ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା, କହିଲେ 'ନିର୍ବାଚନ ଭଣ୍ଡୁର କରିବା ପାଇଁ ହୋଇଥିଲା ଷଡଯନ୍ତ୍ର'

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର ୨୪|୪: ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ।  ବିଜୟ ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବା ସହ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ ହୋଇଥିବା ବୋଲି କହିଛନ୍ତି । ଶାସକ ଦଳକୁ ଟାର୍ଗେଟ୍ କରି ବିଜୟ କହିଛନ୍ତି ଯେ, ଚାଲିପାରୁନଥିବା ଏବଂ ଆଇସିୟୁରେ ଥିବା ଜଣେ ନେତାଙ୍କୁ ଜାଣିଶୁଣି ପ୍ରାର୍ଥୀ କରାଯାଇଥିଲା । ତାଙ୍କ ଦେହାନ୍ତ ପରେ ମଧ୍ୟ କିଭଳି ନିର୍ବାଚନ ବିଳମ୍ବିତ ହେବ ସେ ନେଇ ଷଡଯନ୍ତ୍ର କରାଯାଉଥିଲା । ସିମ୍ପାଥି ଫ୍ୟାକ୍ଟର ବା ସମବେଦନାମୂଳକ ସମର୍ଥନ କାମ ଦେବନି ବୋଲି ବିଜୟ ଆକଳନ କରିବା ସହ ଏହି ନିର୍ବାଚନମଣ୍ଡଳୀ ଉପରେ ସମଗ୍ର ଦେଶର ନଜର ରହିବ କିନ୍ତୁ ଭୋଟର ଉଚିତ୍ ଜବାବ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୯ତାରିଖ ଚତୁର୍ଥ ପର୍ଯ୍ୟାରେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ୍ ହେବା ପାଇଁ ଧାର୍ଯ୍ୟ ହୋଇଥିଲା । ତେବେ ଗତ ୨୦ତାରିଖରେ ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ହୋଇଯାଇଥିଲା । ଏହି କାରଣରୁ ନିର୍ବାଚନକୁ ସ୍ଥଗିତ କରିବାକୁ ପଡିଥିଲା । ସମସ୍ତେ ଆଶଙ୍କା କରୁଥିଲେ ସମ୍ଭବତଃ ଚଳିତ ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ୬ଟି ପର୍ଯ୍ୟାୟ ମଧ୍ୟରେ ପାଟକୁରା ପାଇଁ ନିର୍ବାଚନ ହେବା ସମ୍ଭବ ନୁହେଁ । ତେବେ ବେଦପ୍ରକାଶଙ୍କ ପରଲୋକ ପରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନିର୍ବାଚନ କମିଶନଙ୍କୁ ଅପିଲ କରି କହିଥିଲେ ଯେ, ଯଥାଶୀଘ୍ର ଅର୍ଥାତ୍ ୬ପର୍ଯ୍ୟାୟ ମଧ୍ୟରେ ହିଁ ପାଟକୁରାର ନିର୍ବାଚନ କରାଯାଉ ।

ପାଟକୁରା ପାଇଁ ନୂଆ ନିର୍ବାଚନ ତାରିଖ ମେ ୧୯ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ନାମାଙ୍କନ ଦାଖଲ ପାଇଁ ମେ ୧ତାରିଖ ଧାର୍ଯ୍ୟ କରାଯାଇଛି । ମେ ୨ତାରିଖରେ ଯାଞ୍ଚ ଓ ୪ତାରିଖରେ ପ୍ରାର୍ଥୀପତ୍ର ପତ୍ୟାହାର ପାଇଁ ନିର୍ବାଚନ କମିଶନ ସୂଚୀ ଘୋଷଣା କରିଛନ୍ତି । ଏହି ତାରିଖ ଘୋଷଣା ହେବା ପରେ ଏବେ ବିଜେଡିର କିଏ ନୂଆ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ସ୍ବର୍ଗତ ବେଦପ୍ରକାଶଙ୍କ ପୁଅ କିମ୍ବା ପତ୍ନୀଙ୍କୁ ପ୍ରାର୍ଥୀ କରି ବିଜେଡି ସିମ୍ପାଥି ଭୋଟ୍ ପାଇବାକୁ ଲକ୍ଷ୍ୟ ରଖିଥିବା ଆଲୋଚନା ହେଉଛି । ତେବେ ବେଦପ୍ରକାଶଙ୍କ ଅବର୍ତ୍ତମାନରେ ସେଠାରୁ ଟିକେଟ୍ ପାଇଁ ପୂର୍ବରୁ ହିଁ ଆଶାୟୀ ଥିବା ତେଜେଶ୍ବର ପରିଡା ପୁଣି ଆଶାବାନ୍ଧି ବସିଛନ୍ତି । ପାଟକୁରାରେ ଯେହେତୁ ବିଜୟଙ୍କ ସ୍ଥିତି ଭଲ ରହିଛି ତେଣୁ ସବୁ ଦିଗକୁ ବିଚାର କରି ବିଜେଡି ପ୍ରାର୍ଥୀ ସ୍ଥିର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.