କେରଳରେ ବାର୍ଡ ଫ୍ଲୁ ଭୟଙ୍କର, ୪୮ ହଜାର ପକ୍ଷୀଙ୍କୁ ମାରିବାକୁ ସରକାରଙ୍କ ନିର୍ଦ୍ଦେଶ
4/01/2021 at 8:07 PM

ନୂଆଦିଲ୍ଲୀ ୦୪/୦୧: ରାଜସ୍ଥାନ, ମଧ୍ୟପ୍ରଦେଶ ପରେ ଏବେ କେରଳରେ ବାର୍ଡ ଫ୍ଲୁ(H5N1) ବ୍ୟାପୁଛି। କେରଳରେ ପରୀକ୍ଷା ହୋଇଥିବା ୮ଟି ସାମ୍ପଲ ମଧ୍ୟରୁ ୩ଟି ପଜିଟିଭ୍ ମିଳିଥିବା ରିପୋର୍ଟ ମିଳିଛି। ତେବେ ବାର୍ଡ ଫ୍ଲୁ ଆଶଙ୍କା କରି କରାଯାଇଥିବା ପରୀକ୍ଷାରେ ୫ଟି ସାମ୍ପଲ ପଜିଟିଭ୍ ମିଳିଥିବା ମଧ୍ୟ ରାଜ୍ୟ ଜଙ୍ଗଲ ଓ ପଶୁ ସୁରକ୍ଷା ମନ୍ତ୍ରୀ କେ ରାଜୁ କହିଛନ୍ତି।
ବାର୍ଡ ଫ୍ଲୁ ନେଇ ସ୍ବଷ୍ଟ ହେବା ପରେ କେରଳ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ୪୮ ହଜାର ପକ୍ଷୀଙ୍କୁ ହତ୍ୟା କରିବାକୁ ସରକାର ନିର୍ଦେଶ ଦେଇଥିବା ଜଣାପଡ଼ିଛି। ବିଶେଷ କରି ବାର୍ଡ ଫ୍ଲୁ ଆଲପୁଝା ଓ କୋଟ୍ଟାୟମରେ ବ୍ୟାପିଥିବା ବେଳେ କୌଣସି ମଣିଷ ସଂକ୍ରମିତ ହୋଇଥିବା ନେଇ ଖବର ମିଳିନାହିଁ। ଏହା ପୂର୍ବରୁ ୨୦୧୪ରେ କେରଳ ବାର୍ଡ ଫ୍ଲୁର ସାମ୍ନା କରିଥିଲା।
ଅନ୍ୟପଟେ ରାଜସ୍ଥାନରେ ବାର୍ଡ ଫ୍ଲୁ ମଧ୍ୟ ଚିନ୍ତା ବଢ଼ାଇଛି। ହଜାର ହଜାର କାଉ ମଡ଼କ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧୦୦ କାଉର ସାମ୍ପଲ ପଜିଟିଭ୍ ଆସିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୋଟିଏ ପଟେ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ବ୍ୟସ୍ତ ଥିବା ବେଳେ ବାର୍ଡ ଫ୍ଲୁ ଚିନ୍ତା ବଢ଼ାଇଦେଇଛି।