Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଆପଣଙ୍କ ସମ୍ପତ୍ତି ଆପଣଙ୍କ ପିଲାଙ୍କୁ ମିଳିବା ଦରକାର,ହେଲେ ଆପଣଙ୍କ ମୃତ୍ୟୁ ପରେ, ବିଜୟପତ ସିଂଘାଣିଆଙ୍କ ପୁସ୍ତକ ‘ଆନ୍ ଇନକମ୍ପ୍ଲିଟ୍ ଲାଇଫ’

3/11/2021 at 5:06 PM

ନୂଆଦିଲ୍ଲୀ ୩।୧୧: ରେମଣ୍ଡ ଗ୍ରୁପ ଦେଶର ଏକ ଜଣାଶୁଣା ଓ ପ୍ରତିଷ୍ଠିତ ବ୍ୟବସାୟୀକ ଗୋଷ୍ଠୀ। ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାଣିଆ ବିଜନେସ୍‌ରେ ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ। ହେଲେ ବୟସ ଢ଼ଳିବା ସହ ତାଙ୍କ ବ୍ୟକ୍ତିଗତ ଜୀବନ ଏବେ ସମସ୍ୟା ଜର୍ଜରିତ। ଜୀବନର ଯନ୍ତ୍ରଣାକୁ ନେଇ ସିଂଘାଣିଆ ’ଆନ ଇନକମ୍ପ୍ଲିଟ ଲାଇଫ’ ନାମରେ ଏକ ପୁସ୍ତକ ଲେଖିଛନ୍ତି।  ଏହାକୁ ତାଙ୍କ ଆତ୍ମକଥା ବୋଲି ମଧ୍ୟ କୁହା ଯାଇପାରେ। ଯେଉଁଥିରେ ସେ ତାଙ୍କ ବାଲ୍ୟ ଜୀବନରୁ ଆରମ୍ଭ କରି ରେମଣ୍ଡରେ ବିତାଇଥିବା ସ୍ୱର୍ଣ୍ଣିମ ସମୟ ସମେତ ଅଶାନ୍ତ ବାର୍ଦ୍ଧକ୍ୟ ନେଇ ଖୋଲାଖୋଲି ଉଲ୍ଲେଖ କରିଛନ୍ତି।

ଏଥିରେ ତାଙ୍କ ଜୀବନର ସବୁଠୁ ବଡ଼ ଶିକ୍ଷା ବିଷୟରେ ବି ଉଲ୍ଲେଖ କରିଛନ୍ତି। ତାହା ହେଉଛି ପିଲାଙ୍କୁ ଉତ୍ତରାଧିକାରରେ ସମ୍ପତ୍ତି ବାଣ୍ଟିବା ବେଳର ସତର୍କତା। ଏଥିରେ ସାମାନ୍ୟ ଚୁକ୍‌ ହେଲେ କିପରି ଅବସ୍ଥା ଭୋଗିବାକୁ ପଡେ ସେ ନେଇ ସେ ଅଭିଭାବକଙ୍କୁ ସତର୍କ କରାଇଛନ୍ତି। ପୈତୃକ ସମ୍ପତ୍ତି ପିଲାଙ୍କୁ ମିଳିବ, ହେଲେ ଆପଣଙ୍କ ଜୀବିତାବସ୍ଥାରେ ଦାୟିତ୍ୱ ହସ୍ତାନ୍ତରର ଭୁଲ କଦାପି ନ କରିବାକୁ ସେ ତାଙ୍କ ପୁସ୍ତକରେ ଚେତାଇଛନ୍ତି। ରେମଣ୍ଡ ଭଳି ଗ୍ରୁପକୁ ଶୃଙ୍ଖଳିତ ସମ୍ଭାଳି ଆସୁଥିବା ସିଂଘାଣିଆଙ୍କୁ ୨୦୧୫ ମସିହାରେ ପ୍ରଥମେ ଝଟକା ସେତେବେଳେ ଲାଗିଥିଲା ଯେତେବେଳେ ତାଙ୍କୁ ପାରିବାରିକ ସମ୍ପତ୍ତି ବିବାଦ ଲାଗି କାମରୁ ବିଦା କରିଦିଆଯାଇଥିଲା। ତେବେ ତାଙ୍କ ଦୁଃଖ ଏତିକିରେ ସରି ନଥିଲା, ପୈତୃକ ବାସଭବନକୁ ବି ତାଙ୍କୁ ଛାଡିବାକୁ ପଡିଥିଲା। ସେବେଠାରୁ ସିଂଘାଣିଆ ଏହାକୁ ଫେରସ୍ତ ପାଇବା ଲାଗି ଜୀବନର ଶେଷ ଯୁଦ୍ଧ ଲଢି ଚାଲିଛନ୍ତି।

