ଆଜି ପଞ୍ଚଭୂତରେ ଲୀନ ହେବ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର, ବିଜେଡି କାର୍ଯ୍ୟାଳୟରେ ଦିଆଯିବ ଶେଷ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | June 03, 2021 IST

ଭୁବନେଶ୍ୱର, ୦୩|୦୬ : ଗୁରୁବାର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ହେବ ଶେଷକୃତ୍ୟ । ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବୁଧବାର ପରଲୋକ ହୋଇଯାଇଛି ।ବୁଧବାର ସଂଧ୍ୟାରେ ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କରୋନାରୁ ସୁସ୍ଥ ହେବା ପରେ ପୋଷ୍ଟ କୋଭିଡ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ପୋଷ୍ଟ କୋଭିଡ୍ ରେ ସେ ନିମୋନିଆରେ ହୋଇଥିଲେ ଆକ୍ରାନ୍ତ। ପରେ ବିଜୟଶ୍ରୀଙ୍କର ସେପ୍ଟିସିମିଆ, ମଲ୍ଟି ଅର୍ଗାନ୍ ଫେଲ୍ୟୋର ହୋଇଥିଲା। ଗୁରୁବାର ତାଙ୍କର ଅନ୍ତିମ ସଂସ୍କାର ହେବ । ପ୍ରଥମେ ତାଙ୍କ ପ୍ରାର୍ଥିବ ଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳୀୟ କର୍ମା ଓ ନେତା ଶେଷ ଦର୍ଶନ କରିବେ । ଏହା ପରେ ବିଧାନସଭା ପରିସରକୁ ତାଙ୍କ ପ୍ରାର୍ଥୀବ ଶରୀରକୁ ନିଆଯିବ । ସେଠାରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଶେଷକୃତ୍ୟ କରାଯିବ ।

ସୂଚନାଯୋଗ୍ୟ, ୨୮ ମେ' ୧୯୫୩ରେ ବିଜୟଶ୍ରୀ ଜନ୍ମ ଗ୍ରହଣ କରିଥିଲେ। ବାସୁଦେବପୁର ଆସନରୁ ଲଗାତର ୬ ଥର ବିଧାୟକ ଥିଲେ। ୧୯୯୦ରୁ ୧୯୯୫ ଜନତା ଦଳ ବିଧାୟକ ଥିଲେ। ୨୦୦୦ ରୁ ୨୦୧୪ ବିଜେଡି ବିଧାୟକ ଥିଲେ। ୨ ଥର ଜନତା ଦଳର ବିଧାୟକ, ୪ ଥର ବିଜେଡି ବିଧାୟକ ଥିଲେ। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ରାଜସ୍ବ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ । ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମଧ୍ୟ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ ଓଡ଼ିଶା ରାଜନୀତିରେ ଦୀର୍ଘ ଦିନ ଧରି ସକ୍ରିୟ ଥିଲେ। ତେବେ ୨୦୧୯ରେ ଅସୁସ୍ଥତା କାରଣରୁ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ଫଳରେ ବାସୁଦେବପୁରରୁ ତାଙ୍କ ପୁଅ ବିଷ୍ଣୁବ୍ରତ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.