୪୯ ଥର ଦେଶରେ ବ୍ୟାପିଲାଣି Bird Flu, ପ୍ରାଣ ହରାଇଛନ୍ତି ୮୦ ଲକ୍ଷରୁ ଅଧିକ ପକ୍ଷୀ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ  ୫।୧: କରୋନା ଭାଇରସ ମହାମାରୀ ସାରା ଦେଶକୁ ତ୍ରସ୍ତ କରିଛି। ଏଥିରେ ବାର୍ଡ ଫ୍ଲୁ ବ୍ୟାପିବା ଏବେ ନୂଆ ଆତଙ୍କର କାରଣ ପାଲଟିଛି। ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ ଭୂତାଣୁ ଏବେ ହରିୟାଣା, ହିମାଚଳ ପ୍ରଦେଶ, ଝାରଖଣ୍ଡ ଓ କେରଳରେ ପହଞ୍ଚିଛି। ସଂକ୍ରମଣ ବ୍ୟାପୁଥିବାରୁ ସରକାର ସତର୍କତା ଜାରି କରିବା ସହ ପରିସ୍ଥିତିର ମୁକାବିଲା ଲାଗି ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି।

ଦେଶଲାଗି ବାର୍ଡ ଫ୍ଲୁ ନୂଆ କଥା ନୁହେଁ। ଗତ ୯ ବର୍ଷରେ ଦେଶର ବିଭିନ୍ନ ଭାଗରେ ଏପର୍ଯ୍ୟନ୍ତ ୪୯ ଥର ଭୂତାଣୁ ସଂକ୍ରମଣ ହେଲାଣି। ତେବେ ପ୍ରଥମ ଥର ରାଜସ୍ଥାନରେ ଏହି ଭୂତାଣୁ ମିଳିବା ପ୍ରଶାସନକୁ ଚକିତ କରିଛି। ଭୂତାଣୁ ସଂକ୍ରମଣ ଯୋଗୁ ରାଜସ୍ଥାନରେ ଏପର୍ଯ୍ୟନ୍ତ ୫୨୨ଟି ପକ୍ଷୀ ପ୍ରାଣ ହରାଇଛନ୍ତି। ରାଜ୍ୟରେ ୨୫୦ କାଉଙ୍କ ସମେତ ପାରା, କୋଇଲି, ବତକ, ମାଛରଙ୍କା ଓ ମେଗପାଇ ଆଦି ପକ୍ଷୀ ପ୍ରାଣ ହରାଉଥିବା ଦେଖାଯାଉଛନ୍ତି।

୨୦୦୬ ମସିହାରେ ପ୍ରଥମ ଥର ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୪୯ ଥର ଏହି ଭୂତାଣୁ ଦେଶରେ ବ୍ୟାପିଲାଣି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮୦ ଲକ୍ଷରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ହେଲାଣି। ୨୦୦୬ ମସିହାରେ ମହାରାଷ୍ଟ୍ରର ୨୮ଟି ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଥିଲା। ସେତେବେଳେ ଗୁଜରାଟର ଗୋଟିଏ ସ୍ଥାନରେ ଫ୍ଲୁ ହୋଇଥିଲା। ସେ ବର୍ଷ ମହାରାଷ୍ଟ୍ର ଓ ଗୁଜରାଟରେ ୧୦ଲକ୍ଷ ପକ୍ଷୀଙ୍କୁ ହତ୍ୟା କରାଯାଇଥିଲା।

ଅକ୍ଟୋବର ୨୦୧୬ ଓ ଫେବୃଆରୀ ୨୦୧୭ରେ ଦେଶର ୯ଟି ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିଲା। ତେବେ ୬ ଜୁନ ୨୦୧୭ରେ ଦେଶକୁ ଏଭିଏନ ଇନଫ୍ଲୁଏଞ୍ଜା ଏଚ୍୫ଏନ୮ ଓ ଏଚ୍‌୫ ଏନ୧ ମୁକ୍ତ ଘୋଷଣା କରାଯାଇଥିଲା। ଦୁଇ ବର୍ଷ ପରେ ପୁଣି ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.