Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ବିଜେପିକୁ ଫେରିଲେ ବିଜୟ, ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବେ

28/03/2019 at 10:37 AM

ଭୁବନେଶ୍ବର ୨୮|୩ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଦଳକୁ ଫେରିଛନ୍ତି । ତାଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଦଳର ତୁଙ୍ଗ ନେତାଗଣ।
ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବିଜୟ ମହାପାତ୍ର ବିଜେପିରେ ଯୋଗଦେବେ । କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ସଭାରେ ବିଜୟ ମହାପାତ୍ର ଦଳରେ ସାମିଲ ହେବେ ।

ବିଜୟ ମହାପାତ୍ର କହିଛନ୍ତି ନୂଆ ସଂକଳ୍ପ ନେଇ ଦଳରେ ଯୋଗଦେଇଛି । ଫୋନ୍ ରେ ଅମିତ ଶାହା ତାଙ୍କ ସହ କଥା ହୋଇଥିବା ସେ କହିଛନ୍ତି ।

ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କ ସହ ବିଜୟ ମହାପାତ୍ର ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି । ସେଠାରେ ସେ ଦଳରେ ଯୋଗଦେବେ ।

ସୂଚନାଯୋଗ୍ୟ ଯେ, ବିଜୟ ମହାପାତ୍ର ଏବଂ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏକାଠି ବିଜେପି ଛାଡିଥିଲେ । ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ତାଙ୍କ ପ୍ରତିଶୃତି ପୂରଣ ନକରିବା ପ୍ରତିବାଦରେ ଦିଲ୍ଲୀପ ଦଳ ଛାଡିଥିଲେ । ଉଭୟ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରୁଥିବା ପ୍ରତିବାଦରେ ବିଜୟ ଦଳ ଛାଡିଥିଲେ ।

ଦଳ ଛାଡିବା ପରେ ବିଜୟ ଓ ଦିଲ୍ଲୀପ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦିଲ୍ଲୀପ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଆସିଥିଲେ । ଏହାପରେ ସେ ବିଜେଡିରେ ସାମିଲ ହେଉଥିବା ଚର୍ଚ୍ଚା ସାଂଗକୁ କେନ୍ଦ୍ରାପଡାରୁ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ଅପରପକ୍ଷରେ ବିଜୟଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ବିରୋଧ କରିବା ସହ ବିଜେଡିକୁ ତାଙ୍କ ପ୍ରବେଶ କରାଇନଦେବା ଲାଗି ଉଦ୍ୟମ କରୁଥିବା ମଧ୍ୟ ଶୁଣିବାକୁ ମିଳୁଥିଲା । କୌଣସି ଦଳରେ ବିଜୟ ଯୋଗ ଦେଉନଥିବାରୁ ଚଳିତ ନିର୍ବାଚନରେ ତାଙ୍କ ଭୂମିକା କଣ ହେବ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଥିଲା । ବୈଜୟନ୍ତ ପଣ୍ଡା ଏବଂ ଡାକ୍ତର ଦମୋଦର ରାଉତ ବିଜେପିରେ ଯୋଗ ଦେବାପରେ ତାଙ୍କୁ ପୁଣି ଦଳକୁ ଫେରାଇ ଆଣିବା ପାଇଁ ବିଜେପି ଉଦ୍ୟମ କରିଥିଲା । କେନ୍ଦ୍ରୀୟ ନେତାମାନେ ବିଜୟଙ୍କ ସହ ସିଧାସଳଖ କଥା ହୋଇଥିବାବେଳେ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟଙ୍କ ସହ ବିଜେପି ତରଫରୁ ଆଲୋଚନା କରିଥିଲେ । ଶେଷରେ ବିଜୟ ପୁଣି ବିଜେପିକୁ ଫେରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ବିଜୟ ମହାପାତ୍ର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ତତ୍କାଳୀନ ଜନତା ଦଳ ରାଜ୍ୟ ଶାଖାର ସେ ରାଜନୈତିକ ବ୍ୟାପାର କମିଟିର ଆବାହାକ ମଧ୍ୟ ଥିଲେ । ତେବେ ୨୦୦୦ ମସିହାରେ ନବୀନ ତାଙ୍କୁ ପାଟକୁରା ନିର୍ବାଚନମଣ୍ଡଳିରୁ ଶେଷ ମୁହୂର୍ତ୍ତରେ ଟିକେଟ ଦେଇନଥିଲେ । ଫଳରେ ବିଜୟ ମହାପାତ୍ର ନିର୍ବାଚନ ଲଢି ପାରିନଥିଲେ । ତେବେ ବିଜେଡିକୁ ଉଚିତ ଜବାବ ଦେବାପାଇଁ ଏନସିପି ବିଧାୟକଙ୍କୁ ପାଟକୁରାରେ ସମର୍ଥନ କରିଥିଲେ । ପରବର୍ତ୍ତି ସମୟରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ନାମକ ଏକ ନୂଆ ଦଳ ଗଠନ କରିଥିଲେ । ୨୦୦୪ ମସିହା ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଓଡିଶା ଗଣ ପରିଷଦ ୨ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ନିଜେ ବିଜୟ ମହାପାତ୍ର ପାଟକୁରାରୁ ହାରିଯାଇଥିଲେ ।

ପରବର୍ତ୍ତି ସମୟରେ ଶରଦ ପାୱାରଙ୍କ ଏନସିପି ଦଳରେ ଓଡିଶା ଗଣ ପରିଷଦ ବିଲୀନ ହୋଇଯାଇଥିଲା । ତେବେ ଶରଦ ପାୱାର ଏନସିପି ସହ ମେଣ୍ଟ କରିବାରୁ ୨୦୦୯ ମସିହା ନିର୍ବାଚନ ପୂର୍ବରୁ ବିଜୟ ମହାପାତ୍ର ଏନସିପି ଛାଡି ବିଜେପିରେ ଯୋଗ ଦେଇଥିଲେ । ପଞ୍ଚାୟତ ନିର୍ବାଚନ ବେଳେ ବିଜୟ ବିଜେପିର ମଙ୍ଗ ଧରିଥିଲେ । ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ମଧ୍ୟ କରିଥିଲା । ତେବେ ମହାନଦୀ ପ୍ରସଂଗଠୁ ଆରମ୍ଭ କରି ବିଭିନ୍ନ ପ୍ରସଂଗରେ ଦଳ ସହ ବିଜୟଙ୍କ ଆଭିମୁଖ୍ୟ ମିଶିନଥିଲା । ବିଜୟ ଦଳ ସମ୍ପର୍କରେ ଖୋଲା ଖୋଲି ଗଣମାଧ୍ୟରେ ସମାଲୋଚନା କରିବାକୁ ପଛାଇନଥିଲେ । ଏପରିକି ଭୁବନେଶ୍ବରଠାରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମଧ୍ୟ ବିଜୟ ଯୋଗ ଦେଇନଥିଲେ । ଧୀରେ ଧୀରେ ଦଳ ଓ ବିଜୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା ଓ ଗତ ଡିସେମ୍ବର ୧ ତାରିଖରେ ବିଜୟ ଦଳ ଛାଡିବା ଘୋଷଣା କରିଥିଲେ ।

ଏବେ ବିଜୟ ପୁଣି ବିଜେପିକୁ ଫେରିଲେ ବିଜେପି ନିଶ୍ଟୟ ଶକ୍ତିଶାଳୀ ହେବ । ବିଜୟଙ୍କୁ ଉପକୂଳ ଓଡିଶାର ମଂଗୁଆଳ ଦାୟିତ୍ବ ପ୍ରଦାନ କରି ଦଳ ସଫଳତା ହାସଲ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି ।

   Related Posts