ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ, ୪ ଗିରଫ

Published By : Prameya-News7 Bureau | July 22, 2021 IST

ମୁନିଗୁଡା,୨୨/୦୭ : ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ୍ ବଡ ଧରଣର ବାଇକ୍ ଚୋରି ରାକେଟର ପର୍ଦାଫାସ୍ କରିଛି। ୧୦ ଟି ବାଇକ୍ ଜବତ କରିବା ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଦିନକୁ ଦିନ  ଗୁଣୁପୁର ଅଞ୍ଚଳରେ ବାଇକ୍ ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ  ଏହା ଏକ ବଡ ମୁଣ୍ଡବ୍ୟଥା କାରଣ ପାଲଟିଥିଲା ।

ଏନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି।  ଗିରଫ ୪ ଅଭିଯୁକ୍ତ ହେଲେ ବିଦ୍ୟାଧର ଧୋବା  ,ଦେବେନ୍ଦ୍ର ଗଉଡଲି, ଦିପୁ ଶବର ଓ ଚୈତନାଗ ବଂଶ । ସୂଚନାନୁସାରେ, ବଡକାଲମା ଗ୍ରାମର ସୁଦର୍ଶନ ଶବରଙ୍କର ଏକ ବାଇକ ଚୋରି ହୋଇଥିଲା । ଏନେଇ ସେ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଏଚ୍ ଏଫ୍ ଡିଲକ୍ସ ବାଇକ୍ ପୁରୁଣା ବସ ଷ୍ଟାଣ୍ଡ୍ ଠାରୁ ଚୋରି ହୋଇଥିବା ନେଇ ଗୁଣୁପୁର ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତି କରି ପୋଲିସ୍ ତଦନ୍ତ ଜାରି କରିଥିଲେ କିଛି ଦୁର୍ବୁତ୍ତଙ୍କ ସୁରାକ ପାଇ ଗୁଣୁପୁର ଏସଡିପିଓ ଅଜୟ କୁମାର ବାରିକଙ୍କ ତତ୍ବାବଧାନରେ ଥାନା ଅଧିକାରୀ ଜସଓ୍ବନ୍ତ ହିଆଲଙ୍କ ନେତୃତ୍ବରେ ଏସ୍ ଆଇ ସୁଶାନ୍ତ ବେହେରା  ଅନେକ ସ୍ଥାନରେ ଚଢଉ କରିଥିଲେ।

ବିଭିନ୍ନ ସ୍ଥାନରେ ଚଢଉ କରାଯାଇ  ପୋଲିସ୍ ୧୦ ଟି ବାଇକ୍ ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗକାରୀ ସୁଦର୍ଶନ ଶବରଙ୍କୁ ତାଙ୍କ ହଜି ଯାଇଥିବା ଗାଡିକୁ ପୋଲିସ୍ ହସ୍ତାନ୍ତର କରିଛି। ଅନ୍ୟ ଗାଡି ଗୁଡିକର ଯାଞ୍ଚ କରି ବାଇକ୍ ମାଲିକ ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.