ବର୍ଷେ ଭିତରେ ବିଜେପୁରରେ ତିନିଥର ନିର୍ବାଚନ- ଏଥର ପୁଣି ହେବ ହାଇଭୋଲଟେଜ୍ ଫାଇଟ୍
29/09/2019 at 6:32 PM

ପଦ୍ମପୁର/ବରଗଡ/ଭୁବନେଶ୍ୱର ୨୯।୦୯- ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଏବଂ ବିଜେଡି ପରେ, ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିଥିବା ସନତ ଗଡ଼ତିଆଙ୍କୁ ପଦ୍ମ ଦଳ ପୁଣି ଥରେ ଦଳୀୟ ପ୍ରାର୍ଥୀ କରିଛି । ଏପଟେ, ଏହି ହାଇ ଭୋଲଟେଜ୍ ଉପନିର୍ବାଚନ ପ୍ରକ୍ରିୟା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ସ୍ଥାନୀୟ ପ୍ରଶାସନ ।

ବିଜେପୁର ସନତଙ୍କୁ ରିପିଟ କଲା ବିଜେପି। ଆଜି ବିଜେପି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପଦ୍ମ ଟିକେଟରେ ପୁଣି ସନତ ଗଡ଼ତିଆ ଲଢ଼ିବା ଲାଗି ଛାଡ଼ିଛି । ଗତ ସାଧାରଣ ନିର୍ବାଚନରେ ଗଡ଼ତିଆ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ୫୩,୪୮୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ବିଜେପୁର ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଳର ଶେଷ ଦିନ ହୋଇଥିବା ବେଳେ ତିନି ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି। ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପୁଣି ଥରେ ମଇଦାନରେ ଉତାରିଥିବା ବେଳେ କଂଗ୍ରେସ ଏଥର ପ୍ରାର୍ଥୀ କରିଛି ଦିଲ୍ଲୀପ ପଣ୍ଡାଙ୍କୁ।

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ତେଣୁ ତିନି ଦଳର ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଭରିବେ। ତେଣୁ କାଲି ପ୍ରଶାସନ ପାଇଁ ଟେନସନର ଦିନ। ନ ହେବ ବା କେମିତି। ନିର୍ବାଚନୀ ହିଂସା ପାଇଁ ବେଶ୍ ଚର୍ଚ୍ଚିତ ବିଜେପୁର। ଏବେ ନିର୍ବାଚନ ତାରିଖ ଘୋଷଣା ପରେ ହିଂସା ବି ଘଟିସାରିଲାଣି। ତେଣୁ, ନିର୍ବାଚନୀ ପ୍ରକ୍ରିୟା ଉପରେ ଖୁବ ସତର୍କ ରହିଛି ଜିଲ୍ଲା ପ୍ରଶାସନ।

ଦେଢ଼ ବର୍ଷ ଭିତରେ ୩ ଥର ନିର୍ବାଚନ ବିଜେପୁରରେ। ଏଥର ନିର୍ବାଚନୀ ମଇଦାନରେ କିଏ ବାଜି ମାରିବ, ତାହା ଉପରେ ପୂରା ବରଗଡ଼଼ ରାଜନୀତି ନିର୍ଭର କରୁଛି।