୨୦୨୧ ଶେଷ ବେଳକୁ ବି ଥମି ନଥାଇପାରେ Covid-19: ବିଲ ଗେଟସ୍‌

Published By : Prameya-News7 Bureau | August 08, 2020 IST

ସିଏଟଲ:  ହୁଏତ ୨୦୨୧ ଶେଷ ବେଳକୁ ବି ବିଶ୍ୱରେ କୋଭିଡ-୧୯ର ପ୍ରକୋପ ଥାଇପାରେ। ଏପରି ଆଶଙ୍କା ପ୍ରକାଶ କରିଛନ୍ତି ମାଇକ୍ରୋସଫ୍ଟର ସଂସ୍ଥାପକ ତଥା ସମାଜସେବୀ ବିଲଗେଟସ୍‌। ଏନେଇ ଏକ ପ୍ରମୁଖ ଗଣମାଧ୍ୟମ ସହ ସାକ୍ଷାତ ଆଲୋଚନାରେ ସେ ଏଭଳି ଆଶଙ୍କା ପ୍ରକାଶ କରିଥିବା ବେଳେ ଏଥରୁ ଉନ୍ନତ ଓ ବିକଶିତ ଦେଶମାନେ ହୁଏତ ମୁକୁଳି ନଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି।

ବିଶ୍ୱରେ ପ୍ରକୋପ କରୁଥିବା କରୋନା ଭାଇରସ ମହାମାରୀର ଚିକିତ୍ସା ଓ ପ୍ରତିଷେଧକ ନିମନ୍ତେ ଗବେଷଣା ଲାଗି ଗେଟସ୍‌ ବିପୁଳ ଅର୍ଥ ସହଯୋଗ କରିଛନ୍ତି। ହେଲେ ମହାମାରୀର ଚିକିତ୍ସା ଓ ଟିକା ସହଜରେ ବିକଶିତ ହୋଇପାରିବ କି ନା ସେ ନେଇ ମଧ୍ୟ ସନ୍ଦେହରେ ଅଛନ୍ତି। ୨୦୨୧ ଶେଷ ହେବା ପୂର୍ବରୁ ସଂକ୍ରମଣ ରୋକିବାକୁ ବିଶ୍ୱର ଅଧିକାଂଶ ଦେଶ ଉଦ୍ୟମ ଜାରି ରଖିଛନ୍ତି। ତେବେ ହୁଏତ ଏଥିଲାଗି ୨୦୨୨ ପର୍ଯ୍ୟନ୍ତ ସମସୟ ମଧ୍ୟ ଲାଗିଯାଇପାରେ। ଏଥିରେ ଋଷିଆ ଓ ଚୀନ ଭଳି ଦେଶମାନଙ୍କ କୋଭିଡ ଚିକିତ୍ସା ସମ୍ପର୍କିତ ଦାବିକୁ ଗେଟସ୍‌ ଅଗ୍ରାହ୍ୟ କରିଦେଇଛନ୍ତି।

ଋଷିଆ ଓ ଚୀନର କୋଭିଡ ଟିକା ଦାବିକୁ ନେଇ ଗେଟସ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ସାରା ବିଶ୍ୱରେ ଏବେ ଏଥିଲାଗି ଖୁବ୍ ଚାହିଦା ରହିଛି। ଏଣୁ ପରିସ୍ଥିତିରେ ହୁଏତ ଏଭଳି ତରବରିଆ ଭାବେ ବିକଶିତ ଔଷଧକୁ ନିୟାମକମାନେ ମଧ୍ୟ ଅନୁମତି ଦେଇପାରନ୍ତି। ହେଲେ ଏହା ମାନବ ପ୍ରୟୋଗ ଲାଗି ସୁରକ୍ଷିତ ଓ ପ୍ରଭାବୀ ତାହା ନିଶ୍ଚିତ ହେବା ପୂର୍ବରୁ  ଲୋକଙ୍କ ଠାରେ ଏଭଳି ଟିକା କି ପ୍ରଭାବ ପକାଇବ ସେ ନେଇ  ସନ୍ଦିହାନ ଅଛନ୍ତି ଗେଟସ୍‌। ତେବେ ଆମେରିକା ଏଫଡିଏ ଏଭଳି ସର୍ଟକଟ୍ ଔଷଧଙ୍କୁ ଅନୁମତି ଦେଇ ନପାରନ୍ତି। ତେବେ ଆମକୁ ଚିକିତ୍ସା ଓ ଟିକା ଲାଗି ଆଉ ୨ରୁ ୩ ମାସ ସମୟ ଲାଗିପାରେ। କାରଣ ଏବେ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ଗେଟସ୍‌ କହିଛନ୍ତି। 

ତେବେ ଏହି ଭୂତାଣୁ ସଂକ୍ରମଣ ଋତୁକାଳୀନ ନୁହେଁ ବୋଲି ଗେଟସ୍‌ ସ୍ପଷ୍ଟହୋଇ ଯାଇଛନ୍ତି। ହୁଏତ ଶୀତ ଋତୁରେ ଘରେ ମଧ୍ୟ ବ୍ୟାପି ପାରେ। ଏଣୁ ଏଥିଲାଗି ଅଧିକ ସତର୍କତା ଉପରେ ଗେଟସ୍ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଯଦି ଚିକିତ୍ସା ଓ ଟିକା ଆସି ଯାଏ ତେବେ ଏହା ନିଶ୍ଚିତ ରୂପେ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହେବ। ତେବେ କୋଭିଡ ଅପସରି ଗଲେ ବି ଏହା ଚାଲିଗଲା ଆମେ ଭାବି ପାରିବା ନାହିଁ ବୋଲି ମଧ୍ୟ ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.