ବିଜୟ ମହାପାତ୍ର କହିଲେ ବିଜୁ କ୍ରାନ୍ତି ଦଳରେ ଯୋଗ ଦେବା ପାଇଁ ଦାମ ବାବୁ ତାଙ୍କୁ କେବେ ପ୍ରସ୍ତାବ ଦେଇନାହାଁନ୍ତି କି ସେ କାହା ସହ ଯୋଗାଯୋଗରେ ନାହାଁନ୍ତି

Published By : Prameya-News7 Bureau | December 01, 2018 IST

ଭୁବନେଶ୍ବର ୧|୧୨: ବିଜୟ, ଦିଲ୍ଲୀପ ଏପିସୋଡରେ ଦାମ ଟ୍ବିଷ୍ଟ୍ । ଏହି ଦୁଇ ନେତା ଗତକାଲି ବିଜେପିରୁ ଇସ୍ତଫା ଦେଇଥିବା ବେଳେ କୁଆଡ଼େ ଯିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ନୂଆ ଟ୍ୱିଷ୍ଟ୍ । ଇସ୍ତଫା ପୂର୍ବରୁ ଦାମ ବାବୁ କୁଆଡ଼େ ଏମାନଙ୍କୁ ମୋବାଇଲରେ ମେସେଜ ପଠାଇ ତାଙ୍କ ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି । ବିଜୟ କିନ୍ତୁ ଏହି ପ୍ରସ୍ତାବକୁ ଏଡ଼ାଇ ଦେଇଛନ୍ତି । ସେପଟେ ବିଜେଡି ପ୍ରତିଷ୍ଠା ଦିବସରେ ଦିଲ୍ଲୀପ ଏବଂ ବିଜୟ ଶଙ୍ଖ ଧରିବା ନେଇ ଟୁପୁରୁ ଟାପୁରୁ ଚାଲିଥିବା ବେଳେ ନବୀନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ବିଜେଡି ନେତାଏ । ସେପଟେ ଶୂନ୍ୟସ୍ଥାନ ପୂରଣ ପାଇଁ ବୈଜୟନ୍ତଙ୍କୁ ଲାଇନଅପ କରିଛି ବିଜେପି । କୁଆଡ଼େ ଯିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ? ଏହି ଦୁଇ ନେତାଙ୍କ ପଲିଟିକାଲ୍ ମୁଭମେଣ୍ଟକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ, ସାମ୍ନାକୁ ଆସିଛି ନୂଆ କଥା । ବିଜୁ ସମତାକ୍ରାନ୍ତି ଦଳ ଗଢ଼ିଥିବା ଦାମୋଦର ରାଉତ ଏହି ଦୁଇ ନେତାଙ୍କୁ ସ୍ବାଗତ କରିଛନ୍ତି । ଦାମଙ୍କ କହିବା କଥା, ବିଜେଡି ଏମାନଙ୍କୁ ଅପମାନିତ କରି ବାହାର କରିଥିଲା । ତେଣୁ ଏମାନେ ବିଜେଡିରେ ଯୋଗ ଦେବା ଉଚିତ ହେବନି । ପୁଣି ଏମାନେ ସ୍ବାଭିମାନୀ ନେତା, ପଦ ଲୋଭରେ ବିଜେଡିରେ ମିଶିବା ଠିକ ହେବନି ବୋଲି କହିଛନ୍ତି ଦାମ ବାବୁ ଏମିତି ଗୁଗଲୀ ଫିଙ୍ଗି ବିଜୟ ଓ ଦିଲ୍ଲୀପଙ୍କ ରାସ୍ତାରେ ପାଚେରୀ ଛିଡ଼ା କରାଇଛନ୍ତି ଦାମ ବାବୁ । ବିଜୟ କିନ୍ତୁ କହୁଛନ୍ତି, କେହି ତାଙ୍କୁ ଯୋଗାଯୋଗ କରିନାହାନ୍ତି କିମ୍ବା ସେ କାହା ସହ ଯୋଗାଯୋଗରେ ନାହାନ୍ତି । ଦିଲ୍ଲୀପ ରାୟ ବିଦେଶରୁ ଫେରିଲେ ଚିତ୍ର ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ବିଜୟ ମହାପାତ୍ର । ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି । ଯେତେ ଦୂର ଆଶା ଏହି ମାସରେ ମାନେ ଶଙ୍ଖ ଧରିପାରନ୍ତି । ବିଜେଡି ନେତାଏ କିନ୍ତୁ ଏ ପ୍ରସଙ୍ଗରେ ନବୀନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ସେପଟେ ବିଜେପି କହୁଛି, ଦିଲ୍ଲୀପ ବିଜୟଙ୍କ ଯିବା ଦଳ ପାଇଁ ସ୍ ନୁହେଁ ବରଂ ପ୍ଲସ୍ । ତେବେ ଏମାନଙ୍କ ବଦଳରେ ବିଜେପି, ବୈଜୟନ୍ତ ପଣ୍ତାଙ୍କୁ ଦଳରେ ମିଶାଇ, ଶୂନ୍ୟସ୍ଥାନ ପୂରଣ ଯୋଜନାରେ ଥିବା କୁହାଯାଉଛି । ଯେତେଦୂର ଆଶା ଆସନ୍ତା ୧୧ ତାରିଖ, ପାଞ୍ଚ ରାଜ୍ୟ ବିଧାନସଭା ଫଳାଫଳ ପରେ ବିଜେପି ବୈଜୟନ୍ତଙ୍କୁ କୋଳେଇପାରେ । ସେହିଭଳି ଡିସେମ୍ବର ୨୬ ବିଜେଡି ପ୍ରତିଷ୍ଠା ଦିବସରେ ବିଜୟ ଏବଂ ଦିଲ୍ଲୀପ ଶଙ୍ଖ ଧରିବା ନେଇ ଚର୍ଚ୍ଚା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.