ବିକାଶ ଦୁବେକୁ ଏନକାଉଣ୍ଟର୍, ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ଗୁଳିରେ ନିହତ
10/07/2020 at 7:19 AM

କାନପୁର, ୧୦|୦୭: ଉତ୍ତର ପ୍ରଦେଶର କାନପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି କାରରେ ଗିରଫ ହୋଇଥିବା ବିକାଶ ଦୁବେ ଥିବା କୁହାଯାଉଛି । ଏହି ଦୁର୍ଘଟଣାରେ କାର୍ଟି ଓଲଟି ଯାଇଥିଲା ।
ତେବେ ଦୁର୍ଘଟଣା ପରେ ବିକାଶ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା । ଏହି ସମୟରେ ପୋଲିସ ସହ ତାହାର ମୁହାଁମୁହିଁ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ଏନକାଉଣ୍ଟରରେ ବିକାଶ ପ୍ରାଣ ହରାଇଥିବା କୁହାଯାଉଛି ।
ପୋଲିସ ସୂତ୍ରାନୁସାରେ, ଏନକାଉଣ୍ଟରରେ ବିକାଶ ଗୁରୁତର ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପାଗ ଖରାପ ହେତୁ ଗାଡି ଓଲଟି ପଡିଥିବା ପୋଲିସ କହିଛି । ଗାଡିରେ ବିକାଶ ମଝି ସିଟରେ ବସି ଥିଲା । ତାନିକଟରେ କମାଣ୍ଡୋମାନେ ବସିଥିଲେ ।ତେବେ ସରକାରୀ ଭାବେ ଏହି ଘଟଣା ବାବଦରେ ସ୍ପଷ୍ଟ କରାଯାଇ ନାହିଁ ।
ସୂଚନାନୁସାରେ, ବିକାଶ ଦୁବେକୁ କାନପୁର ନେବା ବେଳେ ଏସଟିଏଫର ଗାଡି ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାନପୁର ଟୋଲଗେଟ୍ରୁ ୨୫ କିମି ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରୁ ୮ କିମି ଦୂରରେ ବିକାଶ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।