ବିଜୟ ମହାପାତ୍ର ଓ ଦିଲୀପ ରାୟ ପୁଣି ଫେରିବେ ବିଜେପିକୁ !

Published By : Prameya-News7 Bureau | March 12, 2019 IST

ଦିଲ୍ଲୀ ୧୨/୩ : ୭ ଦିନରେ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂହ | ଓଡ଼ିଶାରେ ଉତ୍ତର ପ୍ରଦେଶ, ହରିଆଣା ଓ ଆସାମ ଭଳି ସ୍ଥିତି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି | ଏହିସବୁ ସ୍ଥାନରେ କ୍ଷମତାସୀନ ଦଳକୁ ଗାଦିଚ୍ୟୁତ କରି ବିଜେପି ସରକାର ଗଠନ କରିଥିଲା | ସେ କହିଛନ୍ତି ଯେ, ଓଡିଶାରେ ମଧ୍ୟ କ୍ଷମତାସୀନ ଦଳ ଏଥର ଗାଦିଚ୍ୟୁତ ହେବ | ବିଜେଡିର ବହୁ ନେତା ଦଳରେ ମିଶିବା ପାଇଁ ଯୋଗାଯୋଗରେ ଅଛନ୍ତି ବୋଲି ଅରୁଣ ସିଂ କହିଛନ୍ତି |


ବିଜୟ ଓ ଦିଲୀପ ପୁଣି ବିଜେପି ଫେରିବା ପ୍ରଶ୍ନର ମଧ୍ୟ ସେ ଉତ୍ତର ଦେଇଛନ୍ତି | ସେ କହିଛନ୍ତି ଯେ, ଅପେକ୍ଷା କରନ୍ତୁ ଖୁବ ଶୀଘ୍ର ଭଲ ଖବର ପାଇବେ |


ସୂଚନାଯୋଗ୍ୟ ଯେ, ବିଜେପି ଛାଡିବା ୨ ମାସରୁ ଅଧିକ ସମୟ ହୋଇସାରିଥିଲେ ମଧ୍ୟ ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ଅନ୍ୟ କୌଣସି ଦଳରେ ଯୋଗ ଦେଇନାହାନ୍ତି | ଦିଲୀପ ରାୟ ବିଜେଡିରେ ଯୋଗଦେବା ନେଇ କୋଣସି ଅସୁବିଧା ନଥିଲାବେଳେ ବିଜୟ ମହାପାତ୍ରଙ୍କୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି | ଫଳରେ ଉଭୟ ବିଜେଡିରେ ଯୋଗ ଦେବା ସମ୍ଭବ ହୋଇପାରୁନାହିଁ | ଫଳରେ ଉଭୟ ନେତା ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି |


ଅରୁଣ ସିଂଙ୍କ ଆଜିର ବକ୍ତବ୍ୟରୁ ଅନୁମାନ କରାଯାଉଛି ଯେ, ସମ୍ଭବତଃ ଏ ଦୁଇ ନେତା ପୁଣି ବିଜେପିକୁ ଫେରିବେ | କେବଳ ଦିଲୀପ ରାୟ ବା ବିଜୟ ମହାପାତ୍ର ନୁହନ୍ତି, ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ, ଉତ୍କଳ ଭାରତର ରାଜ୍ୟ ଆବାହକ ଐର ଖାରବେଳ ସ୍ୱାଇଁ, ସମତା କ୍ରାନ୍ତିର ପ୍ରତିଷ୍ଠାତା ବ୍ରଜ କିଶୋର ତ୍ରିପାଠୀ ମଧ୍ୟ ପଦ୍ମଫୁଲ ଚିହ୍ନରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା ସଂକେତ ଦେଇ ସାରିଛନ୍ତି |


ନିକଟରେ ବିଜେଡି ଛାଡିଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବାପରେ ବିଜେଡି ଶିବିରରେ ହଲଚଲ ସୃଷ୍ଟି ହୋଇଛି | ତେଣୁ ବିଜେଡିରୁ ଅଧିକରୁ ଅଧିକ ନେତା ନିଜ ଦଳକୁ ଟାଣି ବିଜେଡିକୁ ଦୁର୍ବଳ କରିବା ଲାଗି ଯୋଜନାରେ ରହିଛି ନିଜେପି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.