ଖୁବଶୀଘ୍ର ଓଡ଼ିଶାକୁ ଆସୁଛି ବିଜୁ ବାବୁଙ୍କ ‘ଡାକୋଟା’

Published By : Prameya-News7 Bureau | January 15, 2020 IST

ଭୁବନେଶ୍ୱର ୧୫/୧ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା’ ଖୁବଶୀଘ୍ର ଓଡ଼ିଶା ଆସିବ । ଏ ନେଇ ରାଜ୍ୟ ସରକାର ଏବେ କମର କଷି ଲାଗି ପଡ଼ିଛନ୍ତି । ଯେମିତି ହେଉ ଡାକୋଟାକୁ କୋଲକାତାରୁ ଭୁବନେଶ୍ୱର ଅଣାଯିବ, ସେ ଦିଗରେ ଘନ ଘନ ବୈଠକ ବସି ଆଲୋଚନା କରାଯାଉଛି । କୋଲକାତାରୁ ଡାକୋଟା ବିମାନର ପାର୍ଟସକୁ ଖୋଲି କରି ଏହାକୁ ଅଣାଯିବ । ଭୁବନେଶ୍ୱରରେ ପାର୍ଟସକୁ ଖଞ୍ଜିବା ପରେ ଏହି ପୁରାତନ ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦରର ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ । ସାରା ବିଶ୍ୱବାସୀଙ୍କୁ ବିଜୁ ବାବୁଙ୍କ ବୀରତ୍ୱ ଗାଥା କହିବ ‘ଡାକୋଟା’ । ଏଭଳି ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ତେଜିଛି । ଆସନ୍ତା ୧୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ସମ୍ଭାବନା ଅଛି ।

ବିଜୁ ବାବୁଙ୍କ ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସରେ ୧୪ଟି ବିମାନ ଥିଲା। ଏଥିମଧ୍ୟରୁ ଡାକୋଟା ଥିଲା ତାଙ୍କର ସବୁଠୁ ପ୍ରିୟ। ଡାକୋଟାକୁ ନିଜେ ବିଜୁ ବାବୁ ବ୍ୟବହାର କରୁଥିଲେ। ଏପରିକି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶତ୍ରୁପକ୍ଷର ଛାତିଚିରି ନିଜର ପରାକାଷ୍ଠା ଦେଖାଇଥିଲା ଡାକୋଟା। ମାତ୍ର ପରବର୍ତ୍ତୀ ସମୟରେ ଡାକୋଟା ବିମାନର କିଛି ଖବର ନଥିଲା। ହେଲେ ହଠାତ୍‌ ଏହି ଡାକୋଟା ବିମାନକୁ କୋଲକତା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଐତିହାସିକ ଅନୀଲ ଧୀର୍‌ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଜୁ ବାବୁଙ୍କ ଏହା ପ୍ରିୟ ବିମାନ ଥିବାରୁ ଏହାକୁ ଓଡ଼ିଶାକୁ ଆଣିବାକୁ ଦାବି ହୋଇଥିଲା। ଏହା ପରେ ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତାରୁ ଆଣି କଟକସ୍ଥିତ ବିଜୁ ବାବୁଙ୍କ ବାସଭବନ ‘ଆନନ୍ଦଭବନ’ ସଂଗ୍ରହାଳୟରେ ରଖିବାକୁ ଯୋଜନା କରିଥିଲେ। 

