ରାଷ୍ଟ୍ରପତିଙ୍କୁ ନିର୍ଭୟା ଦୋଷୀ ବିନୟ ଶର୍ମାଙ୍କ ନିବେଦନ, ଦୟାକରି ରାଜକ୍ଷମା ନିବେଦନ ଫେରାଇ ଦିଅନ୍ତୁ

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ ୭।୧୨ : ଏକ ଅଭାବନୀୟ ଘଟଣାକ୍ରମରେ ଦିଲ୍ଲୀ ନିର୍ଭୟା କାଣ୍ଡ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କୁ ଗୃହ ବିଭାଗ ଜରିଆରେ ପଠାଇଥିବା ରାଜକ୍ଷମା ନିବେଦନ ଫେରାଇ ଦେବାକୁ ଶନିବାର ଗୁହାରି କରିଛନ୍ତି। ନିର୍ଭୟା କାଣ୍ଡର ମୋଟ ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବରୁ ଆତ୍ମହତ୍ୟା କରିସାରିଛନ୍ତି। ଜଣେ ନାବାଳକ ହୋଇଥିବା ଯୋଗୁ କୋହଳ ଆଇନରେ ଦଣ୍ଡରୁ ମୁକ୍ତ ହୋଇଯାଇଛି। ତେବେ ଅନ୍ୟ ୪ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡାଦେଶ କରିଥିବା ବେଳେ ବିନୟ ଏକମାତ୍ର ଦୋଷୀ ଯିଏ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ନିବେଦନ କରିଥିଲେ।

ତେବେ ବିନୟ ଏପରି କୌଣସି କ୍ଷମା ଯାଚନା କରିନଥିବା ଶନିବାର ଦାଖଲ କରିଥିବା ତାଜା ନିବେଦନରେ ଜଣାଇଛନ୍ତି। ଗୃହ ବିଭାଗ ଯେଉଁ କ୍ଷମାଯାଚନା କରିଥିଲେ ସେଥିରେ ସେ ନା ସ୍ୱାକ୍ଷର କରିଥିଲେ ନା ଏଥିଲାଗି କାହାରିକୁ ପ୍ରାଧିକୃତ କରିଥିଲେ ବୋଲି ଉଲ୍ଲେଖ କରିବା ଏବେ ସମ୍ପୂର୍ଣ୍ଣ ପ୍ରସଙ୍ଗକୁ ଭିନ୍ନ ରୂପ ଦେଇଛି। ପାରା ମେଡିକାଲ ଛାତ୍ରୀ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେବଳ ବିନୟ ହିଁ ରାଜକ୍ଷମା ନିବେଦନ କରିଥିଲା ବୋଲି ପୂର୍ବରୁ କୁହାଯାଇଥିଲା। ହେଲେ ସେ ଏବେ କହୁଛନ୍ତି ଯେ ତାଙ୍କର ଅନ୍ୟ ୩ ସାଥୀଙ୍କ ଭଳି ସେ ମଧ୍ୟ କୌଣସି ଆବେଦନ କରିନାହାନ୍ତି।  

ତାଙ୍କର ଏଭଳି ଆବେଦନ ପରେ ଏବେ ନିର୍ଭୟାକାଣ୍ଡ ଦୋଷୀଙ୍କ ଦଣ୍ଡବିଧାନ ଆହୁରି ସହଜ ହୋଇଯାଇଛି। ଏବେ ସେମାନଙ୍କ ଦଣ୍ଡ ବିଧାନ ଲାଗି କେବଳ ଆଇନଗତ ପ୍ରକ୍ରିୟା ପୁରା କରାଯିବା ମାତ୍ରେ କୋର୍ଟ ଡେଥ ୱାରେଣ୍ଟ ଜାରି କରିବେ ଓ ସେମାନଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଦଣ୍ଡିତ କରାଯିବା ସ୍ପଷ୍ଟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.