ପୂର୍ବରୁ ବି ଦୁର୍ଘଟଣାର ଶିକାର ହୋଇଛନ୍ତି ସିଡିଏସ ବିପିନ ରାଓ୍ଵତ, ୨୦୧୫ରେ ହେଲିକପ୍ଟର କ୍ରାସରୁ ବର୍ତ୍ତି ଯାଇଥିଲେ

Published By : Prameya-News7 Bureau | December 08, 2021 IST

ଚେନ୍ନାଇ ୦୮।୧୨: ବୁଧବାର ସକାଳେ ତାମିଲନାଡୁର କୁନ୍ନୁରରେ ସେନାର MI17V5 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଏଥିପାଇଁ ଏତେ ସମ୍ବେଦନଶୀଳ କାରଣ ବିମାନରେ ଦେଶର ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାଓ୍ଵତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ସେନାର ଅଧିକାରୀ ଥିଲେ। ଖରାପ ପାଣିପାଗ କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣା ପଡିଛି। ଏହି ଭୀଷଣ ଦୁର୍ଘଟଣାରେ ୧୧ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାକି ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଥମ ଥର ସିଡିଏସ ବିପିନ ରାଓ୍ଵତ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି। ଏହା ପୂର୍ବରୁ ୨୦୧୫ରେ ମଧ୍ୟ ରାଓ୍ଵତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହି ଦୁର୍ଘଟଣା ୨୦୧୯ ଫେବୃଆରୀ ୩ରେ ଘଟିଥିଲା। ସେହି ସମୟରେ ବିପିନ ରାଓ୍ଵତ ଚିଫ ଅଫ ଡିଫେନ୍ସ ଷ୍ଟାଫ ହୋଇନଥିଲେ। ରାଓ୍ଵତଙ୍କୁ ସିଡିଏସ ଭାବେ ୨୦୧୬ରେ ନିଯୁକ୍ତ କରାଯାଇଥିଲା। ରାଓ୍ଵତ ହେଉଛନ୍ତି  ଦେଶର ପ୍ରଥମ ସିଡିଏସ। ୨୦୧୫ରେ ଜେନେରାଲ ବିପିନ ରାଓ୍ଵତ ନାଗାଲାଣ୍ଡର ଦିମାପୁର ସ୍ଥିତ ସେନାର ୩-କୋର ମୁଖ୍ୟାଳୟର ପ୍ରମୁଖ ପଦରେ ଥିଲେ। ଦିମାପୁରରରୁ ରାଓ୍ଵତ ନିଜର ଚିତା ହେଲିକପ୍ଟରରେ ବାହାରିଥିଲେ। ମାତ୍ର କିଛି ଉଚ୍ଚତା ପରେ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ରାଓ୍ଵତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଇଞ୍ଜିନ ଫେଲ୍ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଥିଲା।

ଚିତା ହେଲିକପ୍ଟର ଏକକ ଇଞ୍ଜିନ ବିଶିଷ୍ଟ ଥିଲା। ସେଥିରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟର ନିୟନ୍ତ୍ରଣ ହରାଇଥିଲା। ମାତ୍ର ଏହି ଦୁର୍ଘଟଣାରେ କାହାରି ମୃତାଘତ ଘଟିନଥିଲା। ଏହି ଘଟଣାରେ ବାୟୁସେନା ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.