‘ଗେମ୍‌ ଅଫ ଥ୍ରୋନ୍ସ’ ଟାଇକୁନଙ୍କ ଦେହାନ୍ତ, ବିଷ ଦେଇ ହତ୍ୟା କରାଯାଇଥିବା ସନ୍ଦେହ

Published By : Prameya-News7 Bureau | December 28, 2020 IST

ବେଜିଂ ୨୮/୧୨: ଚୀନର ଆରବପତି ବ୍ୟବସାୟୀ ତଥା ଭିଡିଓ ଗେମ୍‌ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଟାଇକୁନଙ୍କ ପରଲୋକ। ଭିଡିଓ ଗେମ୍‌ ଡେଭଲପର ୟୁଜୁ ଗ୍ରୁପ୍‌ର ସିଇଓ ଲିନ୍‌ କିଙ୍କ ମୃତ୍ୟୁ ୩୯ ବର୍ଷରେ ହୋଇଛି। ଲିନ୍‌ଙ୍କୁ ନିଜ କମ୍ପାନୀର ସହଯୋଗୀ ବିଷ ଦେଇ ମାରିଥିବା ଅଭିଯୋଗ ହୋଇଛି। ଲିନଙ୍କୁ ନେଟଫ୍ଲିକ୍‌ସ ପ୍ରଡ୍ୟୁସର ଭାବେ ମଧ୍ୟ ଜଣାଯାଏ।

ଡିସେମ୍ବର ୨୫ରେ ଲିନ୍‌ଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ମିଳିଥିବା ସୂଚନା ଅନୁସାରେ ଲିନ୍‌ କି ଗତ ସପ୍ତାହରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଡିସେମ୍ବର ୧୬ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଚାଲିପାରୁନଥିବା ବେଳେ ତାଙ୍କ ପାଖରେ ‘ଆକ୍ୟୁଟ୍‌ ଇଲ୍‌ନେସ୍‌’ ଲକ୍ଷ୍ୟଣ ଦେଖିବାକୁ ମିଳିଥିଲା। ପରେ ତାଙ୍କୁ ସଂଗେସଂଗେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠରେ ତାଙ୍କର ହାର୍ଟ କାମ କରିବା ବନ୍ଦ କରିଥିଲା।

ଲିନ୍‌ଙ୍କ ବିଷ ଦିଆଯାଇଥିବା ସନ୍ଦେହରେ ଜଣଙ୍କୁ ସଙ୍ଘାଇ ପୋଲିସ ଅଟକ ରଖିଥିଲା। ସନ୍ଦିଗ୍ଧ ବ୍ୟକ୍ତି ଲିନଙ୍କୁ ବିଷ ଦେଇଥିବା ପୋଲିସ ସନ୍ଦେହ କରିଥିଲା। ମିଡିଆ ରିପୋର୍ଟରୁ ଜଣାପଡ଼ିଛି ପୋଲିସ ଅଟକ ରଖିଥିବା ବ୍ୟକ୍ତି ଲିନ୍‌ଙ୍କ ସହଯୋଗୀ ଜୁ ୟାଓ। ଠିକ ତାପରଦିନ ଲିନ୍‌ ଆଖିବୁଜିଥିଲେ।

ୟୁଜୁ କମ୍ପାନୀର ଫିଲ୍ମ ଓ ଟେଲିଭିଜନ ବିଭାଗରେ ଜୁ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। କମ୍ପାନୀରେ ଲିନ୍‌ଙ୍କ ସହ ଝଗଡ଼ା ହେବା ପରେ ଜୁ ତାଙ୍କୁ ବିଷ ଦେଇଥିବା କୁହାଯାଉଛି। ତେବେ ଲିନ୍‌ଙ୍କୁ ଚା’ରେ ବିଷ ଦିଆଯାଇଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି।

୨୦୧୫ରେ ‘ଦ ଥ୍ରି ବଡି ପ୍ରୋବ୍ଲେମ୍‌’ ସିରିଜ୍‌ ପାଇଁ ରାଇଟ୍ସ ୟୁଜୁ କିଣିବା ପରେ କମ୍ପାନୀ ନୂଆ ଫିଲ୍ମ ପ୍ରଯୋଜନା କରିବାକୁ ଯୋଜନା କରିଥିଲା। ତେବେ ଏହି ନିଷ୍ପତ୍ତି ପାଇଁ କମ୍ପାନୀ ଭିତରେ ମତଭେଦ ହୋଇଥିଲା। ପରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ ହୋଇଥିଲା। କମ୍ପାନୀ ଭିତରେ ଝଗଡ଼ା ଉଗ୍ରରୂପ ଧାରଣ କରିବା ପରେ କମ୍ପାନୀ ଫିଲ୍ମ ରାଇଟ୍ସ ନେଟଫ୍ଲିକ୍ସକୁ ବିକ୍ରି କରିଥିଲା। ଏହା ସହ ଭିଡିଓ ଗେମ୍‌ ପ୍ରଡକ୍ସନ ସଂସ୍ଥାକୁ ବି ଏକ ଚୀନ କମ୍ପାନୀକୁ ବିକ୍ରି କରାଯାଇଥିଲା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.