କୋଟି କୋଟି ସଂଖ୍ୟାରେ ବ୍ୟବହୃତ ମାସ୍କ-ଗ୍ଲୋବ୍ସ ସମୁଦ୍ରକୁ କରୁଛି ବିଷାକ୍ତ, ଜଳଚର ପ୍ରାଣୀଙ୍କ ପାଇଁ ସାଜିଛି ଘାତକ

Published By : Prameya-News7 Bureau | July 12, 2020 IST

ନୂଆଦିଲ୍ଲୀ ୧୨।୦୭: ମହାମାରୀକୁ ରୋକିବାର ମାଧ୍ୟମ ପାଲଟିଥିବା ଫେସ୍ ମାସ୍କ, ଗ୍ଲୋବ୍ସ ଓ ପିପିଇ କିଟ୍ ପରି ରକ୍ଷା କବଚ ସଂପ୍ରତି ଲୋକଙ୍କ ଅବହେଳା କାରଣରୁ ସମୁଦ୍ରକୁ ବିଷାକ୍ତ କରିବାରେ ଲାଗିଛି। ପ୍ରତି ମାସରେ କୋଟି କୋଟି ସଂଖ୍ୟାରେ ଫେସ୍‌ ମାସ୍କ ଓ ଗ୍ଲୋବ୍ସ ସମୁଦ୍ରକୁ ଫିଙ୍ଗା ଯାଉଛି। ଏହା ଜଳଚର ପ୍ରାଣୀ ପାଇଁ ଘାତକ ସାଜିଛି। ଓସିଏନ-ଏସିଆ ସଂସ୍ଥା ଅନୁଯାୟୀ ମେଡିକାଲର ଆର୍ବଜନା କୋଟି କୋଟି ଜଳପାୟୀ ପ୍ରାଣୀଙ୍କ ମୃତ୍ୟୁର କାରଣ ପାଲଟିପାରେ।

ଓସିଏନ-ଏସିଆ ସଂସ୍ଥା ହଂକଂ, ତୁର୍କୀ, ଫ୍ରାନ୍ସ ଓ ବ୍ରିଟେନ୍‌ର ସମୁଦ୍ର କୂଳରେ ପଡିଥିବା ଆବର୍ଜନାର ସର୍ଭେ କରିଛି। କୂଳରୁ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ଟନ୍ ଟନ୍‌ କୋଭିଡ୍ ସମ୍ବନ୍ଧିତ ମେଡିକାଲ ଆବର୍ଜନା ଜମା ହୋଇ ରହିଛି।

୨୦୦ରୁ ଅଧିକ ଦେଶ କରୁଛନ୍ତି ବ୍ୟବହାର

ଦୁନିଆରେ ମୋଟ୍‌ ୨୧୫ଟି ଦେଶ କରୋନା ସଂକ୍ରମଣର ଶିକାର ହୋଇଛି। ଏହି ଦେଶଗୁଡିକରେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରାଯାଉଛି। ଅନୁମାନ ଅନୁଯାୟୀ ଲୋକେ ଦିନକୁ ଦୁଇଟି ମାସ୍କ ବ୍ୟବହାର କରୁଛନ୍ତି।

ପ୍ରତି ବର୍ଷ ୧୩ କୋଟି ଟନ ପ୍ଲାଷ୍ଟିକ ଆର୍ବଜନା ସମୁଦ୍ରରେ ମିଶିଥାଏ। ଏହି ସବୁ ପ୍ଲାଷ୍ଟିକ ବିଘଟନ ହେବାରେ ୪୦୦ରୁ ୧୦୦୦ ହଜାର ବର୍ଷ ଲାଗିଥାଏ। ପରିଣାମସ୍ଵରୂପ ସମୁଦ୍ର ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। ଏବେ କରୋନା କାଳରେ କୋଟି କୋଟି ସଂଖ୍ୟାରେ ମାସ୍କ, ଗ୍ଲୋବ୍ସ ଓ ପିପିଇ କିଟ୍‌ ତଥା ମେଡିକାଲ ଆବର୍ଜନା ସମୁଦ୍ରରେ ଫିଙ୍ଗା ଯାଉଥିବାରୁ ବିଷାକ୍ତ ମାତ୍ରା ଆହୁରି ବଢି ଯାଇଛି।

ଦିଲ୍ଲୀର ସ୍ଥିତି

ଦିଲ୍ଲୀରେ ଦୈନିକ ୩୫ ଟନ୍ ବାୟୋ ମେଡିକାଲ ଆବର୍ଜନାର ନିଷ୍କାସନ କରାଯାଉଛି। ସେହି ପରି ପ୍ରତିଦିନ ୪୫ ଟନ୍ ବାୟୋ ମେଡିକାଲ ଆବର୍ଜନା ଦିଲ୍ଲୀରୁ ସୃଷ୍ଟି ହେଉଛି।

ନିଷ୍କାସନ ହେଉନାହିଁ

ବିଶ୍ଵ ଆର୍ଥିକ ମଞ୍ଚର ରିପୋର୍ଟ ଅନୁଯାୟୀ, ଦୁନିଆର ୩୦ ପ୍ରତିଶତ ଅଳିଆ ଆବର୍ଜନା ସଠିକ୍‌ ଭାବେ ନିଷ୍କାସନ ହୋଇ ପାରୁଛି। ବାକି ସବୁ ନଦୀ, ହ୍ରଦ ଓ ସମୁଦ୍ରରେ ଫିଙ୍ଗି ଦିଆଯାଉଛି। ପରିବେଶ ପାଇଁ ଲାଭଦାୟକ କପଡା ମାସ୍କ। ଏହା ଶୀଘ୍ର ବିଘଟନ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.