାନଙ୍କ ଯତ୍ନ ନିଆଯାଉଛି, କେମିତି ସେମାନଙ୍କୁ ପ୍ରଚଣ୍ଡ ଖରା, ଗରମ ଦାଉରୁ ରକ୍ଷା କରିବାକୁ ଉପାୟ ଅବଲମ୍ବନ କରାଯାଉଛି ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।

ଗଛ ଥିଲା, ଖରାକୁ ଡର ନଥିଲା । ହେଲେ ଏ ଅମାନିଆ ଝଡ଼ବାତ୍ୟା ଫୋନି ସବୁ କିଛି ଖିନ୍‌ଭିନ୍‌ କରିଦେଇଛି । ଉଜାଡ଼ି ଦେଇଛି ସଜ ସବୁଜ ନନ୍ଦନକାନନର ସବୁଜିମାକୁ । ବଡ଼ ବଡ଼ ଗଛ ସବୁକୁ ଉପାଡ଼ି ଫୋପାଡ଼ି ଦେଇଛି । ଆଉ ଫୋନି ଦାଉରୁ ବଞ୍ଚିଯାଇଥିବା ଛୋଟ ଗଛ ସବୁ ଥୁଣ୍ଟା ଠିଆ ହୋଇ ମୌସୁମୀକୁ ଅପେକ୍ଷା କରିଛନ୍ତି ।

କେବେ ମୌସୁମୀ ଆସିବ ପୁଣି ସେମାନଙ୍କ ଥୁଣ୍ଟା ଡାଳରେ ସବୁତ୍ର ପତ୍ର କଅଁଳି ଉଠିବ । ଧୀରେ ଧୀରେ ପୁଣି ହରାଭରା ହୋଇ ଉଠିବ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଏହି ପ୍ରାଣୀ ଉଦ୍ୟାନ । ହେଲେ ଏଥି ପାଇଁ ଯେଉଁ ସମୟ ଲାଗିବ ସେଇ ବ୍ୟବଧାନ ଭିତରେ କେମିତି ଏଠାରେ ଥିବା ପଶୁପକ୍ଷୀଙ୍କୁ ସୁରକ୍ଷିତ ରଖାଯାଇପାରିବ ସେନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି ।

ବିଶେଷ କରି ପକ୍ଷୀମାନଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା କରାଯାଉଛି । ପ୍ରବଳ ଗ୍ରୀଷ୍ମରେ ଦିନକୁ ଦିନ ପାରଦ ଯେମିତି ଉପରମୁହାଁ ହେବାରେ ଲାଗିଛି ଏମିତିରେ ବିନା ଡାଳପତ୍ର ଭରା ଗଛ ଛାଇରେ ଛୋଟ ଛୋଟ ପକ୍ଷୀମାନଙ୍କୁ କେମିତି ବଞ୍ଚାଇ ରଖିହେବ ସେ ନେଇ ସବୁ ପ୍ରକାର ଚେଷ୍ଟା କରାଯାଉଛି ।

ଉଜୁଡ଼ା ପ୍ରାଣୀ ଉଦ୍ୟାନକୁ ପୁଣି ଥରେ ସଜାଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଛି । ଫୋନିର ତାଣ୍ଡବ ପରେ କିଭଳି ଗ୍ରୀଷ୍ମ ଦାଉରୁ ନନ୍ଦନକାନନର ପଶୁପକ୍ଷୀଙ୍କୁ ସୁରକ୍ଷା ଦିଆଯାଇପାରିବ ସେନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ନନ୍ଦନକାନନରେ ୫୮ ପ୍ରଜାତିର ପ୍ରାୟ ୧୫୦୦ରୁ ଅଧିକ ପକ୍ଷୀ ଅଛନ୍ତି । ଯେଉଁମାନଙ୍କୁ ଦେଖିବାର, ସେମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ । ଏଭଳି ଅବସ୍ଥାରେ ଏହି ବିରଳ ପ୍ରଜାତିର ପକ୍ଷୀମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ ସେ ନେଇ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରାଯାଇ ଛୋଟ ଛୋଟ ଡକ୍‌ ପ୍ରସ୍ତୁତ କରିବା ହେଉ କି ପାଣି ସିଞ୍ଚନ ଜରିଆରେ ପକ୍ଷୀମାନଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରଭାବରୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି ।

96 Views

   ସମ୍ବନ୍ଧିତ ଖବର