ବିଲ୍ ଗେଟ୍ସ ଓ ମେଲିଣ୍ଡାଙ୍କ ହେଲା ବିବାହ ବିଚ୍ଛେଦ: ସମ୍ପତ୍ତି ମାମଲାରେ ହୋଇନାହିଁ ଖୁଲାସା

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩/୦୮ : ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ ଓ ମେଲିଣ୍ଡାଙ୍କ ବିବାହ ବିଚ୍ଛେଦ ହୋଇଛି। ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ଘୋଷଣା କରିବାର ୩ ମାସ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଛି। ମେ' ୩ ତାରିଖରେ ଛାଡପତ୍ର ପାଇଁ ଆବେଦନ ହୋଇଥିଲା। ୧୯୯୩ରେ ଦୁହେଁ ନିର୍ବନ୍ଧ କରିଥିଲେ ଓ ୧୯୯୪ ମସିହା ନୂଆବର୍ଷ ଦିନ ଦୁହେଁ ହାୱାଇ ଦ୍ୱୀପରେ ବିବାହ କରିଥିଲେ। କୋଟିପତିଙ୍କ ଛାଡପତ୍ର କଥା ଯଦି କୁହାଯାଏ, ଆମାଜନ ପ୍ରତିଷ୍ଠାତା ଜେଫ ବେଯୋଶ ଓ ମେକେଞ୍ଜି ବେଯୋଶ ୨୦୧୯ରେ ଛାଡପତ୍ର ନେଇ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ବିଲ ଗେଟସ ୧୫୨ ବିଲିୟନ ଡଲାରର ମାଲିକ | ରାଇଟର୍ସ ରିପୋର୍ଟ ଅନୁଯାୟୀ, ୱାସିଂଟନ ସିଏଟଲରେ କିଙ୍ଗ କାଉଣ୍ଟି ସୁପିରିୟର କୋର୍ଟରେ ଦାଏର ହୋଇଥିବା ଆଦେଶରେ ସମ୍ପତ୍ତି ବୁଝାମଣା ନେଇ କୌଣସି ବିବରଣୀର ଖୁଲାସା କରାଯାଇନାହିଁ। କୋର୍ଟ ଏହି ତଲାକ ମାମଲାରେ ସମ୍ପତ୍ତି, ଧନ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ନିଷ୍ପତ୍ତି ମଧ୍ୟ ଜାରି କରିନାହାନ୍ତି।

ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସର୍ବଭାରତୀୟ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜଣାଶୁଣା। ଏହି ଫାଉଣ୍ଡେସନ ଦରିଦ୍ର ଓ ରୋଗରୁ ମୁକାବିଲା ପାଇଁ ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ୫୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଛି। କରୋନା ମହାମାରୀ ସହ ଲଢ଼ିବାକୁ ଦୁହେଁ ୧.୭୫ ବିଲିୟନ ଡଲାର ଦେବାକୁ ପ୍ରତିଶୃତି ଦେଇଥିଲେ।

ବିଲ୍ ଏବଂ ମେଲିଣ୍ଡାଙ୍କ ସାକ୍ଷାତ ନିଜ କମ୍ପାନୀରେ ହିଁ ହୋଇଥିଲେ। ୧୯୮୭ ରେ ମେଲିଣ୍ଡା ମାଇକ୍ରୋସଫ୍ଟରେ ଏକ ପ୍ରଡକ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ, ସେତେବେଳେ ଦୁହିଁଙ୍କର ସାକ୍ଷାତ ହୋଇଥିଲେ। କିଛି ବର୍ଷ ସମ୍ପର୍କରେ ରହିବା ପରେ ଦୁହେଁ ୧୯୯୪ ରେ ହାୱାଇରେ ବିବାହ କରିଥିଲେ। ଉଭୟଙ୍କ ୩ ସନ୍ତାନ। ସଂସ୍ଥା ଏକ ବୟାନରେ କହିଛି ଯେ ଉଭୟ ଏହାର ସହ-ଚେୟାରମ୍ୟାନ୍ ଏବଂ ଟ୍ରଷ୍ଟି ରହିବେ ଏବଂ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେତୁ ସଂଗଠନରେ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଦୁହେଁ ସେମାନଙ୍କର ଚାରିଟେବୁଲ ଫାଉଣ୍ଡେସନରେ ଏକାଠି କାମ ଜାରି ରଖିବେ।

ଏହା ପୂର୍ବରୁ ଟ୍ୱିଟରରେ ଏକ ସଂଯୁକ୍ତ ବୟାନରେ ଦୁହେଁ କହିଥିଲେ ଯେ, ବହୁ ବିଚାର ବିମର୍ଶ ପରେ ଏବଂ ସମ୍ପର୍କ ବିଷୟରେ ଚିନ୍ତା କରି ଆମେ ଆମର ବିବାହ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ। ସେ କହିଛନ୍ତି ଯେ ୨୭ ବର୍ଷରୁ ଅଧିକ ସମୟ ଧରି ସେ ଏକ ସଂଗଠନ ଚଳାଉଛନ୍ତି ଯାହା ସାରା ବିଶ୍ୱରେ ଲୋକଙ୍କୁ ସୁସ୍ଥ ଏବଂ ଉନ୍ନତ ଜୀବନଯାପନ ସକ୍ଷମ କରିବାକୁ କାମ କରୁଛି। ଆମର ବିଶ୍ୱାସ ଯେ ଏହି ମିଶନରେ ଏବଂ ସଂଗଠନରେ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ। କିନ୍ତୁ ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ଏକ ଦମ୍ପତି ଭାବରେ ଆମେ ଏକାଠି ରହିପାରିବୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.