ସେ ତାଙ୍କ ଆତ୍ମ କଥାରେ ଲେଖିଛନ୍ତି ‘ମୋ ଜୀବନର ସବୁଠୁ ବଡ ଅଭିଜ୍ଞତା ହେଉଛି ନିଜ ଜୀବନ କାଳରେ ପିଲାଙ୍କୁ ସମ୍ପତ୍ତି ବାଣ୍ଟିବା ବେଳର ଅସାବଧାନତା। ଏ ସମ୍ପର୍କିତ ନିଷ୍ପତ୍ତି  ଅତ୍ୟନ୍ତ ସତର୍କତାର ସହ ଅବଲମ୍ବନ କରାଯିବା ଦରକାର’। ଆପଣଙ୍କ ସମ୍ପତ୍ତି ଆପଣଙ୍କ ପିଲାଙ୍କୁ ମିଳିବା ଦରକାର, ତେବେ ମୃତ୍ୟୁ ପରେ । କାରଣ ମୁଁ ଚାହୁଁ ନାହିଁ କୌଣସି ମାତାପିତାଙ୍କୁ ଏଭଳି ଦିନ ଦେଖିବାକୁ ନ ପଡୁ ଯାହା ଏବେ ମୋତେ ଭୋଗିବାକୁ ପଡୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସିଂଘାଣିଆ ଆତ୍ମକଥାରେ ସେ ଏବେ ବିଲକୁଲ ଏକାକୀ ହୋଇ ପଡିଥିବାର ସୂଚିତ କରିଛନ୍ତି।

ମୋତେ ମୋ ଅଫିସକୁ ବି ପ୍ରବେଶ କରେଇ ଦିଆଯାଉନି, ଯେଉଁଠି ମୋର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ମୋ ସମ୍ପର୍କିତ ସାମଗ୍ରୀ ସବୁ ସାଇତା ହୋଇ ରହିଛି। ଏହା ସହ ମୋତେ ମୋ ମୁମ୍ବାଇ ଓ ଲଣ୍ଡନସ୍ଥିତ ଘରେ କାର ଛାଡି ଆସିବାକୁ ପଡିଲା। ଏପରିକି ମୋ ସେକ୍ରେଟାରୀଙ୍କ ସହ କଥା ହେବାକୁ ମଧ୍ୟ ମୋତେ ଅନୁମତି ନାହିଁ। ପେନ୍‌ ମ୍ୟାକମିଲନ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି ଯେ ଏପରି ଲାଗୁଛି ଯେପରି ରେମଣ୍ଡର କର୍ମଚାରୀଙ୍କୁ ତାଙ୍କ ସହ କଥା ନ ହେବା ଲାଗି ଉପରୁ ନିର୍ଦ୍ଦେଶ ରହିଛି।

ପ୍ରଶିଦ୍ଧ ସିଂଘାଣିଆ ପରିବାରରେ ଜନ୍ମିତ ବିଜୟପତ ସିଂଘାଣିଆ ଦିନେ ପାରିବାରିକ ବ୍ୟବସାୟ ସମ୍ଭାଳିବେ ବୋଲି ଖୁବ୍ ଆଶା କରାଯାଉଥିଲା। ସମୟ ଆସିବା ପରେ ତାହା ହୋଇଥିଲା ବି ସେ ପାରିବାରିକ ବ୍ୟବସାୟ ସମ୍ଭାଳିବା ସହ ସ୍ୱପ୍ନ ପଛରେ ଏପରି ଦଉଡିବାରେ ଲାଗିଥିଲେ ଯେ ଯାହା ଚାହୁଁଥିଲେ ତାହା ହାସଲ କରିବାରେ ଲାଗିଲେ। ଆକାଶ ପ୍ରତି ସିଂଘାଣିଆଙ୍କ ଅସମ୍ଭବ ଆକର୍ଷଣ ଥିଲା। ସେତେବେଳେ ବିମାନ ଉଡାଇବାକୁ ସର୍ବନିମ୍ନ ଆୟୁସୀମା ୨୧ ବର୍ଷ ଥିଲା। ନିର୍ଦ୍ଧାରିତ ବୟସରେ ପହଞ୍ଚୁ ପହଞ୍ଚୁ ବିମାନ ଶିଖି କେବଳ ଲାଇସେନ୍ସ ହାସଲ କରିନଥିଲେ ଏକ ସିଙ୍ଗଲ ଇଞ୍ଜିନ ବିମାନ ବି ନିଜ ଲାଗି କିଣିଥିଲେ।

ଉଡାଣରେ ସେ ଦୁଇଟି ବିଶ୍ୱ ରେକର୍ଡ ବି କାୟମ କରିଛନ୍ତି।  ପାଠ ପଢା ପ୍ରତି ଆଗ୍ରହ ଯୋଗୁ ସେ ପ୍ରଫେସର ମଧ୍ୟ ହୋଇଥିଲେ। ରାଜନୀତିରେ ସେ ମୁମ୍ବାଇର ସେରିଫ ମଧ୍ୟ ହୋଇପାରିଥିଲେ। ତେବେ ବାର୍ଦ୍ଧକ୍ୟରେ ପହଞ୍ଚିବା ବେଳକୁ ପିଲା ଓ ପରିବାର ତାଙ୍କୁ ପୃଥକ କରିଦେଲେ। ଜୀବନର ଯେଉଁ ପାହାଚରେ ମଣିଷ ସମସ୍ତଙ୍କ ସହଚର୍ଯ୍ୟା ଲୋଡିଥାଏ ସେ ବୟସରେ ସେ ଏବେ ବିଲକୁଲ ଏକାକୀ ହୋଇପଡିଛନ୍ତି। ଜୀବନ ବ୍ୟାପି କରିଥିବା କାମ ଓ ଏଥିରୁ ପାଇଥିବା ସଫଳତା ଏବେ ସବୁ ତାଙ୍କ ଲାଗି ଅଲୋଡା ହୋଇଯାଇଛି। ଯେମିତି ସେ ସମସ୍ତଙ୍କ ଲାଗି  ଅପାଙକ୍ତେୟ ବୋଲି  ଏବେ ଅନୁଭବ କରୁଥିବା ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି।

   Related Posts