ବିମାନ ଇଞ୍ଜିନରେ ମାଡହେଲା ପକ୍ଷୀ, ଭାଙ୍ଗିଲା ବ୍ଲେଡ୍‌ : ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | September 07, 2021 IST

ଗୌହାଟୀ ୦୭/୦୯ : ଗୌହାଟୀରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ବିମାନର ଇଞ୍ଜିନ୍‌ରେ ପକ୍ଷୀ ମାଡ ହେବାରୁ ବ୍ଲେଡ୍‌ କ୍ଷତିଗ୍ରସ୍ତ ହୋଇଥିଲା । ପାଇଲଟ୍‌ ବାଧ୍ୟ ହୋଇ ବିମାନକୁ ଜରୁରୀ ଅବତରଣ କରିଥିଲେ । ଯାହା ଫଲରେ ୯୯ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ମେମ୍ବର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗୌହାଟୀରୁ ଦିଲ୍ଲୀ ଯାଉଥିବା 6E-2329 ଇଣ୍ଡିଗୋ ବିମାନ ଉଡାଣ ଭରିବାର କିଛି ସମୟ ପରେ ସେଥିରେ ଏକ ପକ୍ଷୀ ମାଡ ହୋଇଥିଲା । ପକ୍ଷୀ ମାଡ ହେବାପରେ ବିମାନ ଇଞ୍ଜିନର ଫ୍ୟାନ୍‌ ବ୍ଲେଡ୍‌ କ୍ଷତିଗ୍ରସ୍ତ ହୋଇଥିଲା । ଏବିଏସନ୍‌ ଏକ୍ସପର୍ଟଙ୍କ କହିବାନୁସାରେ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନର ଜରୁରୀ ଅବତରଣ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ । ବିମାନଟି ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି । ଇଣ୍ଡିଗୋ ପକ୍ଷରୁ ଏକ ବୟାନ ଜାରି କରି ଏ ନେଇ ସୂଚନା ଦିଆଯାଇଛି । ବିମାନରେ ପକ୍ଷୀ ମାଡ ହେବାଯୋଗୁଁ ଜରୁରୀ ଅବତରଣ କରିବାକୁ ପଡିଥିଲା । ଏହାପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ​‌ରେ ଦିଲ୍ଲୀ ପଠାଯାଇଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପାଟନା​‌ରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା । ଇଣ୍ଡିଗୋ ବିମାନରେ ଏକ ପକ୍ଷୀ ମାଡ ହେବାଯୋଗୁଁ ବିମାନ ଇଞ୍ଜିନ୍‌ର ୩ଟି ବ୍ଲେଡ୍‌ କ୍ଷତିଗ୍ରସ୍ତ ହୋଇଥିଲା । ଯାହାଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ ଅଳ୍ପକେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.