୨୦ମୃତ ବିଦେଶୀ ପକ୍ଷୀ ସହ ବାଇକ ଜବତ: ଶିକାରୀ ଗିରଫ

Published By : Prameya-News7 Bureau | November 11, 2018 IST

ଖୋର୍ଦ୍ଧା ୧୧/୧୧: ଚିଲିକାରେ ଚାଲିଛି ପକ୍ଷୀ ଶିକାର , ଗୋଟେ ନୁହେଁ କି ଦୁଇଟା ନୁହେଁ ଏକା ବେଳେ ୨୦ ମୃତ ବିଦେଶୀ ପକ୍ଷୀ ସହ ବାଇକ ଜବତ  ହୋଇଛି। ୨ ପକ୍ଷୀ ଶିକାରୀକୁ  ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଚିଲିକା କୂଳ ଅଭିମାନପୁର ଜେଟି ନିକଟରୁ ୨ ଜଣ ପକ୍ଷୀ ଶିକାରୀ ଚିଲିକାର ଅତିଥି   ବିଦେଶୀ ପକ୍ଷୀଙ୍କୁ ଜାଲ କିମ୍ବା ଫାଶରେ ପକ୍ଷୀ ଶିକାର କରି ବାଇକ ଯୋଗେ ବିକ୍ରୀ କରିବା ପାଇଁ ନେଇ ଯାଉଥିବା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଟିମ ଦ୍ଵାରା ଧରାପଡିଛି । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ର ନୀଳ ଜଳ-ରାଶି ଏବେ ଦେଶୀ-ବିଦେଶୀ ପକ୍ଷୀଙ୍କ କଳରବ ଶବ୍ଦରେ ମୁଖରିତ ହେଉଛି । ପକ୍ଷୀଙ୍କ ଆଗମନ  ହୋଇ ସାରିଲାଣି , ଶୀତର ମାତ୍ରା ମଧ୍ୟ ଧିରେ-ଧିରେ ବଢିବାରେ ଲାଗିଲାଣି  । ଲକ୍ଷାଧିକ ବିଦେଶାଗତ ପକ୍ଷୀ ଚିଲିକାର ଅତିଥି ସାଜି ଏବେ-ଏବେ ପାଦ ଥାପିଛନ୍ତି । ମାଇଲ-ମାଇଲ ରାସ୍ତା  ଅତିକ୍ରମ କରି ଚିଲିକାକୁ ଆସୁଥିବା ଏହି ରଙ୍ଗ-ବେରଙ୍ଗ ର ପକ୍ଷୀଙ୍କ କଳରବ ସାଙ୍ଗକୁ ଜଳକ୍ରୀଡା ଏବଂ ନୀଳାମ୍ବୁ ଚିଲିକାର ମନରୋମ ଦୃଶ୍ୟକୁ ଉପଭୋଗ କରିବାପାଇଁ ପର୍ଯ୍ୟଟକମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀ ବିଭାଗ ଯଦି ଏତେ ସଜାଗ ଅଛନ୍ତି  ,  ତେବେ ଚିଲିକାରେ ପକ୍ଷୀ ଶିକାର ହେଉଛି କିପରି  ? ଚିଲିକାରେ ଏହି  ବିଦେଶୀ ପକ୍ଷୀଙ୍କ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ  । ବିଭିନ୍ନ ସ୍ଥାନରେ ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇ ଜଣେ ଫରେଷ୍ଟର  ଓ ୪ ଜଣ ଅସ୍ଥାୟୀ କର୍ମଚାରୀଙ୍କ କଡା ସୁରକ୍ଷା  ସତ୍ତ୍ବେ  କିପରି ଶିକାରୀ ଜଣକ ପକ୍ଷୀ ସୁରକ୍ଷା ବଳୟକୁ  ଭେଦ କରି ପକ୍ଷୀ ଶିକାର କଲା  ଓ ତାପରେ ସେସବୁକୁ ସ୍ଥାନାନ୍ତରିତ କରୁଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହି ଶିକାରୀମାନେ ଗତକାଲି ବିଳମ୍ବିତ ରାତିରେ ଚିଲିକାରୁ ପକ୍ଷୀ ଶିକାର ପରେ ଆଜି ସେସବୁକୁ ଅନ୍ୟତ୍ର ବିକ୍ରୀ ପାଇଁ ନେଉଥିଲେ ।  ମାତ୍ର ବନ୍ୟପ୍ରାଣୀ  ବିଭାଗ ଟିମ ଦ୍ଵାରା ଧରାପଡି ଗିରଫ ହୋଇଛନ୍ତି । ଗିରଫ ଶିକାରୀମାନେ ହେଲେ ଟାଙ୍ଗୀ ଥାନା  ଉଜ୍ଜଳା ଗୋପୀନାଥପୁର ଗ୍ରାମର  ଗୋପୀନାଥ ପରିଡା  ଓ   ବାବୁଲି ପ୍ରଧାନ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.