ବାଇକକୁ ଧକ୍କା ଦେଲା ଟ୍ରକ୍ : ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ,ଯୁବତୀ ଗୁରୁତର
27/05/2019 at 5:27 PM

ଢେଙ୍କାନାଳ ୨୭/୫: ଢେଙ୍କାନାଳ ସହରର କଣ୍ଠାନାଳି ବାଇପାସ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନୁଗୁଳପଟୁ ଢେଙ୍କାନାଳ ଆଡ଼କୁ ଆସୁଥିବା ଏକ ବାଇକକୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ବାଇକ୍ ଚଳାଉଥିବା ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବାଇକ୍ ପଛରେ ବସିଥିବା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକ ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଏକଘରିଆ ଗାଁର ଅମରଜିତ ସ୍ବାଇଁ ବୋଲି ଜଣାପଡ଼ିଛି। ସେହିଭଳି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଯୁବତୀଜଣକ ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ରାଧାଦେଈପୁରର ଇତିଶ୍ରୀ ରାଉତ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଫେରାର ହୋଇଯାଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା କ୍ଲିୟର କରିବା ସହ ମୃତ ଯୁବକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ କିମ୍ବା ଆହତଙ୍କ ସମ୍ପର୍କୀୟ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି।