ମାତ୍ର ଆନନ୍ଦ ଭବନରେ ଜାଗା ଅଭାବ କାରଣରୁ ଏହି ଯୋଜନା ବାତିଲ ହୋଇଥିଲା। ପରେ ଯୋଜନା ହେଲା, ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରଖି ସାରା ବିଶ୍ୱବାସୀଙ୍କ ସମ୍ମୁଖରେ ବିଜୁ ବାବୁଙ୍କ ବୀରତ୍ୱ ଗାଥାର ଜ୍ୱଳନ୍ତ ପ୍ରମାଣ ପ୍ରଦର୍ଶନ କରାଯିବ। ଏଥିପାଇଁ ୧୦ କୋଟି ଟଙ୍କା ସଂସ୍କୃତି ବିଭାଗର ବଜେଟରେ ରଖାଯାଇଥିଲା। କିନ୍ତୁ, ଏ ଦିଗରେ କିଛି ଅଗ୍ରଗତି ନ ହେବାରୁ ଏହି ଟଙ୍କା ପୁଣି ସରକାରୀ ତହବିଲକୁ ଫେରି ଯାଇଥିଲା। ତେବେ କୋଲକାତା ବିମାନବନ୍ଦରରେ ବହୁ ପୁରୁଣା ବିମାନ ବର୍ଷ ବର୍ଷ ଧରି ପଡ଼ି ରହି ଜାଗା ମାଡ଼ି ବସିଛନ୍ତି। ତେଣୁ ଗତବର୍ଷରୁ ପୁରୁଣା ବିମାନଗୁଡ଼ିକୁ ଲୁହା, ଟିଣ ଦରରେ ବିକ୍ରି ପାଇଁ ଉଦ୍ୟମ ଆରମ୍ଭ ହୋଇଛ । ୫ ବର୍ଷ ଧରି କୋଲକାତା ବିମାନବନ୍ଦରରେ ପଡ଼ି ରହିବା ପରେ ଏଇ ନିକଟରେ ଏକ ପୁରୁଣା ବୋଇଂ ବିମାନକୁ ଲୁହା ସ୍କ୍ରାପ୍‌ ଭଳି ବିକ୍ରି କରାଯାଇଛି । ଟ୍ରକରେ ବିମାନକୁ ଭଙ୍ଗା ଦଦରା ଲୁହା ଭଳି ବୋହି କରି ନିଆଯିବା ଦେଖିବାକୁ ମିଳିଥିଲା ।

ଏଭଳି ଆହୁରି ଡଜନେ ପୁରୁଣା ଅବ୍ୟବହୃତ ବିମାନ କୋଲକାତା ବିମାନବନ୍ଦରରେ ପଡ଼ି ରହିଛି । ସେଥିମଧ୍ୟରେ ବିଜୁବାବୁଙ୍କ ପ୍ରିୟ ଡାକାଟୋ ମଧ୍ୟ ଅଛି । ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ (ଏଏଆଇ) ଏ ନେଇ ବାରମ୍ବାର ଓଡ଼ିଶା ସରକାରଙ୍କୁ ଅବଗତ କରିଛନ୍ତି । ଆସୁଛନ୍ତି । ଡାକୋଟାକୁ କୋଲକାତାରୁ ଓଡ଼ିଶା ନେବା ଲାଗି ରାଜ୍ୟ ସରକାରଙ୍କୁ ଏଏଆଇ କହି ଆସୁଛି । ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ଓଡ଼ିଶା ଆଣିବା ପାଇଁ ନିକଟରେ ପୁରୀର ଜଗନ୍ନାଥ ସେନା ମଧ୍ୟ ଦାବି ଉଠାଇଥିଲା । ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏବେ ତତ୍ପରତା ଦେଖାଇଛନ୍ତି । ବିଜୁବାବୁଙ୍କ ପ୍ରିୟ ଡାକୋଟାକୁ ଓଡ଼ିଶା ଆଣିବା ଲାଗି ରାଜ୍ୟ ପରିବହନ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ପରିବହନ ବିଭାଗ ଏ ନେଇ ବିଚାର ବିମର୍ଷ ଚଳାଇଛି ।

ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ଡାକୋଟା ବିମାନକୁ ସଡ଼କ ପଥରେ କୋଲକାତାରୁ ଓଡ଼ିଶା ଅଣାଯିବ । ହେଲେ ଏତେ ବଡ଼ ବିମାନକୁ ବୋହି ଆଣିବା ସମ୍ଭବପର ନୁହେଁ । ତେଣୁ ବିମାନର ପାର୍ଟସ ଖୋଲି କରି ଏହାକୁ ଅଣାଯିବ । ଭୁବନେଶ୍ୱରରେ ପୁଣି ଏହି ପାର୍ଟସକୁ ଖଞ୍ଜି ବିମାନ ରୂପ ଦିଆଯିବ । ବିମାନର ନଷ୍ଟ ହୋଇଥିବା ଅଂଶକୁ ରଙ୍ଗ ଦିଆଯିବ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ସ୍ଥାନରେ ଡାକୋଟା ରଖିବା ଲାଗି ବ୍ୟବସ୍ଥା ହେବ । ଏହାକୁ ଏମିତି ସ୍ଥାନରେ ରଖାଯିବ, ଯେମିତି ବିମାନବନ୍ଦରକୁ ଆସୁଥିବା ଯାତ୍ରୀ, ପର୍ଯ୍ୟଟକ ଏହାକୁ ଦେଖି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.