୫ ଘଣ୍ଟାର ଅପରେସନ ପରେ ବନ୍ଧୁକଧାରୀକୁ କାବୁ କଲା ପୋଲିସ, ଶିକ୍ଷକ ପରିବାର ନିରାପଦ ; ବିକ୍ରମର କାରନାମା ନେଇ ଛାନ୍‌ଭିନ୍‌

Published By : Prameya-News7 Bureau | June 15, 2021 IST

ବଲାଙ୍ଗୀର ୧୫।୦୬: ବନ୍ଧୁକ ମୁନରେ ଶିକ୍ଷକଙ୍କ ପରିବାରକୁ ପଣବନ୍ଦୀ ଘଟଣା । ଦୀର୍ଘ ୫ଘଣ୍ଟାର ଅପରେସନ ପରେ ପୋଲିସକୁ ମିଳିଛି ସଫଳତା । ଧରାପଡିଲା ବନ୍ଧୁକ ଧାରୀ ଯୁବକ । ଅଟକ ଯୁବକଙ୍କ ନାଁ ବିକ୍ରମ ପଣ୍ଡା ବୋଲି ଜଣାପଡିଛି । କାବୁ କରିବା ସମୟରେ ପୋଲିସ ଉପରକୁ ଫାୟାରି କରିଥିବା ସୂଚନା ମଧ୍ୟ ମିଳିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ଜଣେ ଯୁବକ ଅବସରପ୍ରାପ୍ତ ଶିକ୍ଷକ  ମଦନମୋହନ ହୋତାଙ୍କ ଘରେ ଭିତରେ ପଶିଯାଇଥିଲେ , ଏବଂ ବନ୍ଧୁକ ମୁନରେ ପୁରା ପରିବାରକୁ ଗୃହବନ୍ଦ କରିଦେଇଥିଲେ । ଯାହାର ଖବର ପୋଲିସ ପାଇବା ପରେ ଆକ୍ସନ ମୋଡକୁ ଆସିଯାଇଥିଲା । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧକ ଥିବା ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଘରର ପଛପଟ ଝରକା ପଟେ ପ୍ରବେଶ କରି ପରିବାରର ବନ୍ଧକ ଥିବା ୪ଜଣ ସଦସ୍ୟଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ଯୁବକଙ୍କୁ କାବୁ କରିପାରିନଥିଲା ପୋଲିସ ।

ଦୀର୍ଘ ୫ଘଣ୍ଟାର ପରିଶ୍ରମ ପରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାରକୁ ବନ୍ଧକ ରଖିଥିବା ଯୁବକଙ୍କୁ କାବୁ କରିଥିଲେ ପୋଲିସ । ଅପରେସନ ସମୟରେ ପୋଲିସ ଉପରକୁ ଫାୟାରି କରିଥିଲେ ଯୁବକ । କିଛି ସମୟ ଧରି ଏପରି ଚାଲୁରହିବା ପରେ ଯୁବକ ବିକ୍ରମ ପଣ୍ଡାକୁ କାବୁ କରିନେଇଥିଲା ପୋଲିସ । ତେବେ କଣ ପାଇଁ ପୁରା ପରିବାରକୁ ବନ୍ଧକ ରଖିଥିଲେ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆଉ କିଛି ସମୟ ପରେ ପୋଲିସ ପ୍ରେସମିଟ୍‌ ଜରିଆରେ ସଂପୂର୍ଣ୍ଣ ତଥ୍ୟ ରଖିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.