'୧୦ ବର୍ଷ ରହିବ କରୋନା ଭାଇରସର ପ୍ରକୋପ, ଏତେ ଶୀଘ୍ର ନିସ୍ତାର ନାହିଁ' : ସତର୍କ କଲେ ବାୟୋଏନଟେକ୍ ମୁଖ୍ୟ

Published By : Prameya-News7 Bureau | December 27, 2020 IST

ଲଣ୍ଡନ,୨୭/୧୨: ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ବିଭିନ୍ନ ଦେଶ ଭାକସିନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । କିଛି ଦେଶରେ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ତେବେ କରୋନା ଭୂତାଣୁ ସଂକ୍ରମଣରୁ ଏତେ ଶୀଘ୍ର ମୁକ୍ତି ମିଳିବ ନାହିଁ । ଅତିକମ୍‌ରେ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଘାତକ ଭୂତାଣୁ ତାର ପ୍ରକୋପ ଦେଖାଇବ ବୋଲି କହିଛନ୍ତି ଜର୍ମାନୀର ପ୍ରମୁଖ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ବାୟୋଏନ୍‌ଟେକ୍‌ର ସିଇଓ ଅଗର୍‌ ସାହିନ୍‌ । ବାୟୋଏନ୍‌ଟେକ୍‌ ମୁଖ୍ୟଙ୍କ ଏଭଳି ବୟାନ ଆହୁରି ଚିନ୍ତା ବଢ଼ାଇ ଦେଇଛି। ଏକ ଭର୍ଚୁଆଲ୍‌ ସମ୍ମିଳନୀକୁ ସେ ସମ୍ବୋଧନ କରୁଥିବା ବେଳେ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଭାଇରସ ଏତେ ସହଜରେ ଉଭାନ ହେବ ନାହିଁ । ଏହାର ପ୍ରକୋପ ଅତିକମ୍‌ରେ ଆଗାମୀ ୧୦ ବର୍ଷ ଯାଏଁ ରହିବ । ତେଣୁ ଜୀବନ କେବେ ସ୍ୱାଭାବିକ ହେବ, ତାହା କହିବା କଷ୍ଟକର। କିନ୍ତୁ ଭାଇରସ ସହ ବଞ୍ଚିବାକୁ ହେବ ।

ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ବାବଦରେ ବାୟୋଏନ୍‌ଟେକ୍‌ ସିଇଓ କହିଛନ୍ତି ଯେ, ଏହା ଚିନ୍ତାଜନକ। କାରଣ ଏହା ଅଧିକ ସଂକ୍ରାମକ ଏବଂ ଖୁବ୍‌ କମ୍‌ ସମୟ ମଧ୍ୟରେ ରୂପ ବଦଳାଇଥାଏ । ଏହାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରିବାକୁ ହେବ। କିନ୍ତୁ ବ୍ରିଟେନ୍‌ରେ ଦେଖାଦେଇଥିବା ଷ୍ଟ୍ରେନ୍‌ ଟିକା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ ଦାବି କରିଛନ୍ତି।

ସାହିନ୍‌ ଆହୁରି କହିଛନ୍ତି ଯେ, ଉନ୍ନତ ଟେକ୍ନୋଲୋଜି ଦ୍ୱାରା ନୂଆ ଭାଇରସ ଷ୍ଟ୍ରେନ୍‌ର ନମୁନା ପ୍ରସ୍ତୁତ କରି ଭାକସିନ୍ ସହ ପରୀକ୍ଷା କରାଯାଉଛି । ପରୀକ୍ଷା ଶେଷ ହେଲେ ମାତ୍ର ୬ ସପ୍ତାହରେ ନୂଆ ଭାଇରସ ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଥିବା ଭାକସିନ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.