ବିନୋଦଙ୍କ ପତ୍ତା ନାହିଁ, କିନ୍ତୁ ମିଳିଲା ବାଇକ : ବିନୋଦଙ୍କ ସ୍ଥିତି ନେଇ ଆଶଙ୍କା ବେଳେ ଅପହରଣ ଓ ଆତ୍ମଗୋପନ ସନ୍ଦେହ ବି ବଢୁଛି...

Published By : Prameya-News7 Bureau | June 10, 2020 IST

ସାଲେପୁର ୧୦।୦୬: ବିନୋଦଙ୍କ ପତ୍ତା ନାହିଁ, କିନ୍ତୁ ମିଳିଲା ତାଙ୍କ ମଟର ସାଇକେଲ । ୧୬ଦିନ ପରେ କଟକ ଜଗତପୁର ଗୋଲେଇ ଛକରୁ ଉଦ୍ଧାର ହୋଇଥିବା ମୋଟର ସାଇକେଲଟି କିଶନନଗରର ନିଖୋଜ ବିନୋଦ ମଣ୍ଡଳଙ୍କ ବୋଲି ଜଣାପଡିଛି । କିଶନନଗରରୁ କଟକ ଯାଇଥିବା ବିନୋଦଙ୍କ ବାଇକ ଜଗତପୁରରରେ କିପରି ଥୁଆହେଲା । ବାଇକ ଯଦି ସେଠାରେ ରହିଲା, ତେବେ କୁଆଡେ ଗଲେ ବିନୋଦ । ତଦନ୍ତ ଆରମ୍ଭରୁ ଗୋଳମାଳିଆ ବିନୋଦ ମଣ୍ଡଳଙ୍କ ନିଖୋଜ ମାମଲା ଏବେ ବୁଢିଆଣୀ ଜାଲ ଭଳି ଜଟିଳ ହୋଇଯାଇଛି । ବିନେୋଦଙ୍କ ବାପାଙ୍କ ପ୍ରତିଦିନ ବିଭିନ୍ନ ଆଶଙ୍କାରେ ବିଭିନ୍ନ ସ୍ଥାନକୁ ଚକର କାଟୁଥିବା କିଶନନଗର ପୋଲିସ ପାଇଁ ବିନୋଦଙ୍କୁ ଜୀବୀତ ବା ମୃତ ଉଦ୍ଧାର କରିବା ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି । ସେପଟେ ବିନୋଦଙ୍କ ପରିବାର ଲୋକଙ୍କ ହାବଭାବ ଏବଂ ପୋଲିସର ନୀରବତା ସାଙ୍ଗକୁ ସାଲେପୁର ନିକଟସ୍ଥ ପାଗାର କିଛି ସନ୍ଦିଗ୍ଧ ଯୁବକ ଏବଂ ଗିରଫ ହୋଇଥିବା ସାରଦା କୁଣ୍ଡୁର ଭୂମିକା ଏବେ ପୋଲିସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି ।

କିଛି ଦିନ ଧରି ଜଗତପୁର ଗୋଲେଇ ଛକରେ ପରତ୍ୟକ୍ତ ଅବସ୍ଥାରେ ରହିଥିଲା ଏକ ମୋଟର ସାଇକେଲ୍‌ । ତାହାକୁ କେହି ନେଉନଥିଲେ , ସନ୍ଦେହ କରି ପୋଲିସ ତାହାକୁ ଜବତ କରି ଥାନାକୁ ଆଣିଥିଲା । ଖବର ପାଇଁ କିଶନନଗର ପୋଲିସ ଜଗତପୁର ଥାନାରେ ପହଞ୍ଚିଥିଲା , ଏବଂ ବିନୋଦଙ୍କ ଘର ଲୋକ ସେହି ମୋଟର ସାଇକେଲକୁ ଚିହ୍ନଟ କରିଥିଲେ । ତେବେ ନିଖୋଜର ଦିନ କଟକ ବୋର୍ଡ ଅଫିସକୁ ଯାଇ କହି ବିନୋଦ ତାଙ୍କ ବାଇକରୋ ବାହାରିଥିଲେ । କିଛି ସମୟ ପରେ ତାଙ୍କ ମୋବାଇଲ ଆଉଟ ଅଫ ରେଞ୍ଜ ହୋଇଥିଲା । କିନ୍ତୁ ପରେ ଫୋନ୍‌ ଲାଗିଥିଲା ଏବଂ ଫୋନ୍‌ ରିସିଭ୍‌ କରିଥିବା ବ୍ୟକ୍ତି ନିଜକୁ ବୋର୍ଡ ସିକ୍ୟୁରିଟି ଗାର୍ଡ ବୋଲି ପରିଚୟ ଦେଇଥିଲା । ତା, ପରେ ଫୋନ୍‌ ସ୍ୱିଚ୍‌ ଅଫ୍‌ ହୋଇଯାଇଥିଲା । ଏହି ଘଟଣାରେ ପୋଲିସ ସାରଦା ପ୍ରସାଦ କୁଣ୍ଡୁଙ୍କୁ ଗିରଫ କରିଛି। କିନ୍ତୁ  ଏବେ ଯାଏଁ ମିଳିନାହିଁ ବିନୋଦଙ୍କର ପତ୍ତା ।

