ବିଜୁ ମହିଳା ଜନତା ଦଳରେ ନବକଳେବର : ମହିଳ କମିଶନ ଏବଂ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦ ଖାଲି ହେଲା : କାହାକୁ ମିଳିବ ଦାୟିତ୍ବ ?
11/11/2018 at 7:05 PM

ଭୁବନେଶ୍ବର ୧୧|୧୧: ବିଜୁ ମହିଳା ଜନତା ଦଳରେ ନବକଳେବର । ମହିଳା ଓ୍ବିଙ୍ଗରେ ଜମ୍ବୋ ଟିମ ଘୋଷଣା କରି ଆଶାୟୀଙ୍କ ଆଶା ପୂରଣ କରିଛନ୍ତି ନବୀନ । ବିଜୁ ଜନତା ଦଳର ଆଗଧାଡ଼ିର ମହିଳା ନେତ୍ରୀଙ୍କ ମଧ୍ୟରେ ଏହି ଅଦଳ ବଦଳ କରାଯାଇଥିବା ବେଳେ ମହିଳା କମିଶନ ଏବଂ ଭିନ୍ନକ୍ଷମ କମିଶନ ଅଧ୍ୟ ପଦବୀ ଏବେ ଫାଙ୍କା ରହିଛି ଯାହାକୁ ନେଇ ଉଠିଛି ନାନାଦି ଚର୍ଚ୍ଚା ।
ବିଜୁ ମହିଳା ଜନତା ଦଳରେ ନବୀନଙ୍କ ଜମ୍ବୋ ଟିମ । ଦଳର ମହିଳା ଓ୍ବିଙ୍ଗରେ ନବକଳେବର କରିଛନ୍ତି ନବୀନ । ବିଜୁ ମହିଳା ଜନତା ଦଳର ସଭାପତି ପଦରୁ ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ସ୍ଥାନରେ ମିନତୀ ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି। ମିନତୀ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଥିଲେ। ସେହିପରି ମହିଳା କମିଶନ ଅଧ୍ୟକ୍ଷା ଥିବା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ଏହା ସହ ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ ଏବଂ ଗିରିରାଣୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି। ସୁଲତା ଦେଓଙ୍କୁ ସାଧାରଣ ସମ୍ପାଦକ ଏବଂ ଏଲିନା ଦାସଙ୍କୁ ସମ୍ପାଦକ ଦାୟିତ୍ବ ମିଳିଛି ।ଏଥିସହିତ ପ୍ରମିଳା ମଲ୍ଲିକଙ୍କୁ ବିଜୁ ଜନତା ଦଳର ଉପସଭାପତି ଓ ମହିଳା ବିଜେଡିର ଉପଦେଷ୍ଟା କରି ପ୍ରମୋସନ ଦେଇଛନ୍ତି ନବୀନ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଜ୍ୟୋତି ପାଣିଗ୍ରାହୀ ଓ ପୂର୍ବତନ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ରଙ୍କୁ ମଧ୍ୟ ବିଜେଡି ମହିଳାଓ୍ବିଙ୍ଗରେ ଥଇଥାନ କରାଯାଇଛି ।
ନିର୍ବାଚନ ପୂର୍ବରୁ ମହିଳା ସଙ୍ଗଠନକୁ ଦୃଢ କରିବାକୁ ଯୋଜନା କରିଛନ୍ତି ବିଜେଡି ସୁପ୍ରିମୋ । ଏକାଧିକ ଆଶାୟୀଙ୍କୁ ସନ୍ତୁଷ୍ଟ କରିବାକୁ ନବୀନ ଗଢିଛନ୍ତି ମହିଳା ଓ୍ବିଙ୍ଗର ଜମ୍ବୋ ଟିମ । ଯେଉଁଥିରେ ୪ କାର୍ଯ୍ୟକାରୀ ସଭାପତି ଦୁଇ ସଂପାଦକ ଓ ୩ ଉପଦେଷ୍ଟାଙ୍କୁ ନିଆଯାଇଛି । ମହିଳା କମିଶନ ଓ ଭିନ୍ନ କ୍ଷମ କମିଶନ ଅଧ୍ୟକ୍ଷା ପଦରୁ ବିଜେଡିର ଦୁଇ ଟପ ନେତ୍ରୀ ଇସ୍ତଫା ଦେଇଥିଲେ । ପରେ ଯଦିଓ ତାଙ୍କୁ ଅନ୍ୟସ୍ଥାନରେ ଦାୟିତ୍ବ ମିଳିଛି। କିନ୍ତୁ ମହିଳା କମିଶନ ଓ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦ କାହାପାଇଁ ଖାଲି କରାଗଲା ସେନେଇ ନାନା ପ୍ରଶ୍ନ ଉଙ୍କି ମାରିଛି। ଯାହାକୁ ନେଇ ଅବଶ୍ୟ ଦଳର ଏହି ନେତ୍ରୀମାନେ ମୁହଁ ଖୋଲିବାକୁ ନାରାଜ।
ବିଜେଜି ପାଇଁ ମହିଳା ଭୋଟ ବ୍ୟାଙ୍କ ଏକ ବଡ଼ ସପୋର୍ଟ ରହି ଆସିଛି। ଏବେ ଏହି ପରିବର୍ତ୍ତନ ପଛରେ ନବୀନଙ୍କ କି ରଣନୀତି ରହିଛି ତାହା ଉପରେ ରହିଛି ନଜର।