ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ର

Published By : Prameya-News7 Bureau | November 30, 2018 IST

ଭୁବନେଶ୍ବର ୩୦|୧୧: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଦିଲ୍ଲୀପ ରାୟ ଇସ୍ତଫା ଦେବାର ମାତ୍ର କେତେ ମିନିଟ୍ ବ୍ୟବଧାନରେ ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ପଠାଇଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ବିଜୟ ମହାପାତ୍ର । ଦଳରେ ଯାହା ଚାଲିଛି ତାଙ୍କୁ ଠିକ୍ ଲାଗିଲାନି ବୋଲି ସେ କହିଛନ୍ତି । ଦଳରୁ ଇସ୍ତଫା ଦେବା ପରେ ମାସିକିଆ ବିଦେଶ ଗସ୍ତରେ ଦିଲ୍ଲୀପ ରାୟ ଚାଲିଯାଇଛନ୍ତି । ସେ ଫେରିବା ପରେ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ବିଜୟ କହିଛନ୍ତି । ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବିଜୟ କହିଛନ୍ତି ଯେ, ବିଜେପିରେ ମନ୍ଦିରଠାରୁ ମୁଖଶାଳା ବଡ ହୋଇଯାଇଥିଲା । ଦଳ ଭିତରେ ତାଙ୍କର ସ୍ଥିତି ଅପମାନଜନକ ଥିଲା କି ବୋଲି ପ୍ରଶ୍ନକୁ ସେ ଗ୍ରହଣ କରିଥିଲେ । ସେ କହିଥିଲେ ଯେ, ଦଳର ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ଓ ବହୁ ତୁଙ୍ଗ ନେତାଙ୍କ ସହ ସେ ବରାବର ଆଲୋଚନା କରିଥି୍ଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଇସ୍ତଫା ଦେବା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ସେ କହିଥିଲେ । ୨୦୦୯ ମସିହାରେ ସେ ତରବରିଆ ଭାବେ ବିଜେପିରେ ଯୋଗ ଦେଇଥିଲେ ଏବଂ ତାହା ଭୁଲ ନିଷ୍ପତ୍ତି ଥିଲା ବୋଲି ବିଜୟ ସାମ୍ବାଦିକମାନଙ୍କୁ କହିଛନ୍ତି । ବିଜେପି ଓଡିଶାର ସ୍ବାର୍ଥ ପାଇଁ ଜମା ସଚେତନ ନୁହେଁ, ଆଗାମୀ ଦିନରେ ଏହା ଏକ ବଡ ଇସ୍ଯୁ ହେବ ବୋଲି ବିଜୟ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ଓଡିଶାରେ ମିଶନ ୧୨୦ ନେଇ ଅମିତ ଶାହା ଯେଉଁ ଘୋଷଣା କରିଛନ୍ତି ତାହା ସଂପୂର୍ଣ୍ଣ ଭ୍ରମାତ୍ମକ । ଦଳର ନେତାମାନେ ବ୍ୟକ୍ତିଗତ ସ୍ତରରେ ଆଲୋଚନା କଲାବେଳେ ଏହା ସ୍ବୀକାର କରୁଛନ୍ତି । ବିଜେପି ଛାଡିବା ପରେ ସେ ବିଜେଡିରେ ଯୋଗ ଦେବେ କି ବୋଲି ପ୍ରଶ୍ନର ଉତ୍ତରରେ ବିଜୟ କହିଥିଲେ ଯେ, ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ସହ ସେ ଆଲୋଚନା କରିନାହାନ୍ତି । ଏପରିକି ଡାକ୍ତର ଦାମ ରାଉତଙ୍କ ନୂଆ ଦଳ ପ୍ରସଙ୍ଗ ମଧ୍ୟ ସେ ଉଠାଇଥିଲେ । ଆଗାମୀ ଦିନରେ ବିଜୁ ପଟ୍ଟନାୟକ ମଧ୍ୟ ଓଡିଶା ରାଜନୀତିରେ ଏକ ପ୍ରସଙ୍ଗ ହେବେ ବୋଲି ସେ କହିଥିଲେ । ବିଜେପିରୁ ଦିଲ୍ଲୀପ ରାୟଙ୍କ ଇସ୍ତଫାକୁ ସେ ସମର୍ଥନ କରିଥିବା ବେଳେ ତାଙ୍କ ପ୍ରତି ମଧ୍ୟ ବିଜେପି ଅନ୍ୟାୟ କରିଛି ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ବିଜୟ ମହାପାତ୍ର ଦୀର୍ଘଦିନ ହେଲା ବିଜେପିରେ କଣଠେସା ହୋଇ ରହିଥିଲେ । ବିଭିନ୍ନ ସମୟରେ ଦଳର ଷ୍ଟାଣ୍ଡ ବିରୋଧରେ ମତ ଓ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ । ଗତକାଲିଠାରୁ ସେ ସ୍ପଷ୍ଟ କରିସାରିଥିଲେ ଯେ, ସେ ବିଜେପିରୁ ଇସ୍ତଫା ଦେବାକୁ ଯାଉଛନ୍ତି । ଏ ସଂକ୍ରାନ୍ତରେ ସେ ଦିଲ୍ଲୀପ ରାୟଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.