ବିନୋଦଙ୍କ ପତ୍ନୀଙ୍କୁ ଏକତରଫା ପ୍ରେମ କରି କେହି ଜଣେ ଯୁବକ ଧମକ ଦେଉଥିଲା ବୋଲି ଚର୍ଚ୍ଚା ହେଉଛି । ସେପଟେ ବିନୋଦଙ୍କର କୌଣସି ପ୍ରକାର ପ୍ରେମ ସମ୍ପର୍କ ଥିବା ମଧ୍ୟ ସନ୍ଦେହକୁ ପୋଲିସ ଅସ୍ୱାକାର କରୁନାହିଁ । ପାଗାରେ କାହିଁକି ଅଟକିଥିଲେ ବିନୋଦ ? ବାଟରେ କାହା ପାଇଁ ମିଠା କିଣିଥିଲେ  ?  ଆଉ କୂଆଡେ ଯାଇଥିଲେ ?। ଏସବୁ  ପ୍ରଶ୍ନ ବେଳେ ନିକଟରେ ବିବାହ କରିଥିବା ବିନୋଦଙ୍କ ପରିବାରରେ କିଛି ମଳମାଳିଣ ଥିବା ମଧ୍ୟ ଚର୍ଚ୍ଚା ହୁଏ । ସବୁଠାରୁ ବଡ କଥାଟିଏ ହେଲା, ପୋଲିସର ବିନୋଦର ବାପାଙ୍କୁ ନେଇ ବିଭିନ୍ନ ସ୍ଥାନରେ ଛିନ୍‌ଭିନ୍‌ ଜାରି ରଖିଛି । ଅଥଚ ବିନୋଦଙ୍କ ପରିବାର ପୋଲିସକୁ ସହଯୋଗ କରୁନଥିବା ମଧ୍ୟ ଏକ ବିଶେଷ ସୁତ୍ରରୁ ଜଣାପଡିଛି । ଏବେ ବାଇକ ଜବତ ଘଟଣାରୁ ବିନୋଦଙ୍କ ଜୀବନ ପ୍ରତି ଆଶଙ୍କା ସୃଷ୍ଟି ହେଉଛି ।  ସେ ଜୀବୀତ କି ମୃତ ତାହା ଆହୁରି ଜଟିଳ ହୋଇଛି । ପୋଲିସ ସୁରାକ ଖୋଜୁଥିବା ବେଳେ ବିନୋଦ ଅପହରଣ ହୋଇଛନ୍ତି  କି ଆତ୍ମଗୋପାନ କରିଛନ୍ତି  , ତାହା ମଧ୍ୟ ଏକ ବଡ ପ୍ରଶ୍ନ ହୋଇଛି ।   

ସୂଚନାଯୋଗ୍ୟ ଯେ, ଗତମାସ ୨୬ ତାରିଖ ଦିନ ୯ଟା ସମୟରେ ବିନୋଦ ସାଲେପୁର ଦେଇ କଟକ ବୋର୍ଡ କାଯ୍ୟାଳୟକୁ ଯିବେ ବୋଲି ଘରେ କହି ନିଜ ହୀରୋହୁଣ୍ଡା ମଟର ସାଇକେଲରେ ବାହାରିଥିଲେ। ନିଖୋଜ ଯୁବକଙ୍କ ବାପା ବିଜୟ କୁମାର ମଣ୍ଡଳ ପୁଅକୁ ବାରମ୍ବାର ଫୋନରେ ଯୋଗାଯୋଗ କରୁଥିଲେ। କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ପୋଲିସରେ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.