ବାଇକ୍ ଚାଳକଙ୍କୁ ୧ ଲକ୍ଷ ୧୩ ହଜାର ଟଙ୍କା ଜରିମାନା: ନା ଥିଲା ହେଲମେଟ୍ ନା ଡ୍ରାଇଭିଙ୍ଗ୍ ଲାଇସେନ୍ସ

Published By : Prameya-News7 Bureau | January 14, 2021 IST

ରାୟଗଡା ୧୪/୦୧ : ନୂଆ ଯାନବାହାନ ଆଇନ ଉଲଙ୍ଘନ ମାମଲାରେ ଓଡିଶା ରାୟଗଡା ଜିଲ୍ଲାରେ ପରିବହନ କାର୍ଯ୍ୟାଳୟ ମଧ୍ୟ ପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଭାରି ଜରିମାନା ଲଗାଇଛି। ଜରିମାନା ରାଶି ଅବିଶ୍ୱାସନୀୟ। ଓଡିଶାରେ ସଂଶୋଧିତ ଯାନବାହାନ ଆଇନ ୨୦୧୯ ଅନ୍ତଗତ କୌଣସି ବାଇକ ଚାଳକଙ୍କ ଉପରେ ଲଗାଯାଇଥିବା ଜରିମାନା ମଧ୍ୟରେ ଏହା ସବୁଠାରୁ ଅଧିକ।

ନିୟମ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ନାଁ ହେଲା ପ୍ରକାଶ ବଂଜାରା। ତାଙ୍କ ଘର ମଧ୍ୟ ପ୍ରଦେଶ ମନ୍ଦସୌର ଅମରପୁରା ଗାଁରେ। ବ୍ୟକ୍ତି ଜଣକ ଏକ ବାଇକରେ ପାଣି ଟବ ବିକ୍ରି କରୁଥିଲେ। ଗୁରୁବାର ଦିନ ରାୟଗଡା ସହର ଡିଆଇବି ଛକ ନିକଟରେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲା। ତାଙ୍କୁ ଅଟକାଇ ଟ୍ରାଫିକ ପୋଲିସ କାଗଜପତ୍ର ଦେଖାଇବାକୁ କହିଥିଲା। ପରିବହନ ବିଭାଗ ଅଧିକାରୀ ପୋଲିସ କର୍ମୀଙ୍କ ସହ ତାଙ୍କ କାଗଜପତ୍ର ଯାଞ୍ଚ କରିଥିଲେ।

ପରିବହନ ବିଭାଗ ପ୍ରକାଶଙ୍କ ନାଁରେ ଚାଲାଣ କାଟିଥିଲେ। ଚାଲାଣ ଅନୁସାରେ ସେ ବିନା ହେଲମେଟରେ ଗାଡି ଚଲାଉଥିଲେ। ତାଙ୍କ ବାଇକର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ନଥିଲା। ସେ ମଧ୍ୟ ପ୍ରଦେଶରେ ବାଇକ କିଣି ବିନା ରେଜିଷ୍ଟ୍ରେସନରେ ଓଡିଶାକୁ ଆସିଥିଲେ। ରାୟଗଡାରେ ସେ ବାଇକରେ ପାଣି ଟବ ବିକ୍ରି କରିଥିଲେ।

ରେଜିଷ୍ଟ୍ରେସନ ନମ୍ବର, ଅନ୍ୟାନ୍ୟ କାଗଜପତ୍ର ଓ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚଲାଇବା ଏବଂ ହେଲମେଟ ପିନ୍ଧି ନଥିବାରୁ ପରିବହନ ବିଭାଗ ତାଙ୍କ ଉପରେ ୧ ଲକ୍ଷ ୧୩ ହଜାର ଟଙ୍କାର ଜରିମାନା ଲଗାଇଛି। ହେଲମେଟ ପିନ୍ଧି ନ ଥିବାରୁ ହଜାରେ ଟଙ୍କା, ଗାଡିର ବୀମା କରିନଥିବାରୁ ୨ ହଜାର, ଗାଡିର ରେଜିଷ୍ଟ୍ରେସନ କରିନଥିବାରୁ ୫ ହଜାର, ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା ଜରିମାନା ପକାଇଥିଲେ। ଗାଡି ବିକ୍ରେତା ଦ୍ୱାରା ଗାଡି ବିକ୍ରି ସମୟରେ CH -VII 182 A -1 ନିୟମ ଉଲଙ୍ଘନ ମାମଲାରେ ଏକ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.