ଖୋଲିଲା ଗୁମର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ନୁହେଁ, ଲାଗିଛି କେନ୍ଦ୍ରର ୭୦୦କୋଟି
5/09/2018 at 6:03 PM

ଭୁବନେଶ୍ବର୫|୯: ନିର୍ବାଚନକୁ ନଜରରେ ରଖି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଥୋପ ପକାଇଥିଲେ ରାଜ୍ୟ ସରକାର । କେନ୍ଦ୍ରର ଆୟୂଷ୍ମାନ ଯୋଜନାରୁ ବାହାରି ଯାଇ ନିଜସ୍ବ ଅର୍ଥରେ ଯୋଜନା ଘୋଷଣା କରିଥିଲେ । ହେଲେ ୨୦୭୫ କୋଟି ଟଙ୍କାର ଏହି ଯୋଜନାରେ କେନ୍ଦ୍ରର ୭୦୦ କୋଟି ଥିବା ଜଣାପଡ଼ିଛି । ଅତିରିକ୍ତ ବଜେଟ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା ନିଜେ ସ୍ପଷ୍ଟ କରିଛନ୍ତି ଅର୍ଥ ସଚିବ । ଆଉ ଏହା ଜଣାପଡ଼ିବା ପରେ ଚିହିଁକି ଉଠିଛନ୍ତି ବିରୋଧୀ ।
ଖୋଲିଗଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପୋଲ୍ । ରାଜ୍ୟ ସରକାରଙ୍କ ଅର୍ଥ ସଚିବଙ୍କ ମୁହଁରୁ ହିଁ ପୋଲ୍ ଖୋଲିଗଲା । ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ଯୋଜନାରୁ ରାଜ୍ୟ ସରକାର ବାଃ ବାଃ ସାଉଣ୍ଟୁଥିଲେ, ଏବେ ସେଥିରେ ରହିଛି କେନ୍ଦ୍ରର ୭୦୦ କୋଟି ଟଙ୍କା ଅନୁଦାନ । ଅତିରିକ୍ତ ବଜେଟ୍ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେ ଏହା କହିଛନ୍ତି । କେନ୍ଦ୍ରର ଆୟୂଷ୍ମାନ ଯୋଜନାକୁ ପ୍ରତ୍ୟାଖାନ କରି ସରକାର ନିଜ ଅର୍ଥରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି ବୋଲି, ଯେଉଁ ଡିଣ୍ଡିମ ପିଟୁଥିଲେ ତାହା ଧରା ପଡ଼ିଯାଇଛି । ଅର୍ଥ ସଚିବ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଅମ୍ବ୍ରେଲା ପ୍ରୋଗ୍ରାମ । ବିଭିନ୍ନ ସ୍କିମର ଅର୍ଥକୁ ଏକାଠି କରି ଏହି ଯୋଜନା ଆରମ୍ଭ ହୋଇଛି । ଏଥିରେ ନିଦାନ, ସମ୍ପୂର୍ଣ, ସ୍ବାସ୍ଥ୍ୟ ସହାୟ, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବୀମା ଯୋଜନାର ଅର୍ଥ ବି ସାମିଲ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨ ହଜାର ୭୫ କୋଟି ବ୍ୟୟବରାଦ ଥିବା ବେଳେ ଏଥିରେ କେନ୍ଦ୍ର ଅଂଶ ୭୦୦ କୋଟି ଓ ରାଜ୍ୟର ୧୩୭୫ କୋଟି ଅଂଶ ରହିଛି ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କର ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । ଏହା ଇନକ୍ଲୁସିଭ୍ ନୁହେଁ ବରଂ ରାଜ୍ୟର ଏକ୍ସକ୍ଲୁସିଭ୍ କାର୍ଯ୍ୟକ୍ରମ ବୋଲି ଧାରଣା ସୃଷ୍ଟି ହୋଇଥିଲା । ଅଗଷ୍ଟ ୧୫ ତାରିଖରେ ବେଶ୍ ଧୁମ୍ ଧାମ୍ ରେ ଏହାକୁ ଲଞ୍ଚ୍ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସାରା ଛାଇ ଯାଇଥିଲା ବଡ଼ ବଡ଼ ପୋଷ୍ଟର୍ ଓ ବ୍ୟାନର । କେନ୍ଦ୍ରର ଆୟୂଷ୍ମାନ ଯୋଜନାରେ ରାଜ୍ୟର ୬୧ ଲକ୍ଷ ପରିବାରକୁ ନିଆଯାଉଥିବାରୁ ତାକୁ ବିରୋଧ କରି ରାଜ୍ୟ ସରକାର ନିଜସ୍ବ ଅର୍ଥରେ ୭୦ ଲକ୍ଷ ପରିବାର ପାଇଁ ସ୍ବାସ୍ଥ୍ୟ ବୀମା ଘୋଷଣା କରିଥିଲେ । ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । କିନ୍ତୁ ଏବେ ସେଥିରେ କେନ୍ଦ୍ରୀୟ ଅଂଶ ଥିବା ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ସେପଟେ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୮୧ କୋଟିର ବ୍ୟବସ୍ଥା ହୋଇଛି ଅତିରିକ୍ତ ବଜେଟରେ । ଯାହାକୁ ମଧ୍ୟ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି । ଏତେ କମ୍ ଅର୍ଥରେ ରାଜ୍ୟ ସରକାର ୩୪ ଲକ୍ଷ ଲୋକଙ୍କୁ କିଭଳି ଖାଦ୍ୟ ଯୋଗାଇବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।