ସପ୍ତାହେ ଧରି ବିକାଶ ଦୁବେକୁ ଖୋଜୁଥିଲା ପୋଲିସ, ଗିରଫଦାରୀର ୨୪ ଘଣ୍ଟା ମଧ୍ୟରେ ଏନକାଉଣ୍ଟରରେ ପ୍ରାଣ ହରାଇଲା

Published By : Prameya-News7 Bureau | July 10, 2020 IST

କାନପୁର, ୧୦|୦୭: କାନପୁର ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନକାଉଣ୍ଟରରେ ପ୍ରାଣ ହରାଇଛି । ଉଜ୍ଜୟିନୀରୁ ତାକୁ ୟୁପି ଏସଟିଏଫ କାନପୁର ଆଣୁଥିଲା । ସେହି ସମୟରେ ଏସଟିଏଫର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାର ସୁଯୋଗ ନେଇ ବିକାଶ ଖସିଯିବାକୁ ଉଦ୍ୟମ କରୁଥିଲା । ଏପରିକି ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୋଲିସ ଓ ବିକାଶ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ବିକାଶ ନିହତ ହୋଇଥିଲା ।

ବିକାଶକୁ ପୋଲିସ ଗତ ୭ ଦିନ ଧରି ଖୋଜୁଥିଲା । କିନ୍ତୁ ପୋଲିସ ତାକୁ ଧରିବାରେ ବିଫଳ ହୋଇଥିଲା । ଗୁରୁବାର ବିକାଶ ହଠାତ ଉଜ୍ଜୟିନୀ ମହାକାଳ ମନ୍ଦିରରରେ ଦେଖାଦେଇଥିଲା । ସେଠାରୁ ପୋଲିସ ତାକୁ ଗିରଫ କରିଥିଲା । ଗିରଫଦାରିର ୨୪ ଘଣ୍ଟା ମଧ୍ୟରେ ବିକାଶ ଏନକାଉଣ୍ଟରରେ ପ୍ରାଣ ହରାଇଛି ।

ଗୁରୁବାରଠାରୁ ଏନକାଉଣ୍ଟର ଯାଏଁର ଘଟଣା

ବିକାଶକୁ ୟୁପି ପୋଲିସ ହରିୟାଣା ଓ ରାଜସ୍ଥାନରେ ଖୋଜୁଥିଲା । କିନ୍ତୁ ସେ ମଧ୍ୟପ୍ରଦେଶ ଉଜ୍ଜୟିନୀକୁ ଖସି ଆସିଥିଲା । ସେଠାରେ ଉପସ୍ଥିତ କିଛି ପୋଲିସ କର୍ମୀ ବିକାଶକୁ ଚିହ୍ନଟ କରିଥିଲେ ଓ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ । ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା ।

ପୋଲିସ ମନ୍ଦିରରୁ ବାହାରକୁ ଆସିବା ପରେ ବିକାଶକୁ ଜେରା କରିଥିଲା । ତାକୁ ପରିଚୟ ପ୍ରମାଣପତ୍ର ମାଗିଥିଲେ । କିନ୍ତୁ ସେ ଆଇଡି ନଦେଇ ଓଲଟା ଯୁକ୍ତିତର୍କ କରିଥିଲା । ଏହାପରେ ପୋଲିସ ତାକୁ ନେବା ବେଳେ ସେ ଜୋରରେ ପାଟିକରି କାନପୁରର ବିକାଶ ବୋଲି କହିଥିଲା ।

ଗୁରୁବାର ସନ୍ଧ୍ୟାରେ ବିକାଶକୁ ମଧ୍ୟପ୍ରଦେଶରୁ ୟୁପିକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୟୁପି ଏସଟିଏଫର ଟିମ୍ ତାକୁ ଧରି କାନପୁର ଗସ୍ତ କରିଥିଲା ।

ଶୁକ୍ରବାର ସକାଳେ ଏସଟିଏଫର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସିଥିଲା । ଏହି ସମୟରେ ବିକାଶ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.