ଭଦ୍ରକ ବାସୁଦେବପୁରର ମୃତ କଲେଜ ଛାତ୍ରୀ ବିନିଙ୍କୁ କେବେ ମିଳିବ ନାୟ ?
7/02/2020 at 5:30 PM

ଭଦ୍ରକ ୦୭।୦୨ – ଭଦ୍ରକ ବାସୁଦେବପୁରର ମୃତ କଲେଜ ଛାତ୍ରୀ ବିନିଙ୍କୁ କେବେ ମିଳିବ ନାୟ ? ନ୍ୟୁଜ୍ସେଭେନ୍ରେ ଖବର ପ୍ରସାରଣ ପରେ ବିଭିନ୍ନ ସେଚ୍ଛାସେବୀ ସଂଗଠନ , ମାନବାଧିକାର କର୍ମୀଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ସେପଟେ ମେସ ମାଲିକଙ୍କ ସଫେଇକୁ ନେଇ ନାନା ପ୍ରଶ୍ନ ଉଠିଛି।

‘ବାସୁଦେବପୁରର କଲେଜ ଛାତ୍ରୀ ବିନିଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ମୃତ୍ୟୁ ଏବଂ ଭାଇରାଲ ଭିଡିଓ ଭିତରେ କି ସଂପର୍କ ରହିଛି ସ୍ପଷ୍ଟ କରୁ ପୋଲିସ । ନ୍ୟୁଜ ସେଭେନ ଏନେଇ ଖବର ପ୍ରସାରଣ ପରେ ବି ପୋଲିସ ହାତବାନ୍ଧି ବସିଛି। ଅନେଇଛି କେବେ ତାଙ୍କ ପରିବାର ଏତଲା ଦେବେ। ଆଉ ଇନଭେଷ୍ଟିଗେସନ ପାଇଁ ତୁରନ୍ତ ଡେଇଁପଡ଼ିବ ପୋଲିସ । ଆଉ ପୋଲିସର ଏମିତି ନୀତି ଦେଖି ସାମ୍ନାକୁ ଆସିଛନ୍ତି ଭଦ୍ରକର ସ୍ବେଚ୍ଛାସେବୀ ସଂଗଠନ ଓ ମାନବାଧିକାର କର୍ମୀ। ରାଷ୍ଟ୍ରୀୟ ମାନବାଧିକାର ପରିଷଦ ଟିମ, ସୂଚନା ଅଧିକାର କର୍ମୀ ଭଦ୍ରକ ଏସପିଙ୍କୁ ଭେଟିବା ପରେ ବାସୁଦେବପୁର ଥାନାରେ ମାମଲା ରୁଜୁ ହୋଇଛି । ଘଟଣାକୁ ୧୫ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ତଦନ୍ତ ଶୈଳୀକୁ ନେଇ ଉଠିଛି ବଡ ପ୍ରଶ୍ନ….

ମେସ ମାଲିକଙ୍କୁ ନ୍ୟୁଜ ସେଭେନ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇନାହାନ୍ତି। ତେବେ କିଛି ସ୍ଥାନରେ ସେ ସଫେଇ ଦେଇଛନ୍ତି ଯେ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ବାପା ଝିଅର ସଂପର୍କର । ଝିଅ ବୋଲି ଭାବି ସେ ତାଙ୍କ ଘରେ ମେସ୍ କରି ରହୁଥିବା ଜଣେ ଛାତ୍ରୀଙ୍କୁ ଏମିତି, ତାଙ୍କ ଭାଷାରେ, ଗେହ୍ଲା କରୁଥିଲେ।
ତେବେ ସେହି ଭିଡିଓ କିଛି ଏମିତି ପ୍ରଶ୍ନ ବି ସୃଷ୍ଟି କରୁଛି। – ଝିଅକୁ ଗେହ୍ଲା କରିବାକୁ ଯାଉଥିବା ମେସ୍ ମାଲିକ ଘରର ସ୍କ୍ରିନକୁ କାହିଁକି ଆଗୁଆ ସଜାଡୁଥିଲେ। ଝିଅ ବୋଲି ଭାବୁଥିବା ଛାତ୍ରୀଙ୍କୁ କାହିଁକି ବାରମ୍ବାର ପଚାରୁଛନ୍ତି ସେ ଖରାପ ଭାବୁଛନ୍ତି କି ବଡ଼ କଥା ହେଲା ଯେଉଁ ଭିଡିଓ ଆପଣମାନେ ଦେଖୁଛନ୍ତି ତାହା ବିନି ହିଁ ସୁଟିଂ କରୁଛନ୍ତି। ତାହା ସେହି ଭିଡିଓ ବୟାନ କରୁଛି। ତେଣୁ ମେସ୍ମାଲିକଙ୍କ ଏଭଳି ବାପଝିଅ ଖେଳକୁ ପୂର୍ବରୁ ବିନି ଆନ୍ଦାଜ ଲଗେଇଥିଲେ ଓ ସେଥିପାଇଁ କ୍ୟାମେରା ଲଗାଇ ତାଙ୍କୁ ରଙ୍ଗେହାତ୍ ଧରିଥିଲେ ବୋଲି ଜଣାଯାଉଛି । ଏହା ସହିତ ବିନିଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କ ମୋବାଇଲ ଏଯାଏଁ କାହିଁକି ମିଳିନି। ଆଉ ତାଙ୍କ ଫୋନରୁ ଭିଜୁଆଲ କାହା ମାଧ୍ୟମରେ ଭାଇରାଲ ହେଲା। ଏମିତି ଅନେକ ପ୍ରଶ୍ନ।
ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ପୋଲିସ ଆକ୍ସନ ମୁଡ କୁ ଆସୁନଥିବା ବେଳେ ନ୍ୟୁଜ ସେଭେନରେ ପ୍ରସାରିତ ନ୍ୟୁଜ୍କୁ ନେଇ ପୋଲିସର ଉପରିସ୍ଥ ଅଧିକାରୀଙ୍କୁ ଟ୍ବିଟ୍ ମଧ୍ୟ କରିଥିଲେ ଲୋକେ । ଲୋକଙ୍କ ପ୍ରେସର ଦେଖି ପୋଲିସ ଆଇଜି ଭଦ୍ରକ ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଭଦ୍ରକ ଏସପି ତଦନ୍ତ ଭାର ବାସୁଦେବପୁର ଥାନା ଅଧିକାରିଣୀଙ୍କୁ ଦେଇଛନ୍ତି । ଘଟଣାରେ ଜିଆରପି ପୋଲିସ ମଧ୍ୟ ତଦନ୍ତ କରୁଛି ।
ଏହି ଘଟଣା ମେସ୍ରେ ରହୁଥିବା ଛାତ୍ରୀମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଉଛି ।