ଚିଲିକାରେ ପକ୍ଷୀ ଓ ଡଲଫିନ୍ ଗଣନା : ୨୯ଟି ଗ୍ରୁପ୍ ନିୟୋଜିତ

Published By : Prameya-News7 Bureau | January 03, 2020 IST

ଖୋର୍ଦ୍ଧା ୩।୧: ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି । ଆଜି ସିଡିଏ  ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେବଳ ପକ୍ଷୀ ନୁହନ୍ତି ଚିଲିକାରେ ଥିବା ଡଲଫିନଙ୍କ ସଂଖ୍ୟା ମଧ୍ୟ ଗଣନା କରାଯିବ । ମୁମ୍ବାଇର ବମ୍ବେ ନାଚ୍ୟୁରାଲ ହିଷ୍ଟୋରୀ ଅଫ ସୋସାଇଟର ମୁଖ୍ୟ ଏନ. ବାଲଚନ୍ଦ୍ରନଙ୍କ ନେତୃତ୍ଵରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ସିଡିଏ କର୍ମଚାରୀ, ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ବିଭାଗ କର୍ମଚାରି, ଓୟୁଏଟି ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି ।

ଏହି ଗଣନାରେ ୧୪୫ ଜଣ ଗଣନାକାରୀ ନିୟୋଜିତ ହୋଇଛନ୍ତି । ବାଇନ-କୁଲାର ଦ୍ଵାରା ଏହି ଗଣନା ଚାଲିଥିବା ବେଳେ ୨୯ଟି ଗ୍ରୁପ କରାଯାଇଛି । ପ୍ରତି ଗ୍ରୁପରେ ୫ ଜଣ ପକ୍ଷୀ ବିଶାରଦ, ଗବେଷକ ଅଛନ୍ତି ।  ସାତପଡାରେ ୧୧ଟି, ଚନ୍ଦ୍ରାପୁଟରେ ୧୪ଟି  ଏବଂ ମଙ୍ଗଳାଯୋଡିରେ ୪ଟି ଗ୍ରୁପ ହୋଇ ଏହି ଗଣନା କରାଯାଉଛି ।

ସେପଟେ ଆସନ୍ତା ୫ରୁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ମଧ୍ୟ ପକ୍ଷୀ ଗଣନା କରାଯିବ । ଏଥିପାଇଁ ଆସନ୍ତାକାଲି ବାଲୁଗାଁ ସ୍ଥିତ ସିଡିଏ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ପକ୍ଷୀ ବିଶେଷଜ୍ଞମାନେ ପକ୍ଷୀ ଗଣନାକାରୀଙ୍କୁ ଟ୍ରେନିଂ ଦେବେ । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ରେଞ୍ଜ ଯଥା ଟାଙ୍ଗୀ, ରମ୍ଭା, ନୂଆପଡା, ବାଲୁଗାଁ, ସାତପଡାରେ ହେବ ପକ୍ଷୀ ଗଣନା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.