ବିଜୟ ମହାପାତ୍ରଙ୍କ ଫେସବୁକ ଲାଇଭ : କହିଲେ ହକି ବିଶ୍ୱକପ ପ୍ରଶଂସନୀୟ କାର୍ଯ୍ୟ, ବିଶ୍ୱାସଘାତକଙ୍କୁ ମଧ୍ୟ ସେ କ୍ଷମା ଦିଅନ୍ତି

Published By : Prameya-News7 Bureau | December 05, 2018 IST

ଭୁବନେଶ୍ୱର ୫/୧୨ : ଓଡିଶାରେ ହକି ବିଶ୍ୱକପ ଆୟୋଜନ ହେବା ଏକ ଗର୍ବର କଥା | ଯେଉଁ ଦଳ ଆୟୋଜନ କରୁ ଓଡିଶା ପାଇଁ ଏମିତି ହିଁ ହେବା କଥା | ଭୁଲ ଭଟକା ତା ସବୁଠି ରହିବ | ଏଭଳି ପ୍ରୟାସ କିନ୍ତୁ ହେବା ଜରୁରୀ ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଫେସବୁକ୍ ଲାଇଭରେ ନିଜ ପ୍ରତିକ୍ରିୟା ରଖିଛନ୍ତି | ବିଜୁ ପଟ୍ଟନାୟକ କହିଥିଲେ ଜୀବନରେ ରାଜନୀତି ହେଉଛି ପରୀକ୍ଷା ନିରୀକ୍ଷାର ବିଷୟ | ସେଥିରେ ସେ ବିଶ୍ୱାସ କରୁଥିବା କହିଛନ୍ତି | ସେ କହିଛନ୍ତି ଯେ, ସେ ଜଣେ ଉଦାର ରାଜନେତା | ତାଙ୍କ ସହିତ ରାଜନୀତିରେ ଯେଉଁମନେ ବିଶ୍ୱାସ ଘାତକତା କରିଛନ୍ତି ତାଙ୍କୁ ପରବର୍ତ୍ତୀ ସମୟରେ ସେ କ୍ଷମା କରିଦେଇଛନ୍ତି ଓ ତାଙ୍କ ସହ ମିଶି ପୁଣି ରାଜନୀତି କରିଛନ୍ତି | ପାଖାପାଖି ୨୧ ମିନିଟର ଲାଇଭ ଭିଡିଓରେ ବିଜୟ ମହାପାତ୍ର ବିଜେପି ଛାଡିବା ପ୍ରସଙ୍ଗରେ ଯୁକ୍ତି ଉପସ୍ଥାପନା କରିଛନ୍ତି | ତାଙ୍କ ବିରୋଧରେ ବିଜେପିରେ ଷଡଯନ୍ତ୍ର ହୋଇଥିବା କଥା କହିଛନ୍ତି | ସେ ରାଜନୀତିରେ ଆତ୍ମା ମର୍ଯ୍ୟାଦାକୁ ଗୁରୁତ୍ୱ ଦେଉଥିବା କଥା କହିଛନ୍ତି | ପାଳଗଡା ଉପରେ ଠିଆ ହୋଇ ନିଜ ଉଚ୍ଚତା ମାପିବା ଠିକ ନୁହେଁ ବୋଲି ବିଜେପି ଆଡକୁ ଇଙ୍ଗିତ କରି କହିଛନ୍ତି | ଏହି ଭିଡିଓରେ ବିଜୟ ବହୁତ କଥା କହିଥିଲେ ମଧ୍ୟ ଉପରେ କୁହାଯାଇଥିବା ହକି ବିଶ୍ୱକପକୁ ପ୍ରଶଂସା ଓ ବିଶ୍ୱାସଘାତକଙ୍କୁ କ୍ଷମା କରିବା ପ୍ରସଙ୍ଗ ତାଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ବ୍ୟକ୍ତ କରିଛନ୍ତି | ମତ ହେଲା ଏକଦା ନବୀନ ପଟ୍ଟନାୟକଙ୍କ ସମସ୍ତ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରୁଥିବା ବିଜୟ ମହାପାତ୍ରଙ୍କ ମୁହଁରେ ହକି ପାଇଁ ପ୍ରଶଂସା କରିବା ବିଜେଡି ମୁହାଁ ହେବାର ପ୍ରତୀକ | ସେହିଭଳି ବିଶ୍ୱାସ ଘାତକମାନଙ୍କୁ କ୍ଷମା କରନ୍ତି ବୋଲି ସେ ଯାହା କହିଛନ୍ତି ତାହା ମଧ୍ୟ ବିଜେଡି ଉଦ୍ଦେଶ୍ୟରେ ଅଭିପ୍ରେତ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି | ଫେସବୁକ ଲାଇଭର ଶେଷ ଆଡକୁ ବିଜୟ କହିଛନ୍ତି ଯେ, ୨୦୧୯ ନିର୍ବାଚନ ଏକ ଅଭୁତ ପୂର୍ବ ଏବଂ ଗୁରୁତ୍ୱପୂର୍ଣ ନିର୍ବାଚନ ହେବ | ଅତି ଶୀଘ୍ର ଅର୍ଥାତ ଏହି ଡିସେମ୍ବର ମାସରେ ହିଁ ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ସେ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କରିବେ | ତେବେ ଓଡିଶାରେ ନୂଆ ସୂର୍ଯ୍ୟ ଉଦୟ ହେବ | ନୂଆ ଓଡିଶାର ନିର୍ମାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି | ତାଙ୍କର ଏକ ନମ୍ବର ଏଜେଣ୍ଡା ଯୁବ ବର୍ଗଙ୍କୁ ଫୋକସ କରିବା ବୋଲି ବିଜୟ କହିଛନ୍ତି | ତାଙ୍କୁ ଭଲ ପାଉଥିବା ସବୁ ଜିଲ୍ଲାର ନେତାଙ୍କ ସହିତ କଥା ହେବା ପରେ ସେ ସାମୁହିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି | ବିଜେପିରୁ ସେ ଓ ଦିଲ୍ଲୀପ ରାୟ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ବିଭିନ୍ନ କଥା ଆଲୋଚନା ହେଉଛି | ତାକୁ ସେ ଖଣ୍ଡନ କରୁଥିବା କହିବା ସହ ମିଡିଆରେ ଯାହା ପ୍ରଚାର ଚାଲିଛି ସତ୍ୟ ନୁହେଁ ବୋଲି କହିଛନ୍ତି | ତାହାକୁ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.