ବିଜେପୁର ପାଇଁ ବାଜିଲା ବିଗୁଲ – ଅକ୍ଟୋବର ୨୧ ତାରିଖରେ ହେବ ବିଧାନସଭା ଉପନିର୍ବାଚନ
21/09/2019 at 6:47 PM

ବରଗଡ/ ଭୁବନେଶ୍ୱର ୨୧।୦୯- ବିଜେପୁର ପାଇଁ ବାଜିଲା ବିଗୁଲ । ଅକ୍ଟୋବର ୨୧ରେ ହେବ ବହୁଚର୍ଚ୍ଚିତ ବିଧାନସଭା ନିର୍ବାଚନୀ ମଣ୍ଡଳି ବିଜେପୁର ଉପନିର୍ବାଚନ । ତେବେ ନାମାଙ୍କନ ଭରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଥିବା ବେଳେ ଅକ୍ଟୋବର ୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୨୪ରେ ହେବ ଭୋଟ ଗଣତି । ତାରିଖ ଘୋଷଣା ହେବା ପରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଏବେ ପ୍ରାର୍ଥୀ ଚୟନ ସବୁ ଦଳ ପାଇଁ ମୁଖ୍ୟ ପ୍ରସଙ୍ଗ ।

ବାଜିଲା ବିଜେପୁର ଉପନିର୍ବାଚନର ବିଗୁଲ । ନିର୍ବାଚନ କମିଶନ ଆଜି ଦିଲ୍ଲୀରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ତାରିଖ । ଅକ୍ଟୋବର ୨୧ରେ ହେବ ନିର୍ବାଚନ ।୨୪ରେ ବାହାରିବ ଫଳ । ସେଥିପାଇଁ ସେପ୍ଟେମ୍ବର ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମୁଖ୍ୟନିର୍ବାଚନ କମିଶନର ସୁନିଲ ଆରୋରା ସୂଚନା ଦେଇଛନ୍ତି । ୨୩ ତାରିଖଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ସେପ୍ଟେମ୍ବର ୩୦ରେ ନାମାଙ୍କ ପତ୍ର ଦାଖଲ ସରିବ । ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରହିଛି ଅକ୍ଟୋବର ୩ ।

ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ରାଜନୈତିକ ଦଳଙ୍କ ଭିତରେ ବହୁଆଗରୁ ଆରମ୍ଭ ହୋଇଯାଇଥିଲା ଛକାପଞ୍ଝା । କିଭଳି ଉପନିର୍ବାଚନରେ ବାଜିମାତ କରିବେ ସେନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତରେ ଲାଗିପଡିଥିଲେ ।

ବିଜେପୁରରେ ବିଜେଡି ବିଜୟ ସୁନିଶ୍ଚିତ କରିବା ପାଇଁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂ, କଳିକେଶ ସିଂହଦେଓ ଓ ସଂଜୟ ଦାସବର୍ମାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି । ସେହିଭଳି ବିଜେପୁର ପାଇଁ ନରସିଂହ ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ କମିଟି ଗଠନ କରିଛି । ଦଳର ପ୍ରାର୍ଥୀ କିଏ ହେବ ଏବଂ ବିଜେଡି-ବିଜେପିକୁ ଚେକ୍ ଦେବାକୁ ରଣନୀତି କଣ ହେବ ସେନେଇ ଦଳ ପ୍ରାଥମିକ ବୈଠକ ସାରିଛି । ସେପଟେ ବିଜେପି ମଧ୍ୟ ଗତ ୨ ଟି ନିର୍ବାଚନ ଭଳି ଏଥର ବିଜେପୁରରେ ବିଜେଡିକୁ କଡା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।

କଂଗ୍ରେସ ନେତା ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ ଉପନିର୍ବାଚନରେ ବିଜେପୁରକୁ ହାତେଇବାକୁ ବିଜେଡି ବଡ ଗେମ୍ ଖେଳିଥିଲା । ସେତେବେଳେ ସୁବଳଙ୍କ ପତ୍ନି ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରି ଜିତିଥିଲା।

ହେଲେ ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶା ଭୋଟ ହାତେଇବାକୁ ନବୀନ ପଟ୍ଟନାୟକ ନିଜେ ସେଠାରୁ ପ୍ରାର୍ଥୀ ହୋଇଥିଲେ । ତେବେ ବିଜେପୁରକୁ ଛାଡି ନବୀନ ହିଞ୍ଜିଳି ବିଧାନସଭା ନିଜ ପାଖରେ ରଖିବାରୁ ଏବେ ପୁଣି ଉପନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ବିଜେଡି ସେଠି ରୀତା ସାହୁଙ୍କୁ ପ୍ରାର୍ଥୀ କରିବାର ବହୁ ସମ୍ଭାବନା ଅଛି । ସେପଟେ କଂଗ୍ରେସରୁ ରୀପୁ ନାଥ ସେଠ କିମ୍ବା ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି ।ବିଜେପିରୁ ସନତ ଗଡତିଆ କିମ୍ବା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ କୁହାଯାଉଛି ।

ଘୋଷଣା ଅନୁସାରେ ବିଜେପୁରର ବିକାଶ ହୋଇନଥିବା ଏବଂ ନବୀନ କାହିଁକି ଛାଡିଲେ ବିଜେପୁର ସିଟ୍ ତାକୁ ମୁଦ୍ଦା କରିବାକୁ ଯାଉଛନ୍ତି ବିରୋଧୀ । ସେପଟେ ବିଜେଡି ସବୁ କଳବଳ ଖଟେଇ ପୁଣିଥରେ ବିଜେପୁରକୁ ହାତେଇ ନେବାକୁ ମସୁଧା କରିଛି ।