ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ଡିଓ ଅସିତ ପାତ୍ର ଗିରଫ, କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ଫେରାର
17/01/2021 at 4:20 PM

ନବରଙ୍ଗପୁର ୧୭/୦୧: ନବରଙ୍ଗପୁରର ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ଅସିତ ପାତ୍ର ଗିରଫ । ଅସିତ ପାତ୍ରଙ୍କୁ ରାୟଗଡାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରୁ ଗିରଫ କରିଛି ନବରଙ୍ଗପୁର ପୋଲିସ। ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଦୁଇ ଜଣ ବିଭାଗୀୟ ଅଧିକାରୀ ଏସଡ଼ିଓ ଅସିତ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁଙ୍କ ସହ ବିଜୁ ସେତୁ ନିର୍ମାଣ କରୁଥିବା ଠିକାଦାର ଆଶିଷ କୁମାର ବିଶ୍ବାଳଙ୍କ ନାଁରେ ଉମରକୋଟ ଥାନାରେ ଏତଲା ହୋଇଥିଲା।
ସେତୁ ଭୁଶୁଡିବା ଘଟଣାର ପରଦିନ ଠାରୁ ଏହି ୩ ଜଣ ଫେରାର ଥିଲେ। ନବରଙ୍ଗପୁର ପୋଲିସ ଏମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଜାରି ରଖିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଶେଷରେ ରାୟଗଡ଼ାର ଏକ ସମ୍ପର୍କୀୟଙ୍କ ଘରୁ ଏସଡ଼ିଓ ଅସିତ ପାତ୍ରଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରିଛି।
ଗତ ୧୦ ତାରିଖ ଦିନ ତାଳପଦର ବିଜୁ ସେତୁ ଭୁଶୁଡି ଜଣକର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ। ଏହି ଘଟଣାର ତୁରନ୍ତ ପରେ ଉନ୍ନୟନ ବିଭାଗ କମିଶନର ପ୍ରଦୀପ କୁମାର ଜେନା ସମ୍ପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବାପାଇଁ ନିର୍ଦେଶ ଦେବସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଇଞ୍ଜିନିଅର ଇନ ଚିଫଙ୍କୁ ନିର୍ଦେଶ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁ ଓ ଠିକାଦାର ଆଶିଷ କୁମାର ବିଶ୍ବାଳ ଏବେବି ଫେରାର ଅଛନ୍ତି।