ପୋଲିସ ଅଧିକାରୀଙ୍କୁ ଫ୍ଲାଟ୍ ଦେଇଥିଲା ବିକାଶ ଦୁବେ, ଏନକାଉଣ୍ଟରରୁ ବର୍ତ୍ତିବା ପାଇଁ ମିଳିଥିଲା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍
11/07/2020 at 11:30 AM

କାନପୁର, ୧୧|୦୭: କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧି ବିକାଶ ଦୁବେ ଏନକାଉଣ୍ଟରରେ ପ୍ରାଣ ହରାଇଛି । ଏବେ ୟୁପି ପୋଲିସ ତାର ସହଯୋଗୀଙ୍କ ସନ୍ଧାନରେ ଲାଗିପଡିଛି । ବିକାଶକୁ ଉଜ୍ଜୟିନୀରେ ଶରଣ ଦେଇଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ଏନକାଉଣ୍ଟର ପୂର୍ବରୁ ବିକାଶକୁ ଫେରାର ହେବାରେ ସାହାଯ୍ୟ କରିଥିଲେ ସେମାନେ ମଧ୍ୟ ସ୍କାନରରେ ରହିଛନ୍ତି ।
ବିକାଶକୁ ଏସଟିଏଫ ପଚାରଉଚୁରା କରିଥିଲା । ଏଥିରେ ଜଣାପଡିଥିଲା ଯେ, ବିକାଶ ଅନେକ ପୋଲିସ ଅଧିକାରୀଙ୍କୁ ଶସ୍ତାରେ ଫ୍ଲାଟ୍ ଦେଇଥିଲା । ଏପରିକି କିଛି ଅଧିକାରୀଙ୍କୁ ମାସିକିଆ ବଟି ଦେଉଥିଲା । ଏହି ପୋଲିସ ଅଧିକାରୀଙ୍କ ସନ୍ଧାନ ଆରମ୍ଭ ହୋଇଛି ।
ସୂତ୍ରାନୁସାରେ, ଉଜ୍ଜୟିନୀର ଏକ ମଦ ବ୍ୟବସାୟୀ ବିକାଶକୁ ସାହାଯ୍ୟ କରିଥିଲେ । ଏପରିକି ବିକାଶକୁ ଏକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ମଧ୍ୟ ଦେଇଥିଲେ । ସେ ନୋଏଡା ମଧ୍ୟ ୩ ଥର ଯାଇଥିଲା । ଏନେଇ ଫରିଦାବାଦ କିମ୍ବା ୟୁପି ପୋଲିସ କିଛି ଜାଣିପାରି ନଥିଲା । ଜୁଲାଇ ୨ ପର ସେ କାନପୁରରେ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲା । ସେଠାରୁ ଏକ କାର୍ରେ ସେ ଫରିଦାବାଦ ଯାଇଥିଲା ।
ଆହୁରି ମଧ୍ୟ ସେ କୋର୍ଟରେ ଆତ୍ମସମର୍ପଣ କରିବ ବୋଲି ଚିନ୍ତା କରିଥିଲା । ଏଥିପାଇଁ ଓକିଲଙ୍କୁ ୫୦ ହଜାର ଟଙ୍କା ଦେଇଥିଲା । ଏହାମଧ୍ୟରେ ସେ ନୋଏଡାରୁ ଫରିଦାବାଦ ଫେରି ଆସିଥିଲା । ଏହାର ଏକ ଭିଡିଓ ଫୁଟେଜ ମଧ୍ୟ ଭାଇରାଲ ହୋଇଛି ।