ସବୁ ଆକଳନ ଭୁଲ ହେଲା, କେନ୍ଦୁଝର ଲୋକସଭା ଆସନରୁ ଜିତିଲେ ଚନ୍ଦ୍ରାଣୀ ମୁର୍ମୁ
23/05/2019 at 11:07 PM

ଭୁବନେଶ୍ବର ୨୩|୫: କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ ହୋଇଛନ୍ତି। ଏଠାରେ ଚନ୍ଦ୍ରାଣୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅନନ୍ତ ନାୟକଙ୍କୁ ୬୫ ହଜାର ୪୨୯ଟି ଭୋଟରେ ପରାସ୍ତ କରିଛନ୍ତି। ଚନ୍ଦ୍ରାଣୀଙ୍କୁ ୫ ଲକ୍ଷ ୧୮ ହଜାର ୪୧୩ଖଣ୍ଡ ଭୋଟ ମିଳିଥିବା ବେଳେ ଅନନ୍ତଙ୍କୁ ମିଳିଥିଲା ୪ଲକ୍ଷ ୫୨ହଜାର ୯୮୪ଟି ଭୋଟ। ଏଠାରେ କଂଗ୍ରେସ ମୋହନ କୁମାର ହେମ୍ବ୍ରମ ମଧ୍ୟ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ। ତାଙ୍କୁ ମୋଟ ୧ଲକ୍ଷ ୨୭ ହଜାର ୧୧୪ଟି ଭୋଟ ମିଳିଛି।
ଆସିକା ଲୋକସଭା ଆସନରେ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ନବୀନ ଯେମିତି ସମସ୍ତଙ୍କୁ ଚକିତ କରିଥିଲେ ଠିକ୍ ସେମିତି କେନ୍ଦୁଝର କ୍ଷେତ୍ରରେ ମଧ୍ୟ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ ନବୀନ । ବୟସ ଦୃଷ୍ଟିରୁ ଚନ୍ଦ୍ରାଣୀ ସର୍ବ କନିଷ୍ଠ ହୋଇଥିବାବେଳେ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା ।
ଚନ୍ଦ୍ରାଣୀ ପ୍ରାର୍ଥୀହେବା ପରେ ବିଭିନ୍ନ ବିବାଦରେ ମଧ୍ୟ ଛନ୍ଦି ହୋଇପଡିଥିଲେ । ତାଙ୍କର ଏକ ମିଛ ଅଶ୍ଳୀଳ ଭିଡିଓ ଭାଇରାଲ୍ କରାଯାଇଥିଲା । ତେବେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ବିଜେପି ଆଇଟି ସେଲ୍ ର ଜଣେ କର୍ମକର୍ତ୍ତା ଓ ଦୁଇ ଜଣ ସାମ୍ବାଦିକଙ୍କ ସହ ମୋଟ ୬ଜଣଙ୍କୁ ଗିରଫ କରିଥିଲା ।
କେନ୍ଦୁଝରର ପ୍ରଭାବଶାଳୀ ନେତା ସନା ମହାକୁଡଙ୍କ ସୁପାରିଶ କ୍ରମେ ବିଜେଡି ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । କେନ୍ଦୁଝର ଲୋକସଭା ଆସନରେ ବିଜେପି ତାର ପାରମ୍ପରିକ ପ୍ରାର୍ଥୀ ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ଟିକେଟ୍ ଦେଇଥିବା ବେଳେ କଂଗ୍ରେସ ମୋହନ କୁମାର ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସବୁ ବରିଷ୍ଠଙ୍କୁ ପଛରେ ପକାଇ ଚନ୍ଦ୍ରାଣୀ ବିଜୟୀ ହୋଇଛନ୍ତି।