ବିଜେପୁର ନିର୍ବାଚନରେ ଏଥର ଟାର୍ଗେଟ୍‌ ମହିଳା ଭୋଟର୍‌- ନିର୍ବାଚନ ପ୍ରଚାର ଜୋରଦାର

Published By : Prameya-News7 Bureau | October 13, 2019 IST

ବିଜେପୁର - ଉପନିର୍ବାଚନ ତାରିଖ ଯେତିକି ପାଖଉଛି, ବିଜେପୁରରେ ସେତିକି ଜମୁଛି ନିର୍ବାଚନୀ ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର କ୍ୟାମ୍ପେନିଂ ଚାଲିଛି । ବିଜୁ ଜନତା ଦଳ ମହିଳା ଭୋଟରମାନଙ୍କୁ ଟାର୍ଗେଟ୍ କରିଛି । ଆଜିଠାରୁ ପ୍ରତି ବ୍ଲକ ଆଉ ପଞ୍ଚାୟତରେ ଆରମ୍ଭ କରିଛି ମହିଳା ସମାବେଶ । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ମଧ୍ୟ ଡୋର ଟୁ ଡୋର୍ କ୍ୟାମ୍ପେନ ଚଳାଇଛନ୍ତି ।…   

ବିଜେଡି ଟାର୍ଗେଟରେ ମହିଳା ଭୋଟର। ମହିଳାଙ୍କୁ ଆୟୁଧ କରି ବିଜେଡ଼ି  ୫ଥର ନିର୍ବାଚନୀ ବୈତରଣୀ ପର ହୋଇଛି। ଆଉ ଏଥର ବି ବିଜେଡି ବିଜେପୁର ପାର କରିବାକୁ ମହିଳାଙ୍କୁ ଉପରେ ଭରସା କରିଛି। ସେଥିପାଇଁ ବିଜେଡି ଆଜିଠାରୁ ପ୍ରତି ବ୍ଲକ ଓ ପଞ୍ଚାୟତରେ ଆରମ୍ଭ କରିଛି ମହିଳା ସମାବେଶ। ଆଜି ବରପାଲିର ବନ୍ଧପାଲିରେ ମହିଳାଙ୍କୁ ଏକାଠି କରି ତାଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି ବିଜେଡି ନେତା। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କରିଛନ୍ତି। ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ୫ ହଜାର କୋଟି ଟଙ୍କାର କାମ ଦେବା ପାଇଁ  ଯୋଜନା କରାଯାଇଥିବାର କଥା କହି ଭୋଟ ଭିକ୍ଷା କରିଛନ୍ତି।…

ଏପଟେ ବିଜେପି ଗାଇସିଲେଟକୁ ଟାର୍ଗେଟ୍ କରିଛି। ଗାଇସିଲେଟରେ ସରକାର ବିରୋଧୀ ହାୱା ଅଧିକ ଥିବାରୁ ଲୋକଙ୍କ ଭୋଟ୍ ହାତେଇବକୁ ଯୋଜନା କରିଛି ବିଜେପି। ସେଥିପାଇଁ ଲଗାତାର ଭାବେ ବିଜେପି ନେତା ଡେରା ପକାଉଛନ୍ତି। ୧୧ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରି ଆସିବା ପରେ ସନତ ଗଡତିଆ ଲଗାତାର ଭାବେ ପ୍ରଚାର କରୁଛନ୍ତି। ଆଜି ପୁଣି ବିଜେପି ସାଂସଦ ଜୁଏଲ ଓରାମ ଏବଂ ପୂର୍ବତନ ବିଧାୟକ ରବି ନାୟକ ପ୍ରଚାର କରିଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମଧ୍ୟ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଚଳାଇଛନ୍ତି ।…

ଯେତିକି ପାଖଉଛି ସେତିକି ଜୋର ଧରୁଛି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ, ସେମାନଙ୍କ ମନ ଜିଣିବାକୁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହାଁନ୍ତି ତିନି ପ୍ରମୁଖ ଦଳ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.