ବିଜୟ ମହାନ୍ତି- 'କୋଟିଏ ତାରା ଭିତରେ ଗୋଟିଏ ଜହ୍ନ' : ଠିକ୍ ବର୍ଷେ ତଳେ ନେଇଥିରେ ଚିର ବିଦାୟ...

Published By : Prameya-News7 Bureau | July 20, 2021 IST

ଭୁବନେଶ୍ୱର,୨୦/୦୭: ‘କିଏ କାହାର ମା’ । ତୁ ତୋ ମା’କୁ କେବେଠୁ ମାରି ସାରିଛୁ । ସେଠି ଯିଏ ଶୋଇଛି ସିଏ ମୋ ସ୍ତ୍ରୀ…’ । ଓଡ଼ିଆ ସିନେମାରେ କେବଳ ଏ ଗୋଟିଏ ନୁହେଁ, ଏମିତି ଶହ ଶହ ହିଟ୍‌ ସଂଳାପ ଆଜି ଯେତେବେଳେ ଗୁଞ୍ଜରଣ ସୃଷ୍ଟି କରେ ସେତେବେଳେ ମନେ ପଡ଼ିଯାଆନ୍ତି ସେ । କିଏ କହେ ତାଙ୍କୁ ଓଡ଼ିଆ ସିନେମାର ବେତାଜ୍‌ ବାଦ୍‌ଶାହା ତ କିଏ କହେ ମୁକୁଟବିହୀନ ସମ୍ରାଟ । କିନ୍ତୁ ସେ ଥିଲେ, କୋଟିଏ ତାରା ଭିତରେ ଗୋଟିଏ ଜହ୍ନ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ କଳାକାର । ଘରେ ଘରେ ପରିଚିତ ଜଣେ ଖାଣ୍ଟି ଓଡ଼ିଆ । ଏ ଭିତରେ ତାଙ୍କ ଯିବାର ବର୍ଷେ ବିତିଯାଇଛି, ହେଲେ ସ୍ମୃତି ସେମିତି ଅପାସୋରା ରହିଛି । ଆଜିକୁ ଠିକ୍‌ ବର୍ଷକ ତଳେ ଜୁଲାଇ ୨୦, ୨୦୨୦ରେ ବିଜୟ ମହାନ୍ତିଙ୍କୁ ଅଶ୍ରୁଭରା ବିଦାୟ ଦେଇଥିବା ସିନେମାପ୍ରେମୀ ଆଜି ତାଙ୍କୁ ମନେ ପକାଉଛନ୍ତି, ଝୁରି ହେଉଛନ୍ତି ।

କହିଛନ୍ତି, ଓଡ଼ିଆ ସିନେମାକୁ ଅବଦାନ ପାଇଁ କେବେବି ତାଙ୍କୁ ଭୁଲି ହୁଏନା । ଇଏ ବି ଏକ ଅଦ୍ଭୁଦ ସଂଯୋଗ । ଯେଉଁ ‘ଭୁଲି ହୁଏନା’ ଥିଲା ତାଙ୍କ ପ୍ରଥମ ଓ ଶେଷ ନିର୍ଦ୍ଦେଶିତ ଚିତ୍ର । ସେଥିପାଇଁ ବି ସେ ଅଭୁଲା ରହିବେ । ଓଡ଼ିଆ ଚଳଚ୍ଚିତ୍ରରେ ବିଜୟ ଥିଲେ ଅଲ୍‌ରାଉଣ୍ଡର । ସାତରୁ ସତୁରୀ³ ସବୁ ପିଢ଼ିଙ୍କ ପାଖରେ ଥିଲେ ଗ୍ରହଣୀୟ । ହୁଣ୍ଡା, ଗୁଣ୍ଡା, ଅଲୋଡ଼ା, ଅଖ୍ୟାତ, ବିଖ୍ୟାତ, ଅଭିଜାତ୍ୟ ଆଦି ଅସଂଖ୍ୟ ଚରିତ୍ରରେ ତାଙ୍କ ବାସ୍ତବଧର୍ମୀ ଅଭିନୟର ମାୟାର ପଡ଼ିଛନ୍ତି ଓଡ଼ିଆ ଦର୍ଶକ । ଭାଗ୍ୟର ବିଡ଼ମ୍ବନା³ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଦର୍ଶକ ତାଙ୍କଠାରୁ ଆହୁରି କିଛି ଆଶା କରୁଥିବା ବେଳେ ମାତ୍ର ୭୦ ବର୍ଷ ବୟସରେ ତାଙ୍କ ପରଲୋକ ଦ୍ୱାରା ଓଡ଼ିଆ ସିନେମା ବହୁତ କିଛି ହରାଇଛି । ଯାହାର ଭରଣା ନାହିଁ ।

ଅଭିନୟ ଜୀବନକୁ ନେଇ ବିଜୟ ବି ସବୁବେଳେ କହୁଥିଲେ, ‘ଆଉ ମୋର କିଛି ଦରକାର ନାହିଁ । ଯଦି ବି କେବେ ମରିଯାଏ ଏବଂ ପୁନର୍ଜନ୍ମ ଲାଭ କରେ ଏଇ ଓଡ଼ିଶା ମାଟିରେ ଜନ୍ମ ହେବି । କଳାକାରଟିଏ ହୋଇ ଜନ୍ମହୋଇ ଦର୍ଶକଙ୍କ ହୃଦୟରେ ରହିବା ପାଇଁ ଚେଷ୍ଟା କରିବି’ । ସତରେ, ସେ ନାହାନ୍ତି ହେଲେ ଅଛନ୍ତି ଦର୍ଶକଙ୍କ ହୃଦୟରେ । ସେ ସିନେମା କରୁଥିଲେ, ନାଟକର କାହାଣୀ ଲେଖୁଥିଲେ ମାତ୍ର ବାସ୍ତବରେ ସେ ଥିଲେ ଏକ ସିନେମା ଆଉ ସେ ଥିଲେ ଅସଂଖ୍ୟ କାହାଣୀର ନାୟକ… । ଯାହାଙ୍କର ଅନ୍ତ ନାହିଁ । ଆଜିର ଦିନରେ ସେହି କୋଟିଏ ମଣିଷଙ୍କ ଗୋଟିଏ ଜଗାଙ୍କୁ ସଶ୍ରଦ୍ଧ ପ୍ରଣାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.