ବାଇକ୍ ସୋ'ରୁମ ପ୍ରେମ ବେଶୀ ଦିନ ଗଲାନି, ବାହାଘର ପରେ ମିଶିଲାନି ମନ, ଛାଞ୍ଚୁଣୀରେ ବୋହୂକୁ ପିଟି ତଡିଦେଲା ଶାଶୂ

Published By : Prameya-News7 Bureau | April 04, 2021 IST

ବାଲିକୁଦା,୦୪/୦୪ : ପ୍ରଥମେ ବାଇକ୍‌ ସୋ’ ରୁମ୍‌ରେ ଦେଖା ହେଲା । ପ୍ରଥମ ଦେଖାରେ ଆଖି ସହ ଆଖି ମିଶିଗଲା । ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ପ୍ରେମ ସମ୍ପର୍କ। କିଛି ଆଗ ପଢ ନଭାବି ଉଭୟେ ଉଭୟଙ୍କ ଜୀବନ ସାଥୀ ଭାବେ ବାଛି ନେଲେ । ହାତ ଧରା ଧରି ହୋଇ ସାରା ଜୀବନ ବିତାଇବାକୁ ନେଇଗଲେ ନିଷ୍ପତ୍ତି । କିନ୍ତୁ ଏହି ଖୁସି ବେଶୀ ଦିନ ରହିଲା ନାହିଁ। ଶେଷରେ ଶାଶୂଘର ଛାଡ଼ି ସ୍ୱାମୀ ସୁଖ ଭୁଲି ପୁଣି ନିଜ ଘରକୁ ନିଜ ଭାଗ୍ୟକୁ ଆଦରି ଫେରି ଆସିବାକୁ ବାଧ୍ୟ ହେଲେ ଯୁବତୀ । ଏପରି ଏକ ଘଟମା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲା ରାହାଣ ପଞ୍ଚାୟତ ଅଞ୍ଚଳରେ ।

ସୂଚନା ମୁତାବକ ଅନନ୍ତପୁର ଫାଣ୍ଡି ଅଧୀନ ରାହାଣ ପଞ୍ଚାୟତ ଅଞ୍ଚଳର ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ବାଲିକୁଦା ଅଞ୍ଚଳର ଏକ ବାଇକ୍‌ ସୋ’ ରୁମରେ ଚାକିରି କରିଥିଲେ । ଏହି ସମୟରେ ସୋ’ ରୁମ୍‌କୁ ଗାଡ଼ି କିସ୍ତି ଦେବାକୁ ଆସିଥିବା ନାଉଗାଁ ଥାନା ଅଧୀନ ଗଙ୍ଗଦା ଗାଁର ଦାମୋଦର ବିଶ୍ୱାଳଙ୍କ ପୁଅ ଆଲୋକଙ୍କ ସହ ପରିଚିତ ହୋଇଥିଲା । ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଫୋନରେ କଥା ବାର୍ତ୍ତା ପରେ ଯୁବତୀଙ୍କୁ ବିବାହ ନକଲେ ମୁଁ ଆତ୍ମହତ୍ୟା କରିବି ବୋଲି ମଧ୍ୟ ଧମକ ଦେଲେ ଆଲୋକ । ଗତ ୭ ତାରିଖ ରାତିରେ ପ୍ରେମିକାଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲେ । ୧୧ ତାରିଖରେ ଗାଁ ମୁଣ୍ଡରେ ଥିବା ଗାଦି ଗୋସାଇଁଙ୍କ ପୀଠରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହା ଜାଣି ଯୁବତୀଙ୍କ ପରିବାର ଲୋକେ ବିବାହ ପଞ୍ଜିକରଣ ଓ ଏକ ଚୁକ୍ତିପତ୍ର କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏଥିରେ ରାଜି ହୋଇ ନଥିଲେ ଜ୍ୱାଇଁ ଆଲୋକ । ପରେ ନବ ବଧୂଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲା ବୋଲି ଶାଶୂଘର ଗାଁ ଲୋକେ କହିବା ସହିତ ଶାଶୂ ଘର ଲୋକେ ତାଙ୍କୁ ମାନସିକ ରୋଗୀ ବୋଲି ଭାବି ନେଇଥିଲେ ।

ତେବେ ଝିଅର ଏପରି ଅବସ୍ଥା ଦେଖି ବାପ ଘର ଲୋକେ ବିଚାର ବିମର୍ଶ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କିଛି ଲାଭ ହେଲା ନାହିଁ ।  ସ୍ୱାମୀ ମଧ୍ୟ ମୁହଁ ଆଡ଼େଇ ଚାଲିଗଲେ । ନ୍ୟାୟ ପାଇବା ଆଶାରେ ଶାଶୂ ଘର ସମ୍ମୁଖରେ ବସି ରହିଲେ ଏହି ନବ ବିବାହିତା ମହିଳା ଜଣକ । ଶାଶୂ ଛାଞ୍ଚୁଣିରେ ପିଟି ପିଟି ଘର ଆଗରୁ ବିଦା କରିଦେଲେ । କେହି ତାଙ୍କୁ ନ ଆଦରିବାରୁ ଗାଁ ମୁଣ୍ଡ ଗାଦି ଗୋସେଇଁ ପୀଠରେ ଯେଉଁଠି ଏମାନଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ସେଠାରେ ଯାଇ ବସିଲେ । ମାତ୍ର ସବୁ ଆଡ଼ୁ ନିରାଶ ହେବା ପରେ ସେଠାରୁ ସେ ଫେରି ଆସିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.