ଆସନ୍ତା ୧୫ ତାରିଖରୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା

Published By : Prameya-News7 Bureau | August 08, 2018 IST

ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସରୁ ରାଜ୍ୟରେ ଲାଗୁହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନ(BSKY)। ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ରବଣ୍ଟନ କାର୍ଯ୍ୟକ୍ରମ। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶାବଳୀ ଜାରି ହୋଇଥବାବେଳେ ସପ୍ତାହକ ମଧ୍ୟରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଏହି ମର୍ମରେ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟରେ ପଞ୍ଜୀକୃତ ୪୪,୦୮,୦୭୦ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା(RSBY) ଓ ବିଜୁ କୃଷକ କଲ୍ୟାଣ ଯୋଜନା(BKKY)ରେ ଥିବା ୨୫,୬୧,୬୦୨ ମୋଟ ୬୯,୬୯,୬୭୨ଜଣ ହିତାଧିକାରୀଙ୍କୁ ଏହି ପତ୍ର ଦିଆଯିବ। (BSKY) ହିତାଧିକାରୀଙ୍କୁ ପତ୍ର ବଣ୍ଟନ ଲାଗି ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ। ଜିଲ୍ଲାପାଳ କମିଟିର ଅଧ୍ୟକ୍ଷ ରହିବେ ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହି ଅଧିକାରୀ କିମ୍ବା କମିଶନର ଏହାର ସଦସ୍ୟ ରହିବେ। ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା କୃଷି ଉପନିର୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଡିଆରଡିଏ ପ୍ରକଳ୍ପ ଅଧିକାରୀ ଏହାର ସଦସ୍ୟ ରହିବେ। ଅନୁରୂପ ଭାବେ ବ୍ଳକ୍ ସ୍ତରରେ ମଧ୍ୟ କମିଟି ଗଠନ କରାଯିବ। ବ୍ଳକ୍ ସ୍ତରୀୟ କମିଟିରେ ବିଡିଓ ଏହାର ଅଧ୍ୟକ୍ଷ ରହିବେ। ତହସିଲଦାର,ଜିଲ୍ଲା କୃଷି ଅଧିକାରୀ, ଏବିଡିଓ,ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଓ ସିଡିପିଓ ଏହାର ସଦସ୍ୟ ରହିବେ। ଏହି କମିଟି ବିଏସକେଓ୍ବାଇ ପତ୍ରବଣ୍ଟନର ଅନୁଧ୍ୟାନ କରିବେ। ପ୍ରତିଦିନ ସନ୍ଧ୍ୟା ୬ଟା ପୂର୍ବରୁ ବିଡିଓ ଏହି ରିପୋର୍ଟକୁ ଜିଲ୍ଲାପାଳଙ୍କୁ ପଠାଇବା ପାଇଁ ନିର୍ଦେଶାବଳୀରେ କୁହାଯାଇଛି। ପ୍ରତିଦିନ କେତେ ପରିମାଣ ବିଏସକେଓ୍ବାଇ ପତ୍ର ବଣ୍ଟନ କରାଗଲା କମିଟି ତାହାର ସମୀକ୍ଷା କରିବ। ବିଡିଓଙ୍କ ଠାରୁ ପ୍ରତିଦିନ ମିଳିବାକୁ ଥିବା ହିସାବକୁ ଜିଲ୍ଳାପାଳ ଇମେଲ ଦ୍ବାରା ରାଜ୍ୟ ସ୍ତରକୁ ପଠାଇବେ। ବିଏସକେଓ୍ବାଇ ପତ୍ରଗୁଡ଼ିକ ରାଜ୍ୟ ସ୍ତରରେ ଛପାଯିବ। ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ ନୋଡ଼ାଲ ଅଫିସରଙ୍କୁ ରାଜ୍ୟ ସ୍ତରର ଅଧିକାରୀମାନେ ପତ୍ର ସହିତ ହିତାଧିକାରୀଙ୍କ ତାଲିକା ପ୍ରଦାନ କରିବେ। ନୋଡ଼ାଲ ଅଫିସରମାନେ ଏହାକୁ ବିଡିଓଙ୍କୁ ଦେବେ। ବିଡିଓ ଏହି ପତ୍ରକୁ ଗ୍ରାମ୍ୟ କୃଷିକର୍ମୀ, ଗ୍ରାମ୍ୟ ରୋଜଗାର ସାଥୀ,ଅଙ୍ଗନଓ୍ବାଡ଼ିକର୍ମୀ,ଆଶା,ରାଜସ୍ବ ନିରୀକ୍ଷକ ଓ ଭିଏଲଡବ୍ଳୁମାନଙ୍କ ମାଧ୍ୟମରେ ବଣ୍ଟନ କରାଇବେ। ଗ୍ରାମ୍ୟ ସ୍ତରରେ ପତ୍ର ବଣ୍ଟନକୁ ସ୍ବାସ୍ଥ୍ୟକର୍ମୀ ଆଇସିଡିଏସ୍ ସୁପରଭାଇଜର,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆରଆଇମାନେ ତଦାରଖ କରିବେ। କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଓ୍ବାର୍ଡ଼ ସ୍ତରରେ ଏହି ପତ୍ରକୁ ଟିକସ ସଂଗ୍ରହକାରୀ,ଆରଆଇ,ଅଙ୍ଗନଓ୍ବାଡ଼ିକର୍ମୀ ଓ ସହରାଞ୍ଚଳ ଆଶାମାନଙ୍କୁ ପ୍ରଦାନ କରିବେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପତ୍ର ବଣ୍ଟନ ସଂକ୍ରାନ୍ତରେ ତଳସ୍ତରରୁ କିଭଳି ଜିଲ୍ଲାପାଳଙ୍କ ନିକଟକୁ ରିପୋର୍ଟ ଆସିବ ସେ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଫରମାର୍ଟ ଜାରି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.