ଓଡ଼ିଆ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ସହିଦ ନନ୍ଦୁରାମଙ୍କୁ ବୀରଚକ୍ର ସମ୍ମାନ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ,୨୬/୦୧: ୭୨ ତମ ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସୋମବାର ସେବା ମେଡାଲ ଘୋଷଣା କରାଯାଇଛି । ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଶସ୍ତ୍ର ବାହିନୀର ୪୫୫ ଜଣ ଅଧିକାରୀଙ୍କୁ ଗ୍ୟାଲେଣ୍ଟ୍ରି ଓ ଅନ୍ୟାନ୍ୟ ସମ୍ମାନ ପ୍ରଦାନକୁ ଅନୁମୋଦନ କରିଛନ୍ତି ।  ୩୦ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ଉପମୁଖ୍ୟ ନିଯୁକ୍ତ ହୋଇଥିବା ଓଡ଼ିଆ ସେନା ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି।

ସେହିଭଳି ଗତବର୍ଷ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍‌ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଆ ଯବାନ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ ।

ମୟୂରଭଞ୍ଜ ଜିଲ୍ଲାରେ ଜନ୍ମହୋଇଥିବା ନନ୍ଦୁରାମ ୧୬ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ । ଚୀନ୍‌ ସେନା ଭାରତୀୟ ଯବାନଙ୍କ କବ୍‌ଜାରେ ଥିବା ଏକ ପୋଷ୍ଟକୁ ଦଖଲ କରିବାକୁ ଉଦ୍ୟମ କରିବା ବେଳେ ଏକ ସୈନ୍ୟଦଳର ନେତୃତ୍ୱ ନେଇ ନନ୍ଦୁରାମ ସେମାନଙ୍କର ଦୃଢ଼ ମୁକାବିଲା କରିଥିଲେ । ଚୀନ୍‌ ସୈନ୍ୟମାନେ ତାଙ୍କୁ ଆକ୍ରମଣ କରିବା ପରେ ସେ ଗୁରୁତର ହୋଇଥିଲେ । ତଥାପି ସେ ଶତ୍ରୁ ସହ ମୁକାବିଲା ଜାରି ରଖିଥିଲେ । କିନ୍ତୁ ଗୁରୁତର ହୋଇଥିବା ନନ୍ଦୁରାମ ପରବର୍ତ୍ତୀ ସମୟରେ ସହିଦ ହୋଇଥିଲେ । ଶତ୍ରୁ ସାମ୍‌ନାରେ ଅତ୍ୟନ୍ତ ସାହସ ଓ ପରାକ୍ରମ ଦେଖାଇଥିବାରୁ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରିବା ଲାଗି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.