ପାଟକୁରାରୁ ବିଜୟ ହେଲେ ବିଜେପି ପ୍ରାର୍ଥୀ: କହିଲେ ଏଥର ସ୍ଥିତି ବହୁତ ଭଲ, ଜାଣନ୍ତୁ କାହା ପଲା କେତେ ଭାରି

Published By : Prameya-News7 Bureau | April 01, 2019 IST

ଭୁବନେଶ୍ବର୧|୩;  କେନ୍ଦ୍ରାପଡା ଜିଲ୍ଲା ପାଟକୁରାରୁ ବିଜେପି ବିଜୟ ମହାପାତ୍ରଙ୍କୁ ଟିକେଟ ଦେଇଛି । ଟିକେଟ ପାଇବାପରେ ବିଜୟ କହିଛନ୍ତି ଯେ, ଉଭୟ ପାଟକୁରା ଏବଂ ମହାକାଳପଡାରେ ତାଙ୍କର ଏବଂ ବିଜେପି ସ୍ଥିତି ଭଲ ରହିଛି । ତେବେ ଦଳ ଯେଉଁଠୁ ତାଙ୍କୁ ଟିକେଟ ଦେଲା ସେଠି ସେ ଲଢିବେ । ଦଳ କଥା ନିଶ୍ଚୟ ମାନିବେ । ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ବିଜେଡି ସବୁମତେ ଉଦ୍ୟମ କରିବ । ସେଥିପାଇଁ ତାଙ୍କ ରଣନୀତି କଣ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଜୟ କହିଥିଲେ ଯେ, ପାଟକୁରା ନିର୍ବାଚନମଣ୍ଡଳି ତାଙ୍କର ଜନ୍ମଭୂମି ଏବଂ ମହାକାଳପଡା ନିର୍ବାଚନମଣ୍ଡଳି ତାଙ୍କର କର୍ମଭୂମି । ଉଭୟ ସ୍ଥାନ ସହ ସେ ଭାବଗତ ଭାବେ ଜଡିତ ଏବଂ ଲୋକ ମଧ୍ୟ ତାଙ୍କ ସହ ଭାବଗତଭାବେ ସଂପୃକ୍ତ । ଏଥରର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଏଥର ବିଜୟ ନିଶ୍ଚୟ ବୋଲି ବିଜୟ ମହାପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

୨୦୦୦ ମସିହାରେ ଶେଷ ମୁହୂର୍ତ୍ତରେ ବିଜେଡି ଟିକେଟ କାଟିଦେବା ଯୋଗୁଁ ବିଜୟ ନିର୍ବାଚନ ଲଢି ପାରିନଥିଲେ । ତେବେ ୨୦୦୪ ମସିହାରେ ନିଜେ ଗଢିଥିବା ଓଡିଶା ଗଣ ପରିଷଦ ଦଳରୁ ବିଜୟ ମହାପାତ୍ର ପାଟକୁରାରେ  ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇ ମାତ୍ର ୩ହଜାରରୁ କମ ଭୋଟରେ ପରାସ୍ତ ହୋଇଥିଲେ । ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ୬୨,୭୬୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜୟ ପାଇଥିଲେ ୫୯,୯୧୪ଖଣ୍ଡ ଭୋଟ ।

୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜେପି ବିଜେଡିର ମେଣ୍ଟ ଭାଙ୍ଗି ଯାଇଥିଲା । ବିଜୟ ମହାପାତ୍ର ଓଜିପି ଦଳକୁ ବିଜେପିରେ ଲୀନ କରି ନିଜେ ବିଜେପିରେ ଯୋଗ ଦେଇଥିଲେ । ଫଳରେ ୨୦୦୯ ମସିହାରେ ମଧ୍ୟ ବିଜୟ ମହାପାତ୍ର ବିଜେପି ଟିକେଟରେ ପାଟକୁରାରୁ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ବିଜେଡିର ବେଦ ପ୍ରକାଶ ଅଗ୍ରୱାଲଙ୍କ ସହ ତାଙ୍କର ଟକ୍କର ହୋଇଥିଲା । ତେବେ ବେଦ ପ୍ରକାଶ ଅଗ୍ରୱାଲଙ୍କଠାରୁ ବିଜୟ ୨୭ ହଜାର ଭୋଟରେ ପରାସ୍ତ ହୋଇଥିଲେ । ବିଜୟ ୪୪ହଜାର ୯୯୦ ଖଣ୍ଡ ଭୋଟ ପାଇଥିବାବେଳେ ବେଦ ପ୍ରକାଶ ଅଗ୍ରୱାଲ ପାଇଥିଲେ ୭୧ ହଜାର ୭୨୫ଖଣ୍ଡ ଭୋଟ ।

୨୦୧୪ ସାଧାରଣ ନିର୍ବାଚନରେ କିନ୍ତୁ ବିଜେପି ବିଜୟ ମହାପାତ୍ରଙ୍କୁ ମହାକାଳପଡା ବିଧାନସଭା ଆସନରୁ ପ୍ରର୍ଥୀ କରିଥିଲା । ଏଠାରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ  ଅତନୁ ସବ୍ୟସାଚୀଙ୍କ ସହ ତାଙ୍କର ଟକ୍କର ହୋଇଥିଲା । କିନ୍ତୁ ୨୦୧୪ରେ ବଡ ବ୍ୟବଧାନରେ ବିଜୟଙ୍କୁ ଅତନୁଙ୍କଠାରୁ ପରାଭବ ଭୋଗିବାକୁ ପଡିଥିଲା । ଅତନୁ ୮୧ ହଜାର ୫୦ଖଣ୍ଡ ଭୋଟ ପାଇଥିବାବେଳେ ବିଜୟ ପାଇଥିଲେ ୫୭ ହଜାର ୮୦୪ ଖଣ୍ଡ ଭୋଟ ।

ଗତ ତିନିଥରର କଥା ଅଲଗା ଥିଲା । ବିଜେପି ଦୁର୍ବଳ ସ୍ଥିତିରେ ଥିଲା । କିନ୍ତୁ ଚଳିତ ଥର ବିଜେପି ବେଶ ଆଗକୁ ବଢିଥିବାବେଳେ ପାଟକୁରାରେ ବିଜେଡି ପାଇଁ ସତର୍କ ଘଣ୍ଟି ବାଜିଛି କହିଲେ ଭୁଲ ହେବ ନାହିଁ। ବିଜେଡି ଚଳିତ ଥର ମଧ୍ୟ ସେଠାରେ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରର୍ଥୀ କରିଛି । ବିଜେଡିରୁ ତେଜେଶ୍ବର ପରିଡା ଏଥର ପାଟକୁରାରୁ ଆଶାୟୀ ଥିଲେ । ତାଙ୍କୁ ଟିକେଟ ମିଳିନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ଯାହା ବିଜେଡି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ । ଅପରପକ୍ଷରେ ବିଜେପିରେ କେହି ସେଭଳି ଆଶାୟୀ ନଥିଲେ । ଫଳରେ ଏଠାରେ ବିଜେପି ପାଇଁ ଅସନ୍ତୋଷ ଫେକ୍ଟର ନାହିଁ । କେବଳ ଦେଖିବାକଥା କେନ୍ଦ୍ରାପଡା ବିଜେପି ବିଜୟଙ୍କୁ କେତେଦୂର ଗ୍ରହଣ କରୁଛି । କାରଣ ୪ମାସ ତଳେ ବିଜେପି ଉପରେ ବର୍ଷାକରି ବିଜୟ ବିଜେପି ଛାଡିଥିଲେ ।

ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଅସୁସ୍ଥ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁଣ୍ଡ ଉପରେ ନିର୍ବାଚନ ଆଉ ବେଦ ପ୍ରକାଶଙ୍କ ଅସୁସ୍ଥତା ବିଜେଡିକୁ ଚିନ୍ତାରେ ପକାଇଛି । ଏହି ସମୟରେ ବିଜେଡି ପାଟକୁରାରେ ପ୍ରାର୍ଥୀ ପରିବର୍ତ୍ତନ କଥା ମଧ୍ୟ ଚିନ୍ତା